କନକ ବ୍ୟୁରୋ: କେ.ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର ଖଣିକୁ ସୁନ୍ଦରଗଡ଼ ବଡ଼ଗାଁରୁ ଆସୁଥିବା ବିସ୍ଫୋରକ ବୋଝେଇ ଗାଡ଼ି ଲୁଟ୍ ହୋଇଛି । ଗାଡ଼ିରେ ପ୍ରାୟ ୪ ଟନ୍ ବିସ୍ଫୋରକ ରହିଥିଲା । ଯାହାର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ହେବ । ଗାଡ଼ିକୁ ୩୦ରୁ ୪୦ ଜଣ ଲୁଟିଥିବା କୁହାଯାଉଥିବାବେଳେ ସେମାନେ ମାଓବାଦୀ ହୋଇଥିବା ସନ୍ଦେହ କରାଯାଉଛି । ପୁଲିସ ଓ ସିଆର୍ପିଏଫ୍ର ମିଳିତ ଅଭିଯାନ ଯୋଗୁଁ ପ୍ରାୟ ୭ ଘଣ୍ଟା ପରେ ସରଣ୍ଡା ଜଙ୍ଗଲରେ ଗାଡ଼ି ଠାବ ହୋଇଥିବା ବେଳେ ବିସ୍ଫୋରକ ଲୁଟି ନେଇଛନ୍ତି ।
ବଡ଼ଗାଁରୁ ବିସ୍ଫୋରକ ବୋଝେଇ ଏକ ୪୦୭ ଗାଡ଼ି ଝାଡ଼ଖଣ୍ଡ-ଓଡ଼ିଶା ସୀମାନ୍ତ ବାଙ୍କୋ ଖଣି ଅଭିମୁଖେ ବାହାରିଥିଲା । ଖଣିରେ ପହଞ୍ଚିବାକୁ ଆଉ ଅଳ୍ପ ଦୂର ଥିବାବେଳେ ମଧ୍ୟାହ୍ନ ପ୍ରାୟ ୧୨ଟା ପାଖାପାଖି ୩୦ରୁ ଅଧିକ ଅଜ୍ଞାତ ବ୍ୟକ୍ତି ଗାଡ଼ିକୁ ଘେରି ଯାଇଥିଲେ । ଏହାପରେ ସେମାନେ ଗାଡ଼ି ସହ ବିସ୍ଫୋରକକୁ ଲୁଟି ନେଇଥିଲେ । ଖଣି କର୍ତ୍ତୃପକ୍ଷଙ୍କଠାରୁ ଖବର ପାଇ ପୁଲିସ ଗୋଟିଏ ଟିମ୍ ଗଠନ କରି ଛାନଭିନ ଆରମ୍ଭ କରିଥିଲା । ଏହାପରେ ପୁଲିସ ଓ ସିଆର୍ପିଏଫ୍ ଟିମ୍ ସରଣ୍ଡା ଜଙ୍ଗଲରେ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ ।
ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳକୁ ସରଣ୍ଡା ଜଙ୍ଗଲରେ ଗାଡ଼ିର ସନ୍ଧାନ ମିଳିଥିଲା । ତେବେ ସେଥିରେ ବୋଝେଇ ହୋଇଥିବା ବିସ୍ଫୋରକ ଲୁଟ୍ ହୋଇଯାଇଥିଲା । ଘଟଣାସ୍ଥଳରୁ ଗାଡ଼ିର ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି । ବିସ୍ଫୋରକ ଥିବା ପେଟିଗୁଡ଼ିକୁ ଦୁର୍ବୃତ୍ତମାନେ ବୋହି ନେଇଥିବା ଜଣାପଡ଼ିଛି । କେ.ବଲାଙ୍ଗ ଥାନା ଅନ୍ତର୍ଗତ ଜଙ୍ଗଲରେ କିଛିଦିନ ଧରି ମାଓ ବିରୋଧୀ ଅପରେସନ୍ ଜାରି ରହିଛି । ତେଣୁ ମାଓବାଦୀମାନେ ବିସ୍ଫୋରକ ଲୁଟି ନେଇଥିବା ସନ୍ଦେହ କରାଯାଉଛି । ଅନ୍ୟପକ୍ଷରେ ମଙ୍ଗଳବାର ଅପରାହ୍ନରେ ବିସ୍ଫୋରକ ବୋଝେଇ ଗାଡ଼ିକୁ ଲୁଟ୍ ପରେ ଜରେଇକେଲା ସୀମାନ୍ତରେ ଝାଡ଼ଖଣ୍ଡ ପୁଲିସ ତରଫରୁ ହାଇଆଲର୍ଟ ଜାରି ହୋଇଛି । ସରଣ୍ଡା ଜଙ୍ଗଲରେ ଥିବା ଦୀଘା, ଥାଲକୋବାଦ, ଛୋଟାନାଗରା, ବରାଇବୁରୁ ସିଆର୍ପିଏଫ୍ କ୍ୟାମ୍ପ ତରଫରୁ ମଧ୍ୟ ପାଟ୍ରୋଲିଂ ଆରମ୍ଭ ହୋଇଛି ।