କନକ ବ୍ୟୁରୋ : ଛତିଶଗଡ଼ ଥୁଲଥୁବ ଏନକାଉଣ୍ଟରରେ ୩୧ ନୁହେଁ ୩୫ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଏନେଇ ସ୍ପଷ୍ଟୀକରଣ ରଖିଛି ମାଓ ସଙ୍ଗଠନ । ଚଳିତ ବର୍ଷ ଛତିଶଗଡ଼ରେ ସର୍ବାଧିକ ୧୮୮ ମାଓବାଦୀଙ୍କୁ ଏନକାଉଣ୍ଟର କରିବାରେ ସଫଳ ହୋଇଛନ୍ତି ଯବାନ । ଏବେ ମଧ୍ୟ ଓଡିଶା ସୀମାରେ ସକ୍ରୀୟ ଅଛନ୍ତି ମାଓବାଦୀ । ଯାହା ମାଓବାଦୀଙ୍କ ପ୍ରେସ ବିଜ୍ଞପ୍ତିରୁ ଅନୁମାନ କରାଯାଉଛି ।

Advertisment

ଅକ୍ଟୋବର ୪ରେ ଛତିଶଗଡ ମାଓ ଇତିହାସର ସବୁ ଠାରୁ ବଡ ମାଓ ଅପରେଶନ କରିଥିଲେ ଯବାନ । ଦାନ୍ତେୱାଡା ଓ ନାରାୟଣପୁର ସୀମାବର୍ତ୍ତି ଥୁଲଥୁଲି ଘଞ୍ଚ ଜଙ୍ଗଲରୁ ୩୧ ମାଓବାଦୀଙ୍କ ଶବ ଉଦ୍ଧାର କରି ଫେରିଥିଲେ ଯବାନ । ସେହି ଏନକାଉଣ୍ଟରକୁ ନେଇ ପ୍ରେସ ବିଜ୍ଞପ୍ତି ଜାରି କରିଛି ମାଓ ସଙ୍ଗଠନ । କହିଛି, ଏନକାଉଣ୍ଟରରେ ୩୧ ନୁହେଁ ୩୫ ମାଓବାଦୀ ମୃତ୍ୟୁ ହୋଇଛି । ଲାଲବାହିନୀଙ୍କ ରୋଲକଲ୍ ସମୟରେ କ୍ୟାମ୍ପକୁ ଘେରି ଯାଇଥିଲେ ଯବାନ ।

ପ୍ରାୟ ୭୨ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ମାଓ ଅପରେଶନ । ଉଭୟ ପକ୍ଷରୁ ହୋଇଥିଲା ଗୁଳି ବିନିମୟରେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ୨୫ ଲକ୍ଷ ମୁଣ୍ଡ ଜାମିନ ଥିବା ମାଓ ନେତ୍ରୀ ନିତି ଓରଫ ଉର୍ମିଲାଙ୍କ ମୃତ୍ୟ ହୋଇଛି । ଏହାସହ ଛତିଶଗଡର କିଛି ଟପ୍ ମାଓନେତା ମଧ୍ୟ ପ୍ରାଣ ହରାଇଛନ୍ତି । ଅମାବାସ୍ୟା ରାତିରେ ମାଓବାଦୀଙ୍କ ସହ ଟକ୍କର ଦେବା ବଡ ଚ୍ୟାଲେଞ୍ଜ ଥିଲା ବୋଲି କହିଛନ୍ତି ଦାନ୍ତେୱାଡା ଏସପି ।

ପୂର୍ବ ବସ୍ତର ଡିଭିଜନର ବ୍ୟାପକ କ୍ଷତି କମ୍ପାନୀ ନଂ ୬ର ମୂଳପୋଛ ! ଏହି ଏନକାଉଣ୍ଟରରେ ଆମଦେଇ, ବୟାନାର, ବାରସୁ ଆଞ୍ଚଳିକ କମିଟିର ବଡ଼ ବଡ଼ କମାଣ୍ଡର ମୃତ୍ୟୁ ବରଣ କରିଥିବା ବେଳ ପୁର୍ବ ବସ୍ତର ଡିଭିଜନ ଦୁର୍ବଳ ହୋଇଛି । ଓଡିଶା ସୀମାକୁ ଲାଗି ଥିବା ଦକ୍ଷିଣ ଓ ଉତ୍ତର ବସ୍ତର ଡିଭିଜନ ସହ ଦରଭା ଡିଭିଜନକୁ ନେଇ ଓଡିଶା ପ୍ରତି ବିପଦ କିନ୍ତୁ ଟଳିନାହିଁ ।