କନକ ବ୍ୟୁରୋ :  କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ମୁକୁନ୍ଦପୁରର ଚାଷୀ ମୁନିରାମ ପୁଟେଲ । ଆଗରୁ ସେ ପନିପରିବା ଚାଷ କରୁଥିଲେ । ଉଦ୍ୟାନ କୃଷି ବିଭାଗ ସହାୟତାରେ ୨୦୧୮ ମସିହାରେ ଆରମ୍ଭ କରିଥିଲେ ଗେଣ୍ଡୁଫୁଲ ଚାଷ । ମୁନିରାମ ଓ ତାଙ୍କ ସ୍ତ୍ରୀ  ଗୀତାଞ୍ଜଳି ନିଜ ଘର ପଛପଟେ ଥିବା ୫୦ ଡିସିମିଲ ଜମିରେ ଗେଣ୍ଡୁଫୁଲ ଚାଷ କରିଛନ୍ତି  । ଗେଣ୍ଡୁଫୁଲ ଚାଷରେ କମ୍ ଖର୍ଚ୍ଚ ଓ  କମ୍ ସମୟ ଲାଗୁଥିବା ବେଳେ ଭଲ ଲାଭ ହେଉଛି । ମାସକୁ ୧୦ ହଜାରରୁ ଅଧିକ ହିସାବରେ ମୁନିରାମ  ବର୍ଷକୁ ପ୍ରାୟ ଲକ୍ଷେ ଟଙ୍କା ଆୟ କରୁଛନ୍ତି । 

Advertisment

ବର୍ଷାଋତୁରେ ଭଲ ଗେଣ୍ଡୁଫୁଲ ଫୁଟିଥାଏ । ଲୋକ ବାଡ଼ି ବଗିଚାରେ ଏହି ଫୁଲଗଛ ଲଗାଇଥାନ୍ତି । ବର୍ଷାଋତୁ ପରେ ଆଉ ଭଲ ଫୁଲ ଫୁଟେ ନାହିଁ । କିନ୍ତୁ ମୁନିରାମଙ୍କ ବାଡ଼ିରେ ବର୍ଷ ସାରା ଫୁଲ ଭଲ ଫୁଟୁଛି ଓ ବାଡ଼ି  ପାର୍କ ଭଳି ଲାଗୁଛି । ଭବାନୀପାଟଣା, ଜୁନାଗଡ଼ ଓ ଧର୍ମଗଡ଼ର ଫୁଲ ଦୋକାନୀ ତାଙ୍କଠାରୁ ଫୁଲ କିଣି ବିକ୍ରି କରୁଛନ୍ତି । ଗେଣ୍ଡୁଫୁଲ ପନିପରିବାଠାରୁ ଅଧିକ ଦାମରେ ବିକ୍ରି ହେଉଛି । କେଜି ପ୍ରତି ଦାମ୍ ୬୦ ଟଙ୍କା । ମୁନିରାମ ଏହି ଚାଷ ପାଇଁ ସକାଳେ ତିନି ଘଣ୍ଟା ଓ ଅପରାହ୍ନରେ ତିନି ଘଣ୍ଟା ସମୟ ଦେଇଥାନ୍ତି । ଗୋଟିଏ ଗେଣ୍ଡୁଫୁଲ ଗଛ ୬ ମାସ ବଞ୍ଚେ। ଏଥିରୁ ୫ - ୬ କେଜି ଫୁଲ ଫୁଟିଥାଏ ।

ଯେକୌଣସି ଚାଷ ହେଉନା କାହିଁକି,  ମନ ଲଗାଇ ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳିଥାଏ। ମୁକୁନ୍ଦପୁରର ଚାଷୀ ମୁନିରାମ ପୁଟେଲ ଏହା କରି ଦେଖାଇଛନ୍ତି ।