କନକ ବ୍ୟୁରୋ:  ରାଜସ୍ଥାନର ଝୁନଝୁନୁ ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ବ୍ୟକ୍ତି ଦୁଇ ଦିନ ମଧ୍ୟରେ ୨୫ରୁ ଅଧିକ ବୁଲା କୁକୁରଙ୍କୁ ଗୁଳି କରି ହତ୍ୟା କରିଛି । ଅଭିଯୁକ୍ତ ଜଣକ ଖୁଲମ୍‌ଖୁଲା ବନ୍ଧୁକ ଧରି ଗାଁରେ ବୁଲୁଥିଲା ଏବଂ କୁକୁର ଦେଖିବା ମାତ୍ରେ ଗୁଳି ଚଳାଉଥିଲା । ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି ।  ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଇଛି ଯେ ଜଣ ବ୍ୟକ୍ତି ବୁଲା କୁକୁରମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି କରୁଛନ୍ତି ।  ଆଉ ଜଣେ ବ୍ୟକ୍ତି ଅନ୍ୟ ଏକ ବାଇକ୍‌ରେ ସେମାନଙ୍କୁ ଅନୁସରଣ କରି ଏହି ନୃଶଂସ କାଣ୍ଡର ଭିଡିଓ ରେକର୍ଡ କରୁଥିଲା ।  

Advertisment

ଏହି ଘଟଣା ପରେ ଗାଁର ଗଳିକନ୍ଦି ଓ ବିଲରେ କୁକୁରମାନଙ୍କର ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା  ।  ଏହି ଘଟଣାର ଭିଡିଓ ଅଗଷ୍ଟ ୬ ତାରିଖରେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ  ପୁଲିସର ନିଦ ଭାଙ୍ଗିଥିଲା ।  ଝୁନଝୁନୁର ପୁଲିସ ଅଧୀକ୍ଷକ (ଏସପି) ବ୍ରିଜେଶ ଜ୍ୟୋତି ଉପାଧ୍ୟାୟ ଭିଡିଓର ସତ୍ୟତା ସ୍ୱୀକାର କରି ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପୁଲିସର ପ୍ରାଥମିକ ତଦନ୍ତରୁ ମୁଖ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି । ତାଙ୍କ ନାଁ ଶ୍ୟୋଚାନ୍ଦ ବାୱରିୟା ଏବଂ ସେ ପାଖ ଗାଁ ଡୁମରାର ବାସିନ୍ଦା ବୋଲି ଜଣାପଡ଼ିଛି । ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ପଶୁ ନିର୍ଯାତନା ନିବାରଣ ଆଇନ ଏବଂ ଅସ୍ତ୍ରଶସ୍ତ୍ର ଆଇନର ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି ।  କିନ୍ତୁ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ ।