କନକ ବ୍ୟୁରୋ: ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ରାସ୍ତାରେ ମହାଦୁର୍ନୀତି ଅଭିଯୋଗ। ନିର୍ମାଣର ଦୁଇ ବର୍ଷ ଭିତରେ ରାସ୍ତା ଫାଟି ଆଁ କରିଛି । ପିଚୁ ଉଠିଗଲାଣି। ଅଧପନ୍ତରିଆ କାମ କରି ଛୁ ମାରିଛନ୍ତି ଠିକାଦାର। ୩ କୋଟି ୭୩ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ରାସ୍ତାରେ ସମ୍ପୂର୍ଣ୍ଣ ଘୋଟାଲା ହୋଇଥିବା ଅଭିଯୋଗ କରିଛନ୍ତି ବାଲେଶ୍ୱର ଭୋଗରାଇ ବ୍ଳକ ଦାହୁଣ୍ଡା ଗ୍ରାମବାସୀ। 

ଭୋଗରାଇ ବ୍ଳକ ଦାହୁନ୍ଦା ଗାଁର ତାହାଳିଆପଦା ଠୁ ରାଣୀଗୁଡା ରାସ୍ତା ଓଡିଶାରୁ ପଶ୍ଚିମବଙ୍ଗକୁ ସଂଯୋଗ କରୁଛି। ୩ କୋଟି ୭୩ ଲକ୍ଷ ଟଙ୍କା ବ୍ୟୟରେ ୨୦୨୦ରୁ ୨୪ ମଧ୍ୟରେ ରାସ୍ତା ଉନ୍ନତିକରଣ କରାଯାଇଛି। ମାସ କେଇଟାରେ ରାସ୍ତାରୁ ଦୁର୍ନୀତିର ଗନ୍ଧ ବାରି ହେଲାଣି! କଂକ୍ରିଟ ରାସ୍ତା ସମ୍ପୂର୍ଣ୍ଣ ନକରି ଛୁ ମାରିଛି ଠିକାଦାର! ଫଳରେ କେଉଁଠି ରାସ୍ତା ଫାଟି ଆଁ କରିଛି ତ ଆଉ କେଉଁଠି ପିଚୁ ଉଠିଗଲାଣି। ବଡ଼ବଡ଼ ଖାଲରେ ପାଣି ଜମୁଛି। ଲୋକେ ଯିବା ଆସିବାରେ ବହୁ ସମସ୍ୟା ଭୋଗୁଛନ୍ତି। ଛାତ୍ରଛାତ୍ରୀ ସ୍କୁଲ ଯିବାରୁ ସୁରକ୍ଷିତ ମଣୁନାହାନ୍ତି।

ପ୍ରାୟ ଦେଢ଼ କିଲୋମିଟର ପିଚୁ ରାସ୍ତାରେ ମହାଘୋଟାଲା ଅଭିଯୋଗ ହୋଇଛି। ଠିକାଦାର ମନଇଚ୍ଛା କାମ କରୁଥିଲା! ରାସ୍ତା କଡ଼ରେ ଡ୍ରେନ ନକରି ଖସିଯିବାକୁ ବସିଥିଲା! ଗାଁ ଲୋକ ବିରୋଧ କରିବାରୁ କାମ ଅଧାରେ ଛାଡ଼ି ଠିକାଦାର ଛୁ ମାରିଛି। ରାସ୍ତା ଦୁରବସ୍ଥାକୁ ନେଇ ଗାଁ ଲୋକ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥଲେ ବି ସମାଧାନ ହୋଇପାରୁନି।

ଦୁଇ ବର୍ଷ ଭିତରେ ରାସ୍ତାର ସ୍ଥିତି ବେହାଲ। ଆଗାମୀ ଦିନରେ ଯଦି ଅଧପନ୍ତରିଆ ରାସ୍ତା ସମ୍ପୂର୍ଣ ନହୁଏ, ନିମ୍ନମାନର କାମର ତଦନ୍ତ ନହୁଏ, ତେବେ ଗାଁ ଲୋକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।