କନକ ବ୍ୟୁରୋ : ବନୀକରଣକୁ ନେଇ ଝାରସୁଗୁଡା ବନଖଣ୍ଡ ଅନ୍ତର୍ଗତ କୋଲାବିରା ବନ ବିଭାଗ କେତେ ଯତ୍ନବାନ, ଏ ଦୃଶ୍ୟ ଦେଖିଲେ ବୁଝା ପଡୁଛି । ଜିଲ୍ଲା ଖଣିଜ ପାଣ୍ଠିରୁ ୬୧ ଲକ୍ଷ ଟଙ୍କା ବ୍ୟୟରେ ଏହି ଚାରା ରୋପଣ ହୋଇଛି । ଦୁର୍ଭାଗ୍ୟକୁ ଏହି ବନୀକରଣ ପଡିଆରେ ଦେଖିବାକୁ ମିଳୁ ନାହିଁ, କିନ୍ତୁ କାଗଜପତ୍ରରେ ସବୁ ହିସାବ ଅଛି । ୨୦୧୮-୧୯ ମସିହାରେ ସମାସିଂଘା ଓ ରଙ୍ଗିଆଟିକ୍ରା ଗାଁରେ ବୃକ୍ଷରୋପଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ୬୧ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ସେହିପରି ଏମସିଏଲ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ ମଧ୍ୟ ସମାସିଂଘା ଓ ରଙ୍ଗିଆଟିକ୍ରା ଗାଁରେ ୨୦ ଲକ୍ଷ ଟଙ୍କାରେ ୫ ହଜାର ବୃକ୍ଷରୋପଣ ହୋଇଛି । ମାତ୍ର ହାତ ଗଣତି ଗଛ ବଞ୍ଚିଛି ।  

ବନ ବିଭାଗର ବଡ଼ ବାବୁମାନେ ଗଛ ଲଗାଇବା ନାଁରେ କୋଟି କୋଟି ଟଙ୍କା ହରିଲୁଟ୍ କରୁଥିବା ଅଭିଯୋଗ ହେଉଛି । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ କରିବାକୁ ଦାବି ହେଉଛି । ସମାସିଂଘା ଓ ରଙ୍ଗିଆଟିକ୍ରା ବନୀକରଣକୁ ନେଇ କୋଲାବିରା ବନ ବିଭାଗ ଅଧିକାରିଙ୍କୁ ପଚାରିବାରୁ ସେ ନୂଆରେ ଆସିଛନ୍ତି, ଏବାବଦରେ କିଛି ଜାଣିନଥିବା କହି ପ୍ରତିକ୍ରିୟା ଦେବାକୁ ମନାକରି ଦେଇଥିଲେ । 

ଝାରସୁଗୁଡା ଜିଲ୍ଲାରେ ମାତ୍ର ୨୨ ପ୍ରତିଶତ ଗଛ ରହିଛି । ଆଗକୁ ଖଣି ସମ୍ପ୍ରସାରଣ ଓ କଳକାରଖାନା ସ୍ଥାପନ ଯୋଗୁଁ ଗଛ ସଂଖ୍ୟା କମିବ ବୋଲି ଅନୁମାନ କରାଯାଉଛି । ଏପରି ସମୟରେ ବନୀକରଣ ନାଁରେ ବନବିଭାଗର ବଡ଼ ଦୁର୍ନୀତିକୁ ନେଇ ପରିବେଶବିତ ଉଦବେଗ ପ୍ରକାଶ କରିଛନ୍ତି ।