କନକ ବ୍ୟୁରୋ: ନିର୍ମାଣର ବର୍ଷକ ଭିତରେ ରାସ୍ତା ପାଲଟିଲା ମରଣ ଯନ୍ତା  । ଗାଁକୁ ଗାଁ ଯୋଡିବାର ଓ ଗାଁଠୁ ସହରକୁ ନିକଟତର କରିବା ଉଦ୍ଦେଶ୍ୟ ନେଇ ତିଆରି ହୋଇଥିବା ଏହି ରାସ୍ତା ଗାଁଠୁ ସହର ବଦଳ ରେ ଠିକାଦାର ଓ ଜେଇଙ୍କୁ ଯୋଡିବା ସହ ନିକଟତର କରିବାରେ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି । ଜେଇ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ନିର୍ମାଣ ହୋଇଥିବା ପିଚୁ ରାସ୍ତାର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇ ତାହା ମାଟି ରାସ୍ତାର ଭ୍ରମ ସୃଷ୍ଟି କରୁଛି  । ଯାହାକୁ ନେଇ ଉତ୍ୟକ୍ତ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା ନୂଆ ରାସ୍ତା ନିର୍ମାଣ କରିବା ପାଇଁ ଦାବି କରିଛନ୍ତି  । ନଚେତ ଆନ୍ଦୋଳନର ଧମକ ଦେଇଛନ୍ତି  । ନବରଙ୍ଗପୁର ଜିଲ୍ଲାରୁ ଅଭିଯୋଗ ଆସିଛି ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଦୁର୍ନୀତିର ଖବର  ।

ପିଚୁ ରାସ୍ତା ଉପରେ ଜମି ରହିଛି ପାଣି କାଦୁଅ । ଖାଲି ପିଚୁ ଉଠିଯାଇଛି ତା’ ନୁହଁ ପୁରା ରାସ୍ତାର ଅନେକ ସ୍ଥାନରେ ପିଚୁ ପ୍ରାୟ ଦୁଇ ଫୁଟ ଦବି ଯାଇଛି । ସ୍ଥିତି ଏପରି ହୋଇଛି ରାସ୍ତାଟି ପିଚୁ ନା ମାଟି ରାସ୍ତା ତାହା ଜଣାପଡ଼ୁନି । ରାସ୍ତା ସମସ୍ୟା ପାଇଁ ଅନେକ ସମୟରେ ଦୁର୍ଘଟଣା ବି ଘଟୁଛି । ଏ ଦୃଶ୍ୟ ହେଉଛି ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଖୁଣ୍ଟିଆ ଛକ ଠାରୁ ଡେଙ୍ଗାତୋଟାଗୁଡା ରାସ୍ତାର । ୧୨.୦୯.୨୦୨୨ରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ରାସ୍ତା କାମ ଆରମ୍ଭ ହୋଇଥିଲା । ୧୧.୦୬.୨୦୨୩ରେ ଶେଷ ହୋଇଥିଲା ରାସ୍ତା କାମ । ସୂଚନା ଫଳକ ଅନୁସାରେ ୨କୋଟି ୩୦ ଲକ୍ଷ ୬୩ ହଜାର ଖର୍ଚ୍ଚ ହୋଇଛି । କାମ ଶେଷ ହେବାର ବର୍ଷେ ନପୁରୁଣ ରାସ୍ତାର ଅବସ୍ଥା କହୁଛି କେତେ ଦୁର୍ନୀତି ହୋଇଛି ଏହି ରାସ୍ତା କାମରେ । 

ରାସ୍ତାକାମରେ ନିମ୍ନମାନର ହୋଇଥିବା ଅଭିଯୋଗ କରି ଠିକାଦାର ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା  । ନଚେତ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି  । ଅନ୍ୟପଟେ ରାସ୍ତାର ମାନ ନେଇ ନିଜେ ତଦାରଖ କରିବା ସହ ବିଭାଗୀୟ କତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ  ଠିକାଦାରଙ୍କୁ ବ୍ଲାକ ଲିଷ୍ଟ କରିବା ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ  । 

ତେବେ ଦେଖିବାକୁ ବାକି ରହିଲା ରାସ୍ତାର ପୁନଃ ନିର୍ମାଣ କାମ କେବେ ହେଉଛି ଏବଂ ଏହି ନିମ୍ନ ମାନର କାମରେ ସମ୍ପୃକ୍ତ ଥିବା ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି  ।