କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ସୁଭଦ୍ରାଯୋଜନା ପାଇଁ ଆଧାର କେନ୍ଦ୍ରରେ ଜମୁଛି ଭିଡ଼ । ଆଧାର କାର୍ଡ ସହ ବ୍ୟାଙ୍କ ପାସବୁକ ଲିଙ୍କ ଓ ବାୟୋମେଟ୍ରିକ ପାଇଁ ଲମ୍ବାଧାଡିରେ ଛିଡା ହୋଇଥିଲେ ଲୋକ । କିନ୍ତୁ ଅଧାରୁ ଖରାପ ହେଲା ଆଧାରକେନ୍ଦ୍ର ମେସିନ । ଫଳରେ କାମାକ୍ଷାନଗର ବ୍ଲକ କାର୍ଯ୍ୟାଳୟକୁ ସୁଭଦ୍ରା ଯୋଜନା ପାଇଁ ଆଧାର ଲିଙ୍କ କରିବାକୁ ଆସି ନିରାଶ ହୋଇ ଫେରିଛନ୍ତି ଦୂରଦୁରାନ୍ତର ମହିଳା । ଯାହାକୁ ନେଇ ସକାଳୁ ଲମ୍ବା ଧାଡିରେ ଘଣ୍ଟାଘଣ୍ଟା ଛିଡା ହୋଇ ବିରକ୍ତି ଓ ନିରାଶର ସହ ଫେରିଛନ୍ତି ଶତାଧିକ ଲୋକ ।

କାମାକ୍ଷାନଗର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଆଧାରକେନ୍ଦ୍ର ଉପରେ କାମାକ୍ଷାନଗର ବ୍ଲକ ସମେତ ପଡୋଶୀ କଙ୍କଡାହାଡ଼ ବ୍ଲକର ଅନେକ ପଞ୍ଚାୟତ ନିର୍ଭର କରୁଥିବା ବେଳେ ହଠାତ ମେସିନ ଖରାପ ଯୋଗୁଁ ହନ୍ତସନ୍ତ ଲୋକେ । ଯାହାକୁ ନେଇ ସକାଳୁ ଅଖିଆଅପିଆ ତଥା ନିଜ ଜରୁରୀକାମ ଛାଡି ଆଧାର ଲିଙ୍କ ପାଇଁ ଆସିଥିବା ମହିଳା ମାନେ ଅସୁବିଧାର ସାମ୍ନା କରୁଥିବା କହିଛନ୍ତି ।

ସେହିପରି ସରକାର ଆଧାର ଲିଙ୍କ ପାଇଁ କୌଣସି ଟଙ୍କା ଦେବାପାଇଁ ବିଧିବଦ୍ଧ ଭାବେ ମନା କରିଥିଲେ ମଧ୍ୟ ଆଧାର କେନ୍ଦ୍ର ରେ ୧୫୦ ଟଙ୍କା ନିଆଯାଉଥିବା ଅଭିଯୋଗ କରିଛନ୍ତି ଲୋକେ । ଆଧାରକେନ୍ଦ୍ରରେ ଅବ୍ୟବସ୍ଥାର ଖବର ପାଇ କାମାକ୍ଷାନଗର ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ମେସିନ ସଜାଡ଼ିବା ସହ ଆଧାରଲିଙ୍କ କାର୍ଯ୍ୟରେ ସହଯୋଗ ପାଇଁ ଲୋକମାନଙ୍କୁ ବୁଝାସୁଝା କରାଇଥିଲେ ।