କନକ ବ୍ୟୁରୋ : ବିଦ୍ୟାଳୟ ହେଉ ଅବା ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନ ବୃଦ୍ଧି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । କମ୍ପୁଟର ଶିକ୍ଷା, ଉନ୍ନତ ମାନର ଲାଇବ୍ରେରୀ ସୁବିଧା ସହ ସୁସ୍ଥ ବାତାବରଣରେ ଶିକ୍ଷା ଯୋଗାଇବା ଲକ୍ଷ୍ୟରେ ଲକ୍ଷାଧିକ ଟଙ୍କାର ଅନୁଦାନ ଦେଇଥିଲେ ପୂର୍ବ ସରକାର । ଫାଇଭ-ଟି ଯୋଜନାରେ ସାମିଲ କରି ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସ ରୁମ,ପରିସ୍ରାଗାର, ଏଲିଡି, କମ୍ପୁଟର, ରୁମ ଇଲେକ୍ଟ୍ରିଫିକେସନ, କଲରିଂ, ବିଲ୍ଡିଂ ଆଦିର ବ୍ୟବସ୍ଥା ଥିଲା । ହେଲେ କଲର, ଟାଇଲ, ୱାରିଂ କରି ଏବେ ଠିକାଦାର ଛୁ । ଚିନ୍ତାରେ କଲେଜ କର୍ତ୍ତୃପକ୍ଷ ଓ ଛାତ୍ର ଛାତ୍ରୀ ।

Advertisment

କାନ୍ଥରେ ରଙ୍ଗ ବୋଳା ହୋଇଛି । ବାରଣ୍ଡା ଆଉ ରୁମ ଭିତରେ ଟାଇଲ ପଡି ଚକାଚକ ଦେଖାଯାଉଛି । ମାତ୍ର ଟିକେ ନିରିଖେଇ ଦେଖିଲେ ଦୁର୍ନୀତି ଜଳଜଳ ହୋଇ ଦିଶୁଛି । କେଉଁଠି କାନ୍ଥ ଫାଟିଲାଣି ତ କେଉଁଠି ଛାତରୁ ପାଣି ଗଳୁଛି । ପାଣି  ସଂଯୋଗ ପାଇପ ସବୁ କଟା ହୋଇ ପଡିରହିଛି । ବିପଦ ସଂକୁଳ ଅବସ୍ଥାରେ ରହିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ପଞ୍ଚାଗଡ ଅନଙ୍ଗ ନରେନ୍ଦ୍ର ମହାବିଦ୍ୟାଳୟ । ଅନାବନା ଗଛଲତାରେ ଭର୍ତ୍ତି ହୋଇଛି ମହାବିଦ୍ୟାଳୟ ପରିବେଶ ।

ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜର ଉନ୍ନତିକରଣ ପାଇଁ ଫାଇଭ-ଟି ଜରିଆରେ ଏକ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ଉନ୍ନତ ବାତାବରଣ, ଇ-ଲାଇବ୍ରେରୀ ଓ ସ୍ମାର୍ଟ କ୍ଲାସରୁମରେ ପାଠ ପଢ଼ିବା ଲକ୍ଷ୍ୟରେ ଉତ୍ସାହିତ ଥିଲେ ଛାତ୍ରଛାତ୍ରୀ । ହେଲେ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ଏବେ ସ୍ୱପ୍ନରେ ରହିଗଲା ଭଳି ଲାଗୁଛି । ଠିକାଦାରଙ୍କ ଦେଖା ମିଳୁନଥିବା ବେଳେ ଅଧାରେ ଅଟକିଛି ଉନ୍ନତିକରଣ କାମ ।

ଏଠି ପ୍ରଶ୍ନ ଉଠୁଛି ଫାଇଭ-ଟି ନାଁରେ ଆସିଥିବା ଟଙ୍କା ଗଲା କୁଆଡ଼େ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ କିଏ ଖେଳ ଖେଳୁଛି ? ତଦନ୍ତ ହେଲେ ସାମ୍ନାକୁ ଆସିବ ମହାକେଳେଙ୍କାରୀର ସତ ।