କନକ ବ୍ୟୁରୋ: ସମ୍ବଲପୁର ଜିଲ୍ଲାରେ ପୁଣି ମାଓ ଗତିବିଧି ଆରମ୍ଭ ହୋଇଛି । ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡ ସୀମାରେ ମାଓ ଦମନ କାର୍ଯ୍ୟକ୍ରମ ଚାଲିଛି । ତେଣୁ ସେମାନେ ଓଡ଼ିଶା ଭିତରକୁ ଚାଲି ଆସିଥିବା ଅନୁମାନ କରାଯାଉଛି । ଛତିଶଗଡ଼ରୁ ନୂଆପଡ଼ା ଜଙ୍ଗଲରେ ପଶି ବଲାଙ୍ଗୀର ପାଟଣାଗଡ଼ ଦେଇ ସୋନପୁର ଆସିଥିବା ଅନୁମାନ କରାଯାଉଛି । ୨ ଦିନ ହେଲାଣି ମାଓବାଦୀଙ୍କୁ ଧରିବାକୁ କମ୍ବିଂ ଅପରେସନ୍ ଚାଲିଛି । ସମ୍ବଲପୁର-ସୋନପୁର ପଟୁ ପୁଲିସ ସେମାନଙ୍କୁ ଘେରାବନ୍ଦୀ କରିଛି । ଜଙ୍ଗଲ ଭିତରେ କରାଯାଉଛି ଡ୍ରୋନ୍ ସର୍ଭେ । ରେଢ଼ାଖୋଲ ଚାରଗଡ଼ ସଂରକ୍ଷିତ ଜଙ୍ଗଲରେ କମ୍ବିଂ ଅପରେସନ୍ କରାଯାଉଥିବା ଖବର ମିଳୁଛି । ଚାରମାଳ ଥାନାରେ ଗୋଟିଏ ଟିମ୍ ରହି ଯାଞ୍ଚ କରୁଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଚାରମାଳ ଥାନା, ବଡ଼ମାଳ ଫାଣ୍ଡି, କିସିଣ୍ଡା ଓ ନାକଟିଦେଉଳ ଥାନାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ସମ୍ବଲପୁର ଜିଲ୍ଲାରେ ପୁଣି ମାଓ ଗତିବିଧି ଆରମ୍ଭ ହୋଇଛି । ୭ ବର୍ଷ ପରେ ଜିଲ୍ଲାକୁ ଫେରିଲା ‘ମାଓ’ ଡର । ଛତିଶଗଡ଼ରେ କମ୍ବିଂ ଅପରେସନ୍ ପରେ ଫେରିଲେ ମାଓବାଦୀ । ସୀମା ଡେଇଁ ପଶ୍ଚିମ ଓଡ଼ିଶାରେ ପଶିଲେଣି ମାଓବାଦୀ । ପଶ୍ଚିମ ଓଡ଼ିଶାରେ ପୁରୁଣା ସଂଗଠନ ସକ୍ରିୟ ହେଉଛି । ବିଶେଷ କରି ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁରରେ ସକ୍ରିୟ ହେଉଛନ୍ତି ମାଓ ସଙ୍ଗଠନ ସଦସ୍ୟ । ଏଠାରେ ଲାଲଗଡ଼କୁ ପୁଣିଥରେ ଆକ୍ଟିଭେଟ୍ କରାଯାଉଛି । ଏବେ ପୁଲିସର ଚିନ୍ତା ବଢ଼ାଇଲାଣି ମାଓ ଗତିବିଧି । ଛତିଶଗଡ଼ରେ ମାଓଗୋଷ୍ଠୀକୁ କଡ଼ା ଜବାବ ଦେଉଛନ୍ତି ପୁଲିସ, ଏସ୍ଓଜି । ସମ୍ବଲପୁରରେ ବି ପୁଲିସ-ଏସ୍ଓଜିର ମିଳିତ କମ୍ବିଂ ଅପରେସନ ଜାରି ରହିଛି । କମ୍ବିଂରେ ୪ ପ୍ଲାଟୁନ୍ ଏସ୍ଓଜି ଯବାନ ମୁତୟନ ହୋଇଛନ୍ତି ।
ଆରମ୍ଭ ହେଲା ଅପରେସନ୍ ‘ଚାରଗଡ଼’
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଠେଙ୍ଗୋ ଡ୍ୟାମ୍ ନିକଟରେ ସନ୍ଦିଗ୍ଧ ଗତିବିଧି ଦେଖିବାକୁ ମିଳିଛି । ଗତ ମେ ୨୮ ତାରିଖରେ ମାଓବାଦୀ ଉପସ୍ଥିତି ଥିବା ସୂଚନା ମିଳିଥିଲା । ଡ୍ୟାମ୍ ପାଖ ଜଙ୍ଗଲରେ ମିଳିଥିଲା ମାଓବାଦୀଙ୍କ ଉପସ୍ଥିତିର ପ୍ରମାଣ । ଗୁଜାସୁଲିଆ ଗାଁ ଓ ମେଘନାଦ ରାସ୍ତାରେ ପୁଲିସର ଯାଞ୍ଚ ଆରମ୍ଭ ହୋଇଥିଲା । ଆଗପଛ ହୋଇ ଆସିଥିଲେ ୮ ସନ୍ଦିଗ୍ଧ, ଯାଞ୍ଚ ବେଳେ ଦୁଇଜଣ ସନ୍ଦିଗ୍ଧ ଚମ୍ପଟ ମାରିଥିଲେ । ବାକି ୬ଜଣଙ୍କୁ ଉଠାଇ ନେଇ ରାତିସାରା ପୁଲିସର ପଚରାଉଚରା ଚାଲିଥିଲା । ଉଲୁଣ୍ଡାରେ ଯାଞ୍ଚ ପରେ ମାଓବାଦୀ ସମ୍ବଲପୁର ମୁହାଁ ହୋଇଛନ୍ତି । ଶୁକ୍ରବାର ରାତିରୁ ଚାରମାଳ ଥାନା ସୁନାମୁଦି ପାଖେ କମ୍ବିଂ ଅପରେସନ୍ ଜାରି ରହିଛି । ଚାରଗଡ଼ ସଂରକ୍ଷିତ ଜଙ୍ଗଲରେ ବି ଚାଲିଛି କମ୍ବିଂ ଅପରେସନ୍ । ଏଠାରେ ୫୦ ଜଣ ମାଓବାଦୀ ଥିବା କୁହାଯାଉଛି, ହେଲେ ସେମାନଙ୍କ ତଥ୍ୟ ମିଳୁନି । ସଂଖ୍ୟା ଜାଣିବାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣାଉଛି ପୁଲିସ । ଡ୍ରୋନ୍, ଏଆଇ କ୍ୟାମେରାରେ ସର୍ଭେ କରୁଛି ପୁଲିସ ।
୫ ଜିଲ୍ଲା ହୋଇଥିଲା ମାଓମୁକ୍ତ
ଓଡ଼ିଶାର ୫ ଜିଲ୍ଲାକୁ ‘ମାଓମୁକ୍ତ’ ଘୋଷଣା ହୋଇଥିଲା । ସମ୍ବଲପୁରକୁ ମାଓମୁକ୍ତ ବୋଲି ସରକାର କହିଥିଲେ । ଏହି ତାଲିକାରେ ଅନୁଗୁଳ, ବୌଦ୍ଧ, ଦେବଗଡ଼ ଓ ନୟାଗଡ଼ ଜିଲ୍ଲା ବି ରହିଥିଲା । ୨୦୨୦ରେ ଏହି ଘୋଷଣା କରିଥିଲେ ଓଡ଼ିଶା ସରକାର । ୨୦୧୮ରୁ ଏହି ଜିଲ୍ଲାରେ ମାଓ ଗତିବିଧି ନଥିଲା । ଲାଲ୍ ବାହିନୀଙ୍କ ହିଂସା ନଥିବାରୁ ମାଓମୁକ୍ତ ଘୋଷଣା ହୋଇଥିଲା । ନିରାପତ୍ତା ସମ୍ପର୍କିତ ଖର୍ଚ୍ଚ ‘ଏସ୍ଆରଇ’ ପ୍ରତ୍ୟାହାର ହୋଇଥିଲା । ଓଡ଼ିଶା ପୁଲିସର ପ୍ରସ୍ତାବକୁ ରାଜ୍ୟ ସରକାର ମଞ୍ଜୁର କରିଥିଲେ ।
କେବେ ଥିଲା ‘ଲାଲଗଡ଼’?
ଦିନେ ଲାଲଗଡ଼ ପାଲଟିଥିଲା ପଶ୍ଚିମ ଓଡ଼ିଶା । ୨୦୦୩ରେ ନାରକୀୟ କାଣ୍ଡ ଘଟାଇଥିଲେ ନକ୍ସଲ । ମେଘପାଳ ସରପଞ୍ଚ କାଦର ସିଂହଙ୍କୁ ନିର୍ମମ ହତ୍ୟା କରିଥିଲେ । ସରପଞ୍ଚଙ୍କୁ ହତ୍ୟା କରି ଉପସ୍ଥିତି ଜାହିର କରିଥିଲେ । ଜମନକିରା, ଯୁଯୁମରା, କିସିଣ୍ଡା ଜଙ୍ଗଲରେ ଏମାନଙ୍କ ଉପସ୍ଥିତି ଥିଲା । ଏମାନେ ପାଣିମରା, ତାଲବ, ବାଲିକିଆରି ଗାଁ ପାଖରେ ରହୁଥିଲେ । ଖୋଲଗଡ଼, ଲଣ୍ଡାକୋଟ ଜଙ୍ଗଲ ପାଲଟିଥିଲା ‘ଲାଲ୍ଗଡ଼’ । ଠିକାଦାର, ସରକାରୀ ଅଧିକାରୀଙ୍କୁ ଚାନ୍ଦା ମାଗୁଥିଲେ ମାଓବାଦୀମାନେ । ମାଓବାଦୀମାନେ କେନ୍ଦୁପତ୍ର ବିଭାଗ ଡିଏଫ୍ଓଙ୍କୁ ଅପହରଣ କରିଥିଲେ ।