କନକ ବ୍ୟୁରୋ: କୁହାଯାଏ, ବିବାହ ପୂର୍ବ ନିର୍ଦ୍ଧାରିତ । ସାତ ଜନ୍ମର ସଂପର୍କ । ପବିତ୍ର ବନ୍ଧନ । ଦୁଇଟି ମନର ମିଳନ । ଆମେ ଅନେକ ସମୟରେ ଦେଖିଛେ, ବିବାହ ରୂପ-ରଙ୍ଗ, ଧନସମ୍ପତି ଦେଖି କରାଯାଏ । ହେଲେ ଏଠି ସେସବୁ ନାହିଁ । ମନ ପଢିପାରିଛି ମନର ଭାଷା । ଅନ୍ୟ ବିବାହ ଠାରୁ ଭିନ୍ନ ବାଲେଶ୍ୱର ଡଗରା ବେଳାଭୂମୀ ସ୍ଥିତ ବାବା ରାମେଶ୍ୱର ମନ୍ଦିରରେ ଅନୁଷ୍ଠିତ ହୋଇଥିବା ବିବାହ ଉତ୍ସବ । ଦିବ୍ୟାଙ୍ଗ ଯୁବତୀଙ୍କ ହାତ ଧରିଛନ୍ତି ଜଣେ ଦିବ୍ୟାଙ୍ଗ ଯୁବକ । ବରବେଶରେ ବେଦୀରେ ବସିଛନ୍ତି ବାଲିଆପାଳ ବ୍ଲକ ଡଗରା ଗାଁର ରାମେଶ୍ୱର ମଣ୍ଡଳଙ୍କ ପୁଅ ସତ୍ୟପ୍ରକାଶ । ତାଙ୍କ କନିଆ ସାଜିଛନ୍ତି ସେହି ଗାଁର ଗଙ୍ଗାଧର ବିଶ୍ୱାଳଙ୍କ ଝିଅ ଲକ୍ଷ୍ମୀପ୍ରୀୟା । 

Advertisment

ସତ୍ୟପ୍ରକାଶ ଘରର ଏକମାତ୍ର ପୁଅ, ଜନ୍ମରୁ ଦିବ୍ୟାଙ୍ଗ । ମେରୁଦଣ୍ଡ ଏବଂ ବେକ ସଳଖି ପାରନ୍ତି ନାହିଁ, ଠିକ୍ ଭାବରେ ଚଲାବୁଲା କରିପାରନ୍ତିନି କି କଥା କହିପାରନ୍ତି ନାହିଁ । ତାଙ୍କ ଜୀବନସାଥୀ ହୋଇଥିବା ଲକ୍ଷ୍ମୀପ୍ରିୟା ମଧ୍ୟ ଭିନ୍ନକ୍ଷମ । ତାଙ୍କର ଗୋଟିଏ ହାତ ନାହିଁ । ଉଭୟଙ୍କ ପରିବାରର ସମ୍ମତି କ୍ରମେ ଦୁଇ ଦିବ୍ୟାଙ୍ଗ ମନ ମିଶିଛି। ଉଭୟ ରାଜି ହୋଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଲକ୍ଷ୍ମୀପ୍ରିୟାଙ୍କ ମଥାରେ ସିନ୍ଦୁର ଦେଇ ମାର୍ଗଶିର ଗୁରୁବାର ଦିନ ଘରକୁ ଆଣିଛନ୍ତି ସତ୍ୟପ୍ରକାଶ ।
  
ଏହି ବିବାହରେ ଉଭୟ ପରିବାର ବେଶ ଖୁସି ଅଛନ୍ତି,ସାହି ପଡିଶ ଏବଂ ଗ୍ରାମବାସୀ ମଧ୍ୟ ନବଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଇବା ସହ ବରିଷ୍ଠମାନେ ଆଶୀର୍ବାଦ କରିଛନ୍ତି । ଉଭୟ ନବଦମ୍ପତି କହିଛନ୍ତି, ଶରୀରକୁ ନେଇ ମନରେ ଟିକିଏବି ଅବଶୋଷ ନାହିଁ । ଯେଉଁଠି ମନର ମିଳନ ହୋଇସାରିଛି ସେଠି ଶରୀର କୌଣସି ବାଧା ସୃଷ୍ଟି କରିପାରିବ ନାହିଁ ।