କନକ ବ୍ୟୁରୋ : ୧୬ ଅଗଷ୍ଟରେ ରାଜ୍ୟର ପୁଲିସ ଅଫିସର ଭାବେ ଦାୟିତ୍ବ ନେଇଥିଲେ ୱାଇ.ବି ଖୁରାନିଆ। ଏବେ ଏକମାସ ବିତିଗଲାଣି । ହେଲେ ଖୁରାନିଆ ଏବେ ବି ତାଙ୍କ ଟିମ ଗଢିପାରିନାହାନ୍ତି । ମାର୍କାମରା ଆଇଏଏସଙ୍କ ପରେ ଏବେ ନଜର ରହିଛି ବିବାଦୀୟ ଆଇପିଏସଙ୍କ ଉପରେ ।  ଅନ୍ୟପକ୍ଷରେ ବର୍ଷ ବର୍ଷ ଧରି ଗୋଟିଏ ଜାଗାରେ ରହିଥିବା ପୁଲିସ ବାବୁମାନେ ବର୍ତମାନ ନୂଆ ସରକାରଙ୍କ ନଜରରେ ଅଛନ୍ତି । ଗୃହ ବିଭାଗର ଅତିରିକ୍ତ ସଚିବ ସନ୍ତୋଷ ବାଲା , ଗୁଇନ୍ଦା ଅଧିକାରୀ ଅନୁପ ସାହୁ, କ୍ରାଇମବ୍ରାଂଚ ଏଡିଜି ଅରୁଣ ବୋଥ୍ରାଙ୍କ ଭଳି କିଛି ଅଧିକାରୀ ଏବେ ଟେନସନରେ । ତେଣୁ ଆଗକୁ ଯେଉଁ ଆଇପିଏସ ସ୍ତରରେ  ଅଦଳବଦଳ ହେବାକୁ ଯାଉଛି , ଏଥିରେ ସେମାନଙ୍କ ପାଳି ପଡିବାକୁ ଯାଉଛି । 

Advertisment

 ଅନ୍ଦରମହଲରୁ ମିଳିଥିବା ସୂଚନା ଅନୁସାରେ ଖୁବଶୀଘ୍ର ଏକ ବଡ ଧରଣର ଅଦବବଦଳ ହେବାକୁ ଯାଉଛି । ଅନେକ ଜିଲ୍ଲାର ଏସପିଙ୍କର ବଦଳି ହେବା ସହ କମିଶନରେଟ ପୁଲିସର ବି ନବକଳେବର ହେବାକୁ ଯାଉଛି ।    

ଅନେକ ଜାଗାରେ ଏସପିଙ୍କ ପୋଷ୍ଟରେ ଅଛନ୍ତି ଡିଆଇଜି ରାଙ୍କର ଅଧିକାରୀ । ରାଉରକେଲାରେ ବ୍ରିଜେଶ ରାୟ, ବ୍ରହ୍ମପୁରରେ ସାର୍ଥକ ଷଡଙ୍ଗୀ, ଅନୁଗୁଳରେ ଉମାଶଙ୍କର ଦାସ, ଖୋର୍ଧାର ଅବିନାଶ କୁମାର ଅଛନ୍ତି । ତେଣୁ ଏଭଭି କିଛି ଅଧିକାରୀଙ୍କୁ ବଡ ଦାୟିତ୍ବ ଦିଆଯାଇପାରେ । 

ଆଉ କିଛି ଦିନ ପରେ  ନୂଆ ସରକାରଙ୍କ ଶହେ ଦିନ ପୂର୍ତ୍ତି ହେବାକୁ ଯାଉଛି ।  ତେଣୁ  ଖୁବଶୀଘ୍ର ଆଇପିଏସ ସ୍ତରରେ ଅଦଳବଦଳ କରି ଆଇନଶୃଙ୍ଖଳା ନେଇ ଭୋଟରଙ୍କୁ ଏକ ବଡ ସନ୍ଦେଶ ଦେବାକୁ ଚାହୁଁଛନ୍ତି ରାଜ୍ୟ ସରକାର ।