କନକ ବ୍ୟୁରୋ : ସୁରକ୍ଷାବାହିନୀର କ୍ରମାଗତ ଅଭିଯାନ ସରଣ୍ଡା ଜଙ୍ଗଲରେ ଥିବା ମାଓବାଦୀ ଶିବିରକୁ ଏକପ୍ରକାର ଦୋହଲାଇ ଦେଇଛି । ସଙ୍ଗଠନକୁ ବଞ୍ଚାଇ ରଖିବା ଲାଗି ବରିଷ୍ଠ ମାଓନେତାଙ୍କ ପକ୍ଷରୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲିଥିବାବେଳେ ନାବାଳକ, ନାବାଳିକାଙ୍କୁ ସଙ୍ଗଠନରେ ସାମିଲ କରାଯାଉଛି । ସଙ୍ଗଠନ ପକ୍ଷରୁ ଏହି ତାଲିମ କେନ୍ଦ୍ରର ଫଟୋ ସାମ୍ନାକୁ ଆସିଛି । ଘଞ୍ଚଜଙ୍ଗଲରେ ମାଓବାଦୀଙ୍କୁ ତାଲିମ ଦିଆଯିବାର ଦୃଶ୍ୟ ଫଟୋରେ ଦେଖିବାକୁ ମିଳିଛି । ଗୁଇନ୍ଦାସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ତାଲିମ ନେଉଥିବା ସଦସ୍ୟଙ୍କ ମଧ୍ୟରେ ପ୍ରାୟ ନାବାଳକ । ବର୍ତ୍ତମାନ ସରଣ୍ଡାରେ ସକ୍ରିୟ ମାଓ ସଂଗଠନରେ ୧୫ରୁ ୧୭ ବର୍ଷ ବୟସର ଶତାଧିକ ନାବାଳକ, ନାବାଳିକା ରହିଛନ୍ତି ।
ସେ ସମସ୍ତଙ୍କୁ ୨ରୁ ୩ମାସ ଗରିଲା ଯୁଦ୍ଧ ସଂପର୍କରେ ତାଲିମ୍ ଦିଆଯାଇଛି । ସଙ୍ଗଠନରେ ନିଯୁକ୍ତି ଦେବା ପାଇଁ ସରଣ୍ଡାର ବିଟକିଲସୋଆ, ଥୋଲକୋବାଦ ଜଙ୍ଗଲରେ ମାଓବାଦୀମାନଙ୍କ ଦ୍ୱାରା ପ୍ରାୟ ସମୟରେ ତାଲିମ ଶିବିର ଆୟୋଜିତ ହୋଇଆସୁଛି । ମାଓବାଦୀ ସଙ୍ଗଠନରେ ଯୋଗ ଦେବା ପୂର୍ବରୁ ଯେ କୌଣସି ସଦସ୍ୟଙ୍କୁ ଜନମିଲିସିଆ ସ୍କ୍ୱାଡ୍ରେ ଯୋଗ ଦେବାକୁ ପଡ଼ିଥାଏ । ସଙ୍ଗଠନକୁ ପୁଲିସବାହିନୀର ଗତିବିଧି ବିଷୟରେ ସୂଚନାଦେବା, ସଙ୍ଗଠନ ପାଇଁ ରାସନ୍, ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ଉପଲବ୍ଧ କରାଇବା ହେଉଛି ମିଲିସିଆ ସ୍କ୍ୱାଡ୍ର କାମ । ଏହା ପରେ ମିଲିସିଆ ସ୍କ୍ୱାଡ୍କୁ ଦୁଇତିନି ମାସ ପାଇଁ ତାଲିମ୍ ଦିଆଯାଏ । ଏହି ସମୟରେ ସ୍କ୍ୱାଡ୍କୁ ୨୦ ଦିନ ପାଇଁ ଦିନକୁ ୩୦ ମିନିଟ୍ ଲେଖାଏଁ ଶାରୀରିକ କୌଶଳ ଶିକ୍ଷା ଦିଆଯାଏ । ୨୦ ଦିନ ପରେ ସ୍କ୍ୱାଡ୍କୁ ଅସ୍ତ୍ରଶସ୍ତ୍ର ଚାଳନା ଓ ଲ୍ୟାଣ୍ଡମାଇନ୍ ଖଞ୍ଜିବାର ତାଲିମ୍ ଦିଆଯାଇଥାଏ ।
ବର୍ତ୍ତମାନ ସରଣ୍ଡା ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରୁଥିବା ପ୍ରାୟ ସମସ୍ତ ନକ୍ସଲ ସଦସ୍ୟଙ୍କ ବୟସ ୧୫ରୁ ୧୭ ବର୍ଷ ମଧ୍ୟରେ ରହିଛି । ସେମାନଙ୍କ ବୟସ କମ୍ ଥିବାରୁ ଯବାନମାନେ ସେମାନଙ୍କ ପ୍ରତି ଧ୍ୟାନ ଦିଅନ୍ତି ନାହିଁ, ବରଂ କିଛିମାତ୍ରାରେ ସମ୍ବେଦନଶୀଳ ହୋଇଥାନ୍ତି । ଏହାର ଲାଭ ଉଠାଇ ସେମାନେ ସହଜରେ ଆଇଇଡି, ଲ୍ୟାଣ୍ଡମାଇନ୍ ବିସ୍ଫୋରଣର ସୁଯୋଗ ପାଆନ୍ତି । ଅଧିକାଂଶ ସମୟରେ ବୋମା ଲଗାଇବାର ଦାୟିତ୍ୱ ଗରିଲା ତାଲିମ ନେଇଥିବା ନାବାଳକଙ୍କୁ ଦିଆଯାଇଥାଏ । ଅନ୍ୟପକ୍ଷରେ ତାଲିମ ନେଇଥିବା ଯୁବତୀମାନଙ୍କର ପ୍ରଥମ କାମ ହେଉଛି ବାର୍ଷିକ ନକ୍ସଲ କାର୍ଯ୍ୟକ୍ରମଗୁଡ଼ିକୁ ସଫଳ କରାଇବା ।