କନକ ବ୍ୟୁରୋ: ଜୁଲାଇ, ୨୦୨୩ ଜେଇ (ମେନ), ବିକୃତ ଓଡିଆ ପ୍ରଶ୍ନପତ୍ର । ଅକ୍ଟୋବର, ୨୦୨୪, ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ । ଅଭୟଙ୍କ ମାର୍ଫତରେ ଥିବା ଓଡିଶା ଷ୍ଟାଫ ସିଲେକନ୍ସ କମିଶନ, ଓଏସଏସସିର ଗୋଟିଏ ଗୋଟିଏ କେଳେଙ୍କାରୀର ନାଁ । ପ୍ରଶ୍ନପତ୍ର ଲିକ୍ ଓ ପରୀକ୍ଷା ଅନିୟମିତତା ଭଳି କଳଙ୍କ ମୁଣ୍ଡାଇଛି ରାଜ୍ୟ ସରକାରଙ୍କ ଏହି ନିଯୁକ୍ତି ସଂସ୍ଥା । ୨୦୨୨ ଏପ୍ରିଲରେ ପୂର୍ବତନ ଡିଜିପି ଅଭୟ ଓଏସଏସସିର ଅଧ୍ୟକ୍ଷ ଦାୟିତ୍ବ ନେବା ପରେ ପରୀକ୍ଷାରେ ବାରମ୍ବାର ଅନିୟମିତତା ଓ ବିଭ୍ରାଟ ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେଇଛି । ବଦନାମ ହେଉଛନ୍ତି ସରକାର । ତଦନ୍ତ ନାଁରେ କିଛିଦିନ ତନାଘନା ହେଉଛି, ତା ପରେ ସମସ୍ତେ ଚୁପ୍ । କାହିଁକି ଅଭୟଙ୍କୁ ଉତ୍ତରଦାୟୀ କରୁନାହାନ୍ତି ରାଜ୍ୟ ସରକାର? କାର୍ଯ୍ୟାନୁଷ୍ଠାନ ନେବାକୁ କିଏ ଅଟକାଉଛି ସରକାରଙ୍କ ବାଟ?
କୁହାଯାଏ, ଓଏସଏସସି ନାଁରେ ମାଳ ମାଳ ଅଭିଯୋଗ ଆସିଥିଲେ ବି କେବେ ବି ମୁହଁ ଖୋଲିନାହାନ୍ତି ଅଭୟ । ଏପରିକି ଅଫିସ ଆଗରେ ପରୀକ୍ଷାର୍ଥୀ ଆନ୍ଦୋଳନ କଲେ ସେ କେବେ ବି ଆନ୍ଦୋଳନକାରୀଙ୍କୁ ଭେଟନ୍ତି ନାହିଁ ।
- ଓଏସଏସସିରେ ଦଲାଲଙ୍କ ମାଧ୍ୟମରେ ବିକ୍ରି ହେଉଛି କି ପ୍ରଶ୍ନପତ୍ର ?
- କାହିଁକି ଚୁପ ବସିଛନ୍ତି ଅଭୟ?
୨୦୨୩ରେ ଓଏସଏସସି ଦ୍ବାରା ପରିଚାଳିତ ଜେଇ ମେନ ପରୀକ୍ଷା ପ୍ରଶ୍ନପତ୍ରକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ବାଲେଶ୍ବରରେ ଦଲାଲ ମାଧ୍ୟମରେ ପ୍ରଶ୍ନପତ୍ର ବିକ୍ରି ହେଲା । ଘଟଣାର ସତ ଜାଣିବାକୁ ୭ ଦିନ ଲାଗିଯାଇଥିଲା । ଅନେକ ହଟଚମଟ ପରେ ଦଲାଲଙ୍କ ପାଖକୁ ଯାଇ ଅଟକିଯାଇଛି ତଦନ୍ତକାରୀ ସଂସ୍ଥା । ଏହାର ଚେର ରାଜ୍ୟ ବାହାରକୁ ଲମ୍ବିଥିଲେ ବି ମୂଳ ଯାଏଁ ଯାଇପାରିନାହାନ୍ତି ତଦନ୍ତକାରୀ ଅଧିକାରୀ , ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।
ତତକାଳୀନ ବିଜେଡି ସରକାର ସମୟରେ ଅଭୟ ଓଏସଏସସିର ଚେୟାରମ୍ୟାନ ଭାବେ ନିଯୁକ୍ତି ପାଇଥିଲେ । ତେଣୁ ବର୍ତମାନର ସରକାର ଉପରେ ଏ ବାବଦରେ ତଦନ୍ତ ପାଇଁ ଚାପ ବଢୁଛି । କାର୍ଯ୍ୟାନୁଷ୍ଠାନ ଯେତେ ବିଳମ୍ୱ ହେଉଛି ସରକାରଙ୍କ ଭୂମିକା ସେତେ ସନ୍ଦେହକୁ ଆସୁଛି । ଅନ୍ୟଥା ନିଯୁକ୍ତି ସଂକ୍ରାନ୍ତରେ ସରକାର ସତର୍କ କରାଉଛନ୍ତି, କାର୍ଯ୍ୟାନୁଷ୍ଠାନ ନେବା ପାଇଁ ହାତ ଥରୁଛି କାହିଁକି । ବିଭ୍ରାଟର ତଦନ୍ତ ହେବ ନା ସମୟ ଗଡିବା ସହ ସରକାର ପ୍ରସଙ୍ଗକୁ ଟାଳିଦେବେ, ତା ଉପରେ ଏବେ ସାରା ରାଜ୍ୟର ନଜର ।