କନକ ବ୍ୟୁରୋ: ଧର୍ମାନ୍ତରଣ ଏବଂ ଲଭ୍ ଜିହାଦକୁ ନେଇ ଚାଲିଥିବା ବିବାଦ ଭିତରେ ଆଲ୍ଲାବାଦ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଧର୍ମ ପରିବର୍ତ୍ତନ ବିନା ଅଲଗା ଅଲଗା ଧର୍ମକୁ ମାନୁଥିବା ଲୋକଙ୍କ ଭିତରେ ହୋଇଥିବା ବିବାହ ଅବୈଧ ଅଟେ । ତେବେ କୋର୍ଟଙ୍କ ଏହି ନିଷ୍ପତ୍ତି ଖାସ୍ କରି ଆର୍ଯ୍ୟସମାଜ ଭଳି ସଂସ୍ଥାନକୁ ଆଖି ଆଗରେ ରଖି କରାଯାଇଛି । ଯେଉଁମାନେ କି ଟଙ୍କା ନେଇ ଯେକୌଣସି ବିବାହକୁ ସାର୍ଟିଫିକେଟ୍ ଦେଇ ଦେଉଛନ୍ତି । ଯାହାକି ଆଇନର ଉଲ୍ଲଙ୍ଘନ ଅଟେ ।

Advertisment

ଜଷ୍ଟିସ୍ ପ୍ରଶାନ୍ତ କିଶୋରଙ୍କ ଜଣିକିଆ ଖଣ୍ଡପୀଠ ଏହି ମାମଲାରେ ୟୁପିର ଗୃହ ସଚିବଙ୍କୁ ଆର୍ଯ୍ୟ ସମାଜ ସୋସାଇଟିର ଡିଏସପି ସ୍ତରୀୟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯିଏକି ବିପରୀତ ଧର୍ମର ଲୋକଙ୍କୁ ବିବାହର ପ୍ରମାଣପତ୍ର ଜାରି କରୁଛନ୍ତି ।

କଣ ଥିଲା ପୂରା ମାମଲା?

ତେବେ କୋର୍ଟଙ୍କ ଏ ନିଷ୍ପତ୍ତି ଉତ୍ତରପ୍ରଦେଶର ମହାରାଜଗଞ୍ଜ ଅଞ୍ଚଳ ସହ ଜଡ଼ିତ । ସେଠାକାର ଜଣେ ସୋନୁ ନାମକ ଯୁବକ ବିରୋଧରେ ଜଣେ ନାବାଳିକାକୁ ଅପହରଣ କରିବା ସହ ଦୁଷ୍କର୍ମ କରିବା ନେଇ ଅଭିଯୋଗ ହୋଇଥିଲା । ହେଲେ କୋର୍ଟରେ କୁହାଯାଇଥିଲା ଯେ, ପୀଡ଼ିତା ଏବଂ ଦୁଷ୍କର୍ମକାରୀଙ୍କ ଭିତରେ ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ ହୋଇଛି । ଏହାସହ ବର୍ତ୍ତମାନ ସମୟରେ ପୀଡ଼ିତା ଜଣକ ସାବାଳିକା ଅଟେ । ତେଣୁ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା ।

ଏହାପରେ ସରକାରୀ ଓକିଲ ଏହାର ବିରୋଧ କରିଥିଲେ । ଯୁବକ ଏବଂ ଯୁବତୀ ଉଭୟ ଅଲଗା ଅଲଗା ଧର୍ମର ହୋଇଥିବାବେଳେ, ଧର୍ମ ପରିବର୍ତ୍ତନ ବିନା କରାଯାଇଥିବା ବିବାହ ଅବୈଧ ବୋଲି ସରକାରୀ ଓକିଲ ଯୁକ୍ତି ବାଢ଼ିଥିଲେ । ଏହାପରେ ଦୁଇ ପକ୍ଷର କଥା ଶୁଣିବା ପରେ କୋର୍ଟ ଏହି ଚର୍ଚ୍ଚିତ ନିଷ୍ପତ୍ତି ଶୁଣାଇଥିଲେ ।