କନକ ବ୍ୟୁରୋ : ସୁନ୍ଦରଗଡ଼ କେବଲାଙ୍ଗ ଥାନା ଅନ୍ତର୍ଗତ ସିଲିକୁଟା ସଂରକ୍ଷିତ ଜଙ୍ଗଲରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଆହତ ଯବାନ ସହିଦ। ଶନିବାର ଭୋରରେ ଜଙ୍ଗଲରେ ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଆହତ ସିଆର୍‌ପିଏଫ୍ ଯବାନ ସତୱନ୍ତ ସିଂ ସହିଦ ହୋଇଛନ୍ତି । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଜଙ୍ଗଲରୁ ଏୟାରଲିଫ୍ଟ କରାଯାଇ ରାଉରକେଲାକୁ ଅଣାଯାଇଥିଲା । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେ ଆଖିବୁଜିଥିବା ସିଆର୍‌ପିଏଫ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସହିଦ ଯବାନ ସତୱନ୍ତ ସିଂଙ୍କ ଘର ଉତ୍ତରପ୍ରଦେଶ ଓ ସେ ସିଆରପିଏଫ ୧୩୪ନମ୍ୱର ବାଟାଲିୟନରେ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ । 

Advertisment

ଆହତ ଯବାନଙ୍କ ମୃତ୍ୟୁ ଖବର ଶୁଣି ଅପରେସନକୁ ସ୍ଥଗିତ ରଖି ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି ସୁରକ୍ଷା ବାହିନୀ । ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନରେ ସାମିଲ ସମସ୍ତ ଯବାନ କ୍ୟାମ୍ପକୁ ଫେରିଆସିଥିବା ସୂଚନା ମିଳିଛି । ଆଗକୁ ନୂଆ ରଣନୀତି ସହ ପୂର୍ବ ଅପେକ୍ଷା ଦୁର୍ବଳ ହୋଇପଡିଥିଲା ଲାଲବାହିନୀ ଉପରେ ଘାତକ ଆକ୍ରମଣ କରିବାକୁ ଯୋଜନା ଚାଲିଛି । 

ମୃତ୍ୟୁର ଫାଶ ବିଛାଇଛନ୍ତି ମାଓବାଦୀ  
ମେ ୨୭- ୫ ଟନ ବିସ୍ଫୋରକ ଲୁଟ କରିଥିଲେ ମାଓବାଦୀ
ମେ ୨୭- ରାତିରୁ ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ
ମେ ୩୦- ଲ୍ୟାଣ୍ଡମାଇନ ବିସ୍ଫୋରଣରେ କୋବ୍ରା ବାଟାଲିୟନର ଯବାନ ଆହତ 
ମେ ୩୧- ସ୍ଥାନୀୟ ଅଞ୍ଚଳର ଜଣେ ଯବାନ ଆହତ 
ଜୁନ ୧୪- ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସିଆରପିଏଫ ଯବାନ ସହିଦ

ବାଙ୍କୋ ଅଞ୍ଚଳରୁ ବିସ୍ଫୋରକ ଲୁଟ ପରେ ମାଓବାଦୀଙ୍କ ପଛରେ ପଡ଼ିଯାଇଛନ୍ତି ସୁରକ୍ଷାକର୍ମୀ। ଆଉ ଯବାନଙ୍କୁ ଟାର୍ଗେଟ କରି ଜଙ୍ଗଲରେ ଲ୍ୟାଣ୍ଡ ମାଇନ, ଆଇଇଡି ବିଛାଇଛନ୍ତି ନକ୍ସଲ।