କନକ ବ୍ୟୁରୋ : ଅଥଳ ସମୁଦ୍ରର ଅଗାଧ ଜଳରାଶି ଭିତରେ କେଉଁଆଡ଼େ ହଜିଯାଇଛନ୍ତି ଓଡ଼ିଆ ନାବିକ ସାର୍ଥକ ମହାପାତ୍ର। ଗୋଟିଏ ପଟେ ବିଶାଳ ସମୁଦ୍ରର ଲହଡ଼ି ଆଉ ଅନ୍ୟପଟେ ନିଜ ପୁଅକୁ ଫେରି ପାଇବା ପାଇଁ ଏକ ପରିବାରର ଆଖିର ଲୁହ। ଏହି ଦୁଇଟି ଭିତରେ ଏବେ ସମୟ ଯେମିତି ଅଟକି ଯାଇଛି। ୫୫ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସାର୍ଥକଙ୍କର କୌଣସି ପତ୍ତା ମିଳୁନାହିଁ। 

Advertisment

ସାର୍ଥକଙ୍କୁ ଉଦ୍ଧାର କରିବା ପାଇଁ ଆଙ୍ଗ୍ଲୋ ଇଷ୍ଟର୍ଣ୍ଣ କମ୍ପାନି ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଛି । ପ୍ରାୟ ୧୬୯ ନଟିକାଲ୍ ବର୍ଗ ମାଇଲ୍ ପରିମିତ ବିଶାଳ ଅଞ୍ଚଳରେ ଖୋଜାଖୋଜି ଚାଲିଛି । ଏହି ସର୍ଚ୍ଚ ଅପରେସନ୍‌ରେ ୪ଟି ଅତ୍ୟାଧୁନିକ ପାଣି ଜାହାଜ ନିୟୋଜିତ ହୋଇଛି । ଆକାଶମାର୍ଗରୁ ନଜର ରଖିବା ପାଇଁ ବିମାନ ସହାୟତା ନିଆଯାଉଛି । କିନ୍ତୁ ସମୟ ଯେତିକି ଗଡୁଛି, ପରିବାର ଲୋକଙ୍କ ଛାତି ସେତିକି ଧଡ଼ଧଡ଼ ହେଉଛି।

ଅଧିକ ପଢ଼ନ୍ତୁ :  ୩୫୦ରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ଫେରି ମଝି ସମୁଦ୍ରରେ ବୁଡ଼ିଲା

ଫେବ୍ରୁଆରି ୩ ତାରିଖ ସକାଳେ ସାର୍ଥକଙ୍କୁ ଜାହାଜର ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଥିଲା । ସେ ସାଦା ପୋଷାକ ପିନ୍ଧି ହାତରେ ଏକ ଫୋନ୍ ଧରି ଜାହାଜର ‘ଆକମୋଡେସନ୍ ଏରିଆ’ରେ ଥିଲେ। କିନ୍ତୁ ତା’ପରେ ସେ କେଉଁଆଡ଼େ ଅଦୃଶ୍ୟ ହୋଇଗଲେ, ତାହା ରହସ୍ୟ ଘେରରେ। ସେ ନିଜ କେବିନରୁ କେଉଁଆଡ଼େ ଚାଲିଯାଇଛନ୍ତି ବୋଲି କୁହାଯାଉଛି। ମାତ୍ର ଏହି କଥାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକ। 

ଭଦ୍ରକ ବ୍ଲକ କେଶପୁର ଅଞ୍ଚଳର ସାର୍ଥକ ଜଣେ ମେଧାବୀ ଓ ଶାନ୍ତ ସ୍ୱଭାବର ଯୁବକ। ଦୀର୍ଘ ଦିନ ହେଲା ତାଙ୍କ ପରିବାର ଭୁବନେଶ୍ୱରରେ ରହୁଛନ୍ତି । ଗତ ଜୁଲାଇ ୨୦୨୫ରୁ ସେ ମୁମ୍ବାଇର ଏହି ପ୍ରତିଷ୍ଠିତ ସିପ୍ ମ୍ୟାନେଜମେଣ୍ଟ ସଂସ୍ଥାରେ କାମ କରୁଥିଲେ ।  ଜଣେ ଦକ୍ଷ ନାବିକ ହଠାତ୍ ଜାହାଜ ଭିତରୁ କିଭଳି ନିଖୋଜ ହୋଇଯିବେ, ତାହାକୁ ନେଇ ପରିବାର ଲୋକେ ବଡ଼ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି।