କନକ ବ୍ୟୁରୋ : ମାଓ ମୁଖିଆ ବାସବରାଜୁ ଏନକାଉଣ୍ଟର ଘଟଣା । ପୁରୁଣା ଅଙ୍ଗରକ୍ଷକ ଦେଇଥିଲା ସୂଚନା । ଛତିଶଗଡ଼ର ନାରାୟଣପୁର ଅବୁଝମାଡ଼ ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରର ଅନେକ ରୋଚକ ତଥ୍ୟ ମିଳିଛି । ମାଓ ମୁଖିଆ ବାସବରାଜୁ ଯେଉଁ ସ୍ଥାନରେ ଆତ୍ମଗୋପନ କରିଥିଲା ତାହାର ପକ୍କା ସୂଚନା ମିଳିବା ପରେ ଉକ୍ତ ଅଞ୍ଚଳକୁ ଘେରିଥିଲେ ଯବାନ। ସକାଳୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଘଟଣାସ୍ଥଳରୁ ଏକେ-୪୭ ସହ ଏସଏଲଆର, ଇନସାସ ସମେତ ଅନେକ ବନ୍ଧୁକ ଓ ବିସ୍ଫୋରକ ମିଳିଥିଲା । ତେବେ ଏହି ଅପରେସନ୍‌ ଅତ୍ୟନ୍ତ ଜଟିଳ ଏବଂ କଷ୍ଟକର ଥିଲା । କାରଣ ପିଏଲଜିଏ ପ୍ଲାଟୁନ୍‌ ନମ୍ବର ୭ର ୪୦ଜଣ ନକ୍ସଲ ଲଗାତାର ବାସବରାଜୁକୁ ସୁରକ୍ଷା ଦେଉଥିଲେ । ମାସେ ହେଲା ପୁଲିସ ପିଛା କରିଥିବାରୁ ଆବୁଝମାଡ଼ ଜଙ୍ଗଲରେ ହିଁ ବାରମ୍ବାର ସ୍ଥାନ ପରିବର୍ତ୍ତନ କରିବା ସହ ଗୋଟିଏ ସ୍ଥାନରେ କିଛି ଘଣ୍ଟା ପାଇଁ ବାସବରାଜୁ ରହୁଥିଲା । ତେବେ ପୁରୁଣା ଅଙ୍ଗରକ୍ଷକ ଆତ୍ମସମର୍ପଣ କରିବା ପରେ ବାସବରାଜୁ ସଂପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପୁଲିସକୁ ଦେଇଥିଲା । ଏପରିକି ବାସବରାଜୁ କେଉଁ ଅଞ୍ଚଳରେ ବୁଲୁଛି ତାହାର ସୂଚନା ମଧ୍ୟ ଗତକାଲି ପୁରୁଣା ଅଙ୍ଗରକ୍ଷକ ହିଁ ଦେଇଥିଲା। ଯାହାଫଳରେ ଜଙ୍ଗଲ ଭିତରେ ରହିଥିବା ବୋଟେର ଏବଂ ଜାଟଲୁର ଗାଁ ମଧ୍ୟରେ ବାସବରାଜୁକୁ ଏନକାଉଣ୍ଟର କରାଯାଇଥିଲା।  ବାସବରାଜୁର ମୃତ୍ୟୁ ସଂଗଠନ ପାଇଁ ଶକ୍ତ ଝଟକା। ସଂଗଠନର ସବୁଠାରୁ ବଡ଼ ପିଏଲଜିଏ ଟିମ୍‌ ବାସବରାଜୁ ଗଠନ କରିଥିଲା । ବସ୍ତର ଅଞ୍ଚଳର ନକ୍ସଲ ସଂଗଠନକୁ ମିଲିଟାରି ରୂପ ଦେଇଥିଲା। ଶ୍ରୀଲଙ୍କାର ଆତଙ୍କବାଦୀ ସଂଗଠନ ଏଲଟିଟିଇ ଦ୍ବାରା ପ୍ରଶିକ୍ଷିତ ହୋଇ ଗରିଲା ଯୁଦ୍ଧ ଏବଂ ଲ୍ୟାଣ୍ଡମାଇନ ନିର୍ମାଣରେ ନିପୁଣ ଥିଲା । ସଂଗଠନର ଦୁର୍ଦ୍ଦାନ୍ତ ସଦସ୍ୟ ହିଡ଼ମାକୁ ବନ୍ଧୁକ ଧରାଇବା ଠାରୁ ଆରମ୍ଭ କରି ଯୁଦ୍ଧକଳା ତାଲିମ ବାସବରାଜୁ ଦେଇଥିଲା ବୋଲି ଜଣାପଡ଼ିଛି । ଆଜି ସକାଳୁ ଏହି ଟପ୍‌ ନକ୍ସଲ ନେତାର ମୃତଦେହ ନାରାୟଣପୁର ଆସୁଥିବା ଖବର ମିଳିବା ପରେ ଦେଖିବା ପାଇଁ ପୁଲିସ ମୁଖ୍ୟାଳୟ ବାହାରେ ପ୍ରବଳ ଭିଡ଼ ହୋଇଥିଲା।