କନକ ବ୍ୟୁରୋ : ମଦ ବନ୍ଦ ପାଇଁ ବର୍ଷ ବର୍ଷ ହେଲା ବିଭିନ୍ନ ସଂଗଠନ ଦାବି କରି ଆସୁଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ରାଜ୍ୟରେ ମଦ କାରବାର କମିବା ବଦଳରେ ବଢ଼ି ବଢ଼ି ଚାଲିଛି । ହେଲେ ମଦ ବନ୍ଦ ପାଇଁ ବିଧାୟକମାନେ ସ୍ୱର ଉଠାଇବା ପରେ ଯାହା ଅନୁମାନ କରାଯାଉଥିଲା ତାହା ହିଁ ହୋଇଛି ।

Advertisment

ମଦ ବନ୍ଦ ପାଇଁ ଆଦିବାସୀ ଅଧୁଷିତ ଅଞ୍ଚଳ କୋରାପୁଟ ଲକ୍ଷ୍ମୀପୁରରୁ ପଡିଛି ମୂଳଦୂଆ । ଲକ୍ଷ୍ମୀପୁର ବିଧାୟକ ଦେଇଥିବା ଆନ୍ଦୋଳନ ଡାକରାରେ ସାମିଲ ହୋଇଛନ୍ତି ଶହ ଶହ ପୁରୁଷ ଓ ମହିଳା । ମଦ ବିରୋଧୀ ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡ ଓ ବ୍ୟାନର ଧରି ନାରାବାଜି କରିବା ସହ ଶୋଭାଯାତ୍ରାରେ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦେଶୀ ଓ ବିଦେଶୀ ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ଲୋକଙ୍କୁ ମଦ ଛାଡିବାକୁ ଆହ୍ୱାନ ଦେଇଛନ୍ତି ।

ରାୟଗଡ଼ା ବିଧାୟକ ମଧ୍ୟ ଏହି ମଦ ବିରୋଧୀ ଆନ୍ଦୋଳନକୁ ସମର୍ଥନ କରି ସାମିଲ ହୋଇଛନ୍ତି । ମଦ ବନ୍ଦ ନହେଲେ ଆଗକୁ ବଡ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ବେଆଇନ ମଦ କାରବାର ବନ୍ଦ ଦାବିକୁ ସ୍ୱାଗତ କରିଥିଲେ ବି ପବିତ୍ରଙ୍କୁ କଟାକ୍ଷ କରିଛନ୍ତି ସ୍ଥାନୀୟ ବିଜେପି ନେତା କୈଳାଶ କୁଲେସିକା । ସେ ଆଗ ମଦ ଦୋକାନରୁ ମାସିକିଆ ବଟି ମାଗିବାରୁ ନିବୃତ ରୁହନ୍ତୁ ବୋଲି କହିଛନ୍ତି । ଏଥିସହ ମଦ ଦୋକାନ ବନ୍ଦ ହେଲେ ସ୍ଥାନୀୟ ବିଧାୟକଙ୍କ କର୍ମୀମାନେ ଚୋରାରେ ମଦ ବିକ୍ରୟ କରିବେ ବୋଲି ଅଭିଯୋଗ କରିଛନ୍ତି ।

କୋରାପୁଟରୁ ଆରମ୍ଭ ହୋଇଥିବା ଏହି ମନ୍ଦ ବନ୍ଦ ଆନ୍ଦୋଳନ ଆଗାମି ଦିନରେ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିବ ବୋଲି କୁହାଯାଉଛି । ତେଣୁ ଆଗକୁ ରାଜ୍ୟ ସରକାର କି ନିଷ୍ପତ୍ତି ନେଉଛନ୍ତି ? ମଦ ବନ୍ଦ ଆନ୍ଦୋଳନ କେଉଁ ରୂପ ନେଉଛି ? ତାହା ଉପରେ ନଜର ।