କନକ ବ୍ୟୁରୋ : ମାଓମୁକ୍ତ ଭାରତ ଅଭିଯାନରେ ନିରନ୍ତର ଆଗକୁ ଚାଲିଛନ୍ତି ବୀର ଯବାନ । କେବେ ଏନକାଉଣ୍ଟର ତ କେବେ ମାଓବାଦୀଙ୍କ ଆତ୍ମସମର୍ପଣ । ଆଉ କେବେ ମାଓବାଦୀ ଗିରଫ । ତେଲେଙ୍ଗାନା ପୁଲିସ ଆଜି ୨୦ ଜଣ ମାଓବାଦୀଙ୍କୁ ଗିରଫ କରିବା ସହ ବିପୁଳ ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରିଛି । ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନ ଫଳରେ ଏହା ମଧ୍ୟରେ ମାଓପ୍ରବଣ ରାଜ୍ୟ ସଂଖ୍ୟା ୯ରୁ ୭କୁ ଖସିଛି । ୨୦୧୪ରେ ଦେଶରେ ମୋଟ୍ ୧୨୬ଟି ମାଓ ଉପଦ୍ରୁତ ଜିଲ୍ଲା ଥିଲା । ଏବେ ତାହା ୧୮କୁ ଖସିଛି । ଦେଶର ୩୫ଟି ଅତି ମାଓପ୍ରବଣ ଜିଲ୍ଲା ଥିଲା । ଏବେ ୬କୁ ଖସିଛି । ଗତ ୪ ମାସରେ ଦେଶରେ ୧୯୭ ମାଓବାଦୀ ନିପାତ ହୋଇଛନ୍ତି । ଗତ ୪ ମାସରେ ୭୧୮ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଯାହାକି ଯବାନଙ୍କ ମନୋବଳ ବଢ଼ାଇଛି ।
୨୦୧୪ ସୁଦ୍ଧା ଦେଶରେ ୮୬ଟି ଦୁର୍ଗୀକରଣ ଥାନା ଥିଲା । ଏବେ ତାହା ୫୫୫ରେ ପହଞ୍ଚିଛି । ୨୦୧୯ରୁ ୨୦୧୫ ମଧ୍ୟରେ ଦେଶର ଅତି ମାଓପ୍ରବଣ ଅଞ୍ଚଳରେ ୩୨୦ଟି ନୂଆ ଅର୍ଦ୍ଧ ସାମରିକ ବାହିନୀ ଶିବିର ସ୍ଥାପନ ହୋଇଥିଲା । ସେଥିରେ ୧୬ଟି ନାଇଟ୍ ଲ୍ୟାଣ୍ଡିଂ ହେଲିପ୍ୟାଡ୍ ନିର୍ମାଣ କରାଯାଇଛି । ଏନଆଇଏ ସହ ବିଭିନ୍ନ ରାଜ୍ୟର ଗୁଇନ୍ଦା ଓ ପୁଲିସ ମଧ୍ୟରେ ସମନ୍ୱୟ ରକ୍ଷାକୁ ଗୁରୁତ୍ୱ ଦିଆ ଯାଉଛି । ଓଡ଼ିଶାରେ ମଧ୍ୟ ମାଓ ସମସ୍ୟା କମୁଥିବା ବେଳେ କନ୍ଧମାଳ, କଳାହାଣ୍ଡି ଓ ମାଲକାନଗିରିକୁ ଉଦବେଗପୂର୍ଣ୍ଣ ଜିଲ୍ଲା ତାଲିକାରେ ରଖାଯାଇଛି ।
୨୦୧୪ ମସିହାରେ ୮୮ ଯବାନ ସହିଦ ହୋଇଥିବା ବେଳେ ୨୦୨୪ରେ ୧୯ ଜଣ ସହିଦ ହୋଇଛନ୍ତି । ୨୦୧୦ରେ ୭୨୦ ସାଧାରଣ ନାଗରିକ ମାଓ ହିଂସାରେ ପ୍ରାଣ ହରାଇ ଥିଲେ। ୨୦୧୪ରେ ୨୨୨ ଏବଂ ୨୦୨୪ରେ ଏହା ୧୨୧କୁ କମିଛି ।