କନକବ୍ୟୁରୋ : ମାଓ ଇତିହାସରେ ପ୍ରଥମ ।  ଏକାଥରକେ ୨୧୦ ମାଓବାଦୀ ଅସ୍ତ୍ର ତ୍ୟାଗ କରି ଦେଶର ସମ୍ବିଧାନକୁ ଆପଣାଇଛନ୍ତି  ।   ଲାଲବାହିନୀର ନିୟମ ନୁହେଁ ଏଣିକି ସମ୍ବିଧାନର ନିୟମ ଅନୁଯାୟୀ ବଞ୍ଚିବେ, ସମାଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବେ ।  ଛତିଶଗଡ଼ରେ ଏତେ ସଂଖ୍ୟକ ମାଓବାଦୀଙ୍କ ଆତ୍ମସମର୍ପଣ ମାର୍ଚ୍ଚ ୨୦୨୬ ସୁଦ୍ଧା ମାଓମୁକ୍ତ ଭାରତ ସଂକଳ୍ପକୁ ଆହୁରି ଦୃଢ଼ କରିଛି  । 

Advertisment

ଯେଉଁ ହାତ ମଣିଷ ରକ୍ତରେ ଲାଲ ହେଉଥିଲା, ସେହି ହାତ ଆଜି ଲାଲ ରଙ୍ଗର ଗୋଲାପ ଧରିଛି ।  ହିଂସା, ହତ୍ୟା, ହଣାକଟାରୁ ନିଜକୁ ଦୂରେଇ ଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସମ୍ବିଧାନ ଧରି ଶପଥ ନେଇଛନ୍ତି ।   ଜଣେ କି ଦୁଇଜଣ ନୁହେଁ ମାଓ ଇତିହାସରେ ସର୍ବାଧିକ ୨୧୦ ଜଣ ମାଓବାଦୀ ଏକକାଳୀନ ଆତ୍ମସର୍ମପଣ କରିଛନ୍ତି ।  ଜଗଦଲପୁର ଠାରେ ପୁଲିସ ଡିଜି ଓ ବରିଷ୍ଠ ଅଧିକାରଙ୍କ ନିକଟରେ ଅସ୍ତ୍ର ତ୍ୟାଗ କରିଛନ୍ତି ଏହି ମାଓବାଦୀ ।  

ଯେଉଁଥିରେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ମୁଖ୍ୟ ରୂପେଶ ,ଉତ୍ତର ବସ୍ତର ଡିଭିଜନ ମୁଖ୍ୟ ରାଜମନ,  ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ଶିବପ୍ରସାଦ ଭଳି ହାର୍ଡକୋର ମାଓବାଦୀ ରହିଛନ୍ତି ।  ଆତ୍ମସର୍ମପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୯୮ ଜଣ ମହିଳା କ୍ୟାଡର ରହିଛନ୍ତି । ଗତ ୩ ଦିନ ମଧ୍ୟରେ ଗଡଚିରୋଲୀ, ସୁକମା ଓ ଜଗଦଲପୁରରେ ୨୯୮ ମାଓବାଦୀଙ୍କ ଆତ୍ମସମର୍ପଣ କଲେଣି ।

 ସୁରକ୍ଷାକର୍ମୀଙ୍କ ଘନ ଘନ ଅପରେସନ ମାଓ ଶିବିରରେ ଛନକା ଭରିଛି। ଆତ୍ମସମର୍ପଣ ନକଲେ ଏନ୍‌କାଉଣ୍ଟରର ଭୟ ରହୁଥିବାରୁ ମାଓବାଦୀ ମାନେ ଏବେ ଛତ୍ରଭଙ୍ଗ ଦେବା ଆରମ୍ଭ କରିଛନ୍ତି ।  ଆଜି ୨୧୦ ମାଓବାଦୀଙ୍କ ଆତ୍ମସମର୍ପଣ ପରେ ଉତ୍ତର-ପଶ୍ଚିମ ଡିଭିଜନ୍‌ ସମ୍ପୂର୍ଣ୍ଣ ମୂଳପୋଛ ହୋଇଯାଇଛି ।  ଆଗକୁ ଏହି ଧାରା ଜାରି ରହିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ ପୁଲିସ ଡିଜି ।