କନକବ୍ୟୁରୋ: ବାଡ ଯଦି କ୍ଷେତ ଖାଏ , ତେବେ ସୁରକ୍ଷା ଦେବ କିଏ? କେନ୍ଦୁଝର ଡିଏମଏଫ କାର୍ୟ୍ୟାଳୟ ପାଇଁ ଏବେ ଏହି ଉକ୍ତି ପୂରା ପ୍ରଯୁଜ୍ୟ। ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ପାଇଁ ଆସୁଥିଲା ଏହି ଯୋଜନାରେ କୋଟି କୋଟି ଟଙ୍କା। ହେଲେ ମାଲେମାଲ ହେଉଥିଲା ଠିକା ସଂସ୍ଥା E & Y । କିନ୍ତୁ ଉଦବେଗର କଥା ହେଲା, ତିରୁମାଳାଙ୍କ ବଦଳି କରାଗଲା ଏବଂ ନୂଆ ଜିଲ୍ଲାପାଳ ଆଶିଷ ଠାକରେଙ୍କ ଆଶୀର୍ବାଦରେ ଠିକା ସଂସ୍ଥାର ପାଉଣା ୪ ଗୁଣା ବୃଦ୍ଧି ପାଇଥିଲା। ମାସିକ ୪୯ ଲକ୍ଷ ୭୩ ହଜାର ହିସାବରେ ୩ ବର୍ଷକୁ ୧୭ କୋଟି ୫ ଲକ୍ଷ ଟଙ୍କା ହାତେଇଥିଲା ସଂସ୍ଥା। ପ୍ରଶ୍ନ ଉଠୁଛି ଏହି ହଡପ ଟଙ୍କା ନେଉଥିଲା କିଏ?
ଡିଏମଏଫ କାର୍ଯ୍ୟାଳୟରୁ ଲମ୍ବିଥିବା ଦୁର୍ନୀତିର ଏହି ଚେର ପୂରା ଜିଲ୍ଲାକୁ ବ୍ୟାପିଥିଲା ୱେବସାଇଟରେ ପ୍ରତି ଉଦ୍ୟାନ ପାଇଁ ଖର୍ଚ୍ଚ ହେଉଥିଲା ୩୦ଲକ୍ଷରୁ ଅଧିକ ଟଙ୍କା କିନ୍ତୁ ଫଳକରେ ୧୮ ଲକ୍ଷ ଟଙ୍କା। ଏହା ମାଧ୍ୟମରେ ପ୍ରାୟ ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ହୋଇଛି। ସେହିଭଳି ବିନା ଟେଣ୍ଡରରେ ସ୍କୁଲରେ ଷ୍ଟିକର ମାରି ୮ କୋଟି ଟଙ୍କା ହଡପ ହୋଇଥିବା ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ଜିଲ୍ଲାପାଳ କହିଛନ୍ତି, ଘଟଣାର ତଦନ୍ତ କରାଯିବ। ଏବେ ପ୍ରଶ୍ନ ଉଠୁଛି, ଡିଏମଏଫ ଦୁର୍ନୀତିର ଚେର କେବଳ କେନ୍ଦୁଝର ଜିଲ୍ଲାରେ ଅଟକିଛି ନା ଲୋକସେବା ଭବନ ପର୍ୟ୍ୟନ୍ତ ବ୍ୟାପିଛି।ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ମହାଦୁର୍ନୀତି ଉପରୁ ପରଦା ହଟିବ।
Follow Us