କନକ ବ୍ୟୁରୋ: ବିସ୍ଫୋରକ ସାମଗ୍ରୀ ଲୁଟିବାକୁ ସପ୍ତାହେ ହେଲାଣି, ଏଯାଏଁ ଚୋରାମାଲ ମିଳିପାରିନି । ମାଓବାଦୀଙ୍କ ପାଖରେ କେତେ ଟନ୍ ବାରୁଦ ଅଛି ଜାଣିବା ମୁସ୍କିଲ୍ । ଏସବୁ ଭିତରେ ଶ୍ରବଣର ଭୂମିକାକୁ ନେଇ ସନ୍ଦେହ ଉଠିଛି । ମାଓ ଲିଙ୍କ୍ ନେଇ ଖୋଳତାଡ଼ ହୋଇଛି । ବେଆଇନ ବାରୁଦ କାରବାରର ବି ଛାନଭିନ୍ ଚାଲିଛି । ତେବେ ଖଣି ବେପାର କେବଳ ସୁନ୍ଦରଗଡ଼ରେ ସୀମିତ ନ ଥିବାରୁ, ବାରୁଦଗଦାରେ ଓଡ଼ିଶା ଥିବା ଆଲୋଚନା ଆରମ୍ଭ ହୋଇଛି ।
ସୁନ୍ଦରଗଡ଼ରୁ ମିଳିଲା ବାରୁଦ, ହେଲେ ନିଆଁ ବ୍ୟାପିଲାଣି ସାରା ରାଜ୍ୟକୁ । ଆଖି ଆଢୁଆଳରେ କେମିତି ଚାଲିଛି ବେଧଡ଼କ ବାରୁଦ ବେପାର, ତା’ର ଆରମ୍ଭ ହୋଇଛି ଖୋଳତାଡ଼ । ଆଉ ଖୋଜା ଯାଉଛି, କିଏ ସେହି ବାହୁବଳୀ ବାରୁଦ ବେପାରୀ? କାହା ପାଖରେ ବନ୍ଧାପଡ଼ିଛି ବିସ୍ଫୋରକ ଆଇନ? ବାରୁଦ ଗଦାରେ ଅଛି କି ଓଡ଼ିଶା? ସୁନ୍ଦରଗଡ଼ରୁ ବାରୁଦ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ପରେ ଏ ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରିଛି ।
- ଘଞ୍ଚ ଜଙ୍ଗଲରେ ଗୋଦାମ
- ଜିଲ୍ଲା ବାହାରକୁ ଚାଲାଣ
ନିୟମ ମାନିବାକୁ ନାରାଜ । ବିସ୍ଫୋରକ ଆଇନର ଧଜ୍ଜିଆ ଉଡୁଛି । ସୁନ୍ଦରଗଡ଼ର ଶ୍ରବଣ ଅଗ୍ରୱାଲଙ୍କ ଗୋଦାମରୁ ୪ ଟନ୍ ବିସ୍ଫୋରକ ମାଓବାଦୀ ଲୁଟି ନେଇଥିବା ଅଭିଯୋଗ ହେଲା । ହେଲେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ଶ୍ରବଣଙ୍କ କଳାଧନ୍ଦାର ଠିକଣା ପାଇଛି ପୁଲିସ । ଗୋଦାମ ସିଲ୍ ଥାଇ ବି ବାବୁ ହାଇଦ୍ରାବାଦରୁ ମଗାଇଥିଲେ ଆଉ ୧୫ ହଜାର କିଲୋ ବାରୁଦ । ଯାହା ଗୋଦାମରେ ପହଞ୍ଚିବା ଆଗରୁ ପୁଲିସ ମାଡ଼ିବସିଛି । ଖାଲି ସେତିକି ନୁହେଁ, ସେହି ସମାନ ମାଲିକ ଶ୍ରବଣଙ୍କ ଗାଡ଼ିରୁ ରଘୁନାଥପଲ୍ଲୀ ଥାନା ଦେଓଗାଁ ସାରୁଅଟୋଲା ପାଖରୁ ୩୦୦ ପେଟି ମେଗା ପ୍ରାଇମ୍ ବ୍ରାଣ୍ଡ ବିସ୍ଫୋରକ ଜବତ ହୋଇଛି ।
- କ’ଣ ହୋଇଥାନ୍ତା ଏତେ ବିସ୍ଫୋରକ?
- ମାଓବାଦୀଙ୍କୁ ଯୋଗାଉଥିଲେ କି ବାରୁଦ?
- ମାଓ ଲିଙ୍କ୍ କଥା ଭୁଲିଗଲା କି ପୁଲିସ?
ମାଓବାଦୀ ବିସ୍ଫୋରକ ଲୁଟିନେବା ପରେ ଏତେ କଥା ସାମ୍ନାକୁ ଆସିଲା । କିନ୍ତୁ ସେହି ମାଓ ଅପରେସନ୍ କେତେ ବାଟ ଗଲା କେହି କହୁନାହାନ୍ତି । ମାଓବାଦୀଙ୍କ ସହ ଗୁଳି ବିନିମୟରେ ଦିନକ ତଳେ ଯବାନ ଆହତ ହୋଇଥିଲେ । ମାଟିତଳୁ ଚୋରା ବିସ୍ଫୋରକ ସାମଗ୍ରୀ ଜବତ ହେଲା, କିନ୍ତୁ ମାଓବାଦୀ ଖସିଗଲେ । ଏମିତି କି ମାଓବାଦୀଙ୍କ ପାଖରେ ଏବେ କେତେ ପରିମାଣର ବିସ୍ଫୋରକ ରହିଛି, ତାହା କେହି ଜାଣନ୍ତି ନାହିଁ । ହେଲେ କୁହାଯାଉଛି, ସେମାନଙ୍କ ପାଖରେ ଯେତିକି ବାରୁଦ ରହିଛି, ସେତିକିରେ ଅଧା ଓଡ଼ିଶା ଉଡ଼ିଯିବ । ତେବେ ଏକା ଶ୍ରବଣ ନା ଏମିତି ଆହୁରି ଅଛନ୍ତି, ତାହା ଜାଣିବା ଜରୁରୀ ହୋଇଛି ।