କନକ ବ୍ୟୁରୋ : ନମନ୍ତି ଫଳିନୋ ବୃକ୍ଷାଃ, ନମନ୍ତି ଗୁଣିନୋ ଜନାଃ... ଅର୍ଥାତ ଅଧିକ ଫଳ ଫଳିଥିବା ଗଛ ଏବଂ ଗୁଣି ଲୋକ ସବୁବେଳେ ନମ୍ରତାର ସହ ନତମସ୍ତକ ହୁଅନ୍ତି ଆଉ ସେମାନଙ୍କ ଆଚାର ବ୍ୟବହାର ସର୍ବଦା ଅନ୍ୟମାନଙ୍କ ଠାରୁ ଭିନ୍ନ ହୋଇଥାଏ । ଯେତେବଡ ବ୍ୟକ୍ତିତ୍ୱ ସେତେ ବଡ ହୃଦୟ, ଆଉ ସବୁବେଳେ ବିଶାଳ ହୃଦୟର ମଣିଷମାନେ ହିଁ ସରଳ ଏବଂ ସାଧାରଣ ଜୀବନଯାପନ କରନ୍ତି । ଠିକ୍ ସେମିତି ଥିଲେ ଧୁରନ୍ଧର ଅର୍ଥନୀତିଜ୍ଞ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ।
୨୦୦୪ରୁ ୨୦୧୪ - ଭାରତର ପ୍ରଧାନମନ୍ତ୍ରୀ ଭାବେ ସେବା କରିଛନ୍ତି ମନମୋହନ ସିଂହ । ଆଉ ଏହି ସମୟରେ ବି ବିଳାସପୂର୍ଣ୍ଣ ଜୀବନଶୈଳୀ ଠାରୁ ଦୂରରେ ରହିଥିଲେ ମନମୋହନ । ଯଦିଓ ପାଖରେ ପ୍ରଧାନମନ୍ତ୍ରୀର କ୍ଷମତା ଥିଲା କିନ୍ତୁ ସେ ଅତି ସାଧାରଣ ଜୀବନ ବିତାଇଥିଲେ । ଆଉ ଆଜି ଯେତେବେଳେ ତାଙ୍କ ବିୟୋଗ ପରର କାହାଣୀ ସାମ୍ନାକୁ ଆସୁଛି ସେତେବେଳେ ଗୋଟି ଗୋଟି ଅଜଣା କଥା ଉପରେ ଆଲୋଚନା ହେଉଛି । ଆଉ ସେହି ଅନାଲୋଚିତ କାହାଣୀ ଭିତରୁ ମନମୋହନଙ୍କ ମାରୁତି କାର ଅନ୍ୟତମ...
ନିଜ ସରଳପଣ, ଶାନ୍ତପଣ ଏବଂ ନମ୍ରପଣ ପାଇଁ ସବୁବେଳେ ସମସ୍ତଙ୍କ ପାଖରେ ଆଦରଣୀୟ ହୋଇ ରହିଥିବା ମନମୋହନ ନିଜେ ବ୍ୟବହାର କରୁଥିବା କାରକୁ ନେଇ ମଧ୍ୟ ବେଶ ଚର୍ଚ୍ଚିତ ଥିଲେ ଆଉ ଡା. ସିଂହଙ୍କ ଦେହାନ୍ତ ପରେ ଅତୀତର ପୃଷ୍ଠା ଓଲଟାଇଛନ୍ତି ପ୍ରଧାନମନ୍ତ୍ରୀ ଥିବା ସମୟରେ ତାଙ୍କ ଅଙ୍ଗରକ୍ଷୀ ଥିବା ଅସୀମ ଅରୁଣ, ଯିଏ ଏବେ ୟୁପିର ମନ୍ତ୍ରୀ ଅଛନ୍ତି । ଅସୀମ ସେଦିନର କଥାକୁ ମନେ ପକାଇ କହିଛନ୍ତି, ମନମୋହନ ସାରଙ୍କର ଗୋଟିଏ ମାତ୍ର କାର୍ ଥିଲା ମାରୁତି ସୁଜୁକି-୮୦୦ । ଯେଉଁଟା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଥିବା ଚକଚକ କଳା ରଙ୍ଗର ବିଏମଡବ୍ଲୁର ପଛରେ ଛିଡା ହେଉଥିଲା । ମନମୋହନ ସାର ମତେ ବାରମ୍ୱାର ମତେ କହୁଥିଲେ- ଅସୀମ, ମତେ ବିଏମଡବ୍ଲୁରେ ଯିବାକୁ ଆଦୌ ଇଚ୍ଛା ନାହିଁ ମୋ ଗାଡି ତ ମାରୁତି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଅନୁରୋଧ ରକ୍ଷା କରି ସେ ବିଏମଡବ୍ଲୁରେ ଯାଉଥିଲେ ସିନା କିନ୍ତୁ ମାରୁତିକୁ କାରକେଡ୍ ବାହାରିବା ବେଳେ ମନଭରି ଦେଖୁଥିଲେ ।
ମନମୋହନଙ୍କ ଏମିତି ଅନ୍ଦାଜ ତାଙ୍କ ସରଳପଣକୁ ବୁଝାଇଦେଉଥିଲା । ଏମିତି ଲାଗୁଥିଲା ମନମୋହନ ମାରୁତିକୁ ଦେଖି ନିଜ ସଂକଳ୍ପ ଏବଂ ଶପଥକୁ ମନେପକାଉଛନ୍ତି ଯେ, ସିଏ ଜଣେ ମଧ୍ୟବିତ୍ତ ଏବଂ ତାଙ୍କୁ ସାଧାରଣ ଲୋକଙ୍କ ପାଇଁ ଚିନ୍ତା କରିବାକୁ ପଡିବ । କୋଟି କୋଟି ଟଙ୍କାର ଦାମୀ ଗାଡି ତ ପ୍ରଧାନମନ୍ତ୍ରୀଙ୍କର... ହେଲେ ମୋ ଗାଡି ତ ଏଇ ମାରୁତି...
ତେବେ ଆଜିକାଲି ନେତାମାନେ ରାଜନୀତିରେ କ୍ଷମତା ପାଇଗଲେ ସଙ୍ଗେସଙ୍ଗେ ବିଳାସମୟ ଜୀବନ ଅତିବାହିତ କରୁଛନ୍ତି । ଦାମୀ ଗାଡି, ବଡ ଘର ଏବଂ ରାଜକୀୟ ଠାଣୀରେ ଜୀବନଶୈଳୀ ବଞ୍ଚୁଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ କିନ୍ତୁ ସାଧାରଣ ମାରୁତି ଗାଡିରେ କାମ ଚଳେଇ ନେଉଥିଲେ । ଯାହା ତାଙ୍କ ମୃତ୍ୟୁ ପରେ ଚର୍ଚ୍ଚାର ବିଷୟ ପାଲଟିଛି ।