କନକ ବ୍ୟୁରୋ: ଉପର ମୁଣ୍ଡରେ ଲଗାଣ ବର୍ଷା ପରେ ବାଲେଶ୍ବର ଜିଲ୍ଲାର ଜଳେଶ୍ବର, ବସ୍ତା, ଭୋଗରାଇ ବ୍ଲକରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି।  ସୁବର୍ଣ୍ଣରେଖା ନଦୀରେ ହଠାତ ପାଣି ଆସିବା ଯୋଗୁଁ ଭୋଗରାଇ ବ୍ଲକ୍‌ର ନଦୀକୂଳିଆ ଏକାଧିକ ଗାଁରେ ପାଣି ପଶିଛି । ଶହ ଶହ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି । କୁମ୍ଭୀରଗଡ଼ି, ପଂତେଇ, ବାଉଁଶଖଣା, କୁହ୍ଲା ମାଟିଖଣା ଓ ଖଳାବାଡ଼ିଆ ଗାଁରେ ପାଣି ପଶିଥିବା ବେଳେ ଗ୍ରାମବାସୀ ଗୃହପାଳିତ ପଶୁଙ୍କୁ ଧରି ନଦୀ ବନ୍ଧରେ ପଲିଥିନ୍ ଟାଙ୍ଗି ଆଶ୍ରୟ ନେଇଛନ୍ତି । ଭୋଗରାଇ ବ୍ଲକ୍ ଝାଳସରି ସୁଇସ୍ ଗେଟ୍‌ରେ ଫାଟ ସୃଷ୍ଟି ହୋଇଥିବା ବେଳେ ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ । ଏହାରି ଭିତରେ ଜଳେଶ୍ବରରୁ ଆସିଛି ଅଘଟଣର ଦୃଶ୍ୟ । କୁହ୍ଲାଚଢ ଗାଁର ମହେଶ୍ୱର ନାମକ ଯୁବକ ସୁବର୍ଣ୍ଣରେଖା ନଦୀର ବନ୍ୟାଜଳରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି । ବାଲିଆପାଳ ଅଞ୍ଚଳର ଜଣେ ଯୁବକ ଟାପୁରେ ଫଶିଛନ୍ତି । 

Advertisment

ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ରାଉରକେଲାର ବାଲୁଘାଟ ସମେତ ବସ୍ତି ଓ ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି । ଘରେ ବନ୍ୟା ଜଳ ପଶି ଯିବାରୁ ବସ୍ତିବାସିନ୍ଦା ନିକଟସ୍ଥ ସ୍କୁଲରେ ଆଶ୍ରୟ ନେଇଛନ୍ତି । ଶଙ୍ଖ ଏବଂ କୋଏଲ ନଦୀରେ ଜଳ ସ୍ତର ବୃଦ୍ଧି ପାଉଥିବାରୁ ମନ୍ଦିରା ଡ୍ୟାମର ୭ ଟି ଗେଟ୍ ଖୋଲିଦିଆଯାଇଛି । ନଦୀକୂଳିଆ ଅଞ୍ଚଳର ଲୋକଙ୍କ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସୁବର୍ଣ୍ଣରେଖା, ଇବ ଓ ବ୍ରାହ୍ମଣୀ ନଦୀରେ ଖସୁଛି ବନ୍ୟା ଜଳ କମୁଛି ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।