କନକ ବ୍ୟୁରୋ: ଆଜି ବି ଅବ୍ୟବସ୍ଥା ଘେରରେ କଣ୍ଟାବାଞ୍ଜି ନିର୍ବାଚନୀ ମଣ୍ଡଳୀର ଅନେକ ଗାଁ । ଆଉ ତା ଭିତରୁ ଗୋଟିଏ ହେଉଛି ତୁରେକେଲା ବ୍ଲକ ଅଧିନରେ ଥିବା ବର୍ଲା ଗାଁର ଚଣ୍ଡିପଡ଼ା। ଗାଁରେ କୌଣସି ପ୍ରକାର ମୌଳିକ ସୁବିଧା ନାହିଁ । ନା ପାଣି ଅଛି ନା ରାସ୍ତା ଅଛି । ପିଲାଙ୍କ ପାଠ ପଢ଼ା ପାଇଁ ବିଦ୍ୟାଳୟ କି ଅଙ୍ଗନବାଡ଼ି ବି ନାହିଁ। ଫଳରେ ଗାଁ ଲୋକେ ହନ୍ତସନ୍ତ ହେଉଛନ୍ତି । କିନ୍ତୁ ଏନେଇ ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ ।
ପ୍ରାୟ ୪ଶହରୁ ଅଧିକ ଲୋକ ଏଠାରେ ବସବାସ କରୁଛନ୍ତି । କିନ୍ତୁ ଗ୍ରାମରେ କୌଣସି ପ୍ରକାର ମୌଳିକ ସୁବିଧା ନାହିଁ। ଦୀର୍ଘ ବର୍ଷ ହେଲା ଘନେଶ ପଞ୍ଚାୟତରୁ ଏକ କଚ୍ଚା ରାସ୍ତା ଦେଇ ଚଣ୍ଡିପଡ଼ାବାସୀ ଯିବା ଆସିବା କରୁଛନ୍ତି । ବର୍ଷା ଦିନେ ତ ରାସ୍ତାରେ ଚାଲିକି ଯିବାବି ସମ୍ଭବ ହଉନି । ଗାଁକୁ ଆମ୍ବୁଲାନ୍ସ ନଆସିପାରିବାରୁ ଗର୍ଭବତୀ ମହିଳା ଓ ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପଟେ ରାସ୍ତା ନାହିଁ ସେଥିରେ ପୁଣି ରାସନ ପାଇଁ ଲୋକଙ୍କୁ ୩ କିମି ଯିବାକୁ ପଡ଼ୁଛି ।
ଖାଲି ରାସ୍ତାରେ ଅଟକିନି ଗାଁର ସମସ୍ୟା। ପାଠ ପଢ଼ିବା ପାଇଁ ଚଣ୍ଡିପଡ଼ାର ପିଲାଙ୍କୁ ଘୁନେଶ ଓ ବର୍ଲାକୁ ଯିବାକୁ ପଡ଼ୁଛି । କାରଣ ଗାଁରେ ଥିବା ଗୋଟିଏ ମାତ୍ର ସରକାରୀ ପ୍ରାଥମିକ ବିଦ୍ୟାଳୟ କରୋନା ସମୟରୁ ବନ୍ଦ ପଡ଼ିଛି। ଅଙ୍ଗନବାଡ଼ି କେନ୍ଦ୍ର ବି ନାହିଁ। ପିଲା ମାନେ ଅଣ୍ଡା ଓ ଛତୁଆ ଅଙ୍ଗନବାଡ଼ି ଦିଦିଙ୍କ ଠାରୁ ନେଇଆସୁଛନ୍ତି। ଏନେଇ ତୁରେକେଲା ଶିକ୍ଷା ବିଭାଗକୁ ଅବଗତ କରାଯାଇଛି।
ହେଲେ ଫଳ ଶୂନ। ଗାଁରେ ପିଇବା ପାଣି ପାଇଁ ବି ଲୋକ ହନ୍ତସନ୍ତ ହେଉଛନ୍ତି। ଯେଉଁ ଗୋଟିଏ ନଳକୂପ ରହିଛି ସେଥିରୁ ବି ଲୁହା ଯୁକ୍ତ ପାଣି ବାହାରୁଛି । ଫଳରେ ଚଣ୍ଡିପଡ଼ା ବାସୀ ପାଣି ପାଇଁ ଗାଁର ଥିବା ଗୋଟିଏ କୂଅ ଉପରେ ନିର୍ଭର କରୁଛନ୍ତି। ଗାଁର ସ୍ଥିତି ସମୀକ୍ଷା କରାଯାଇ ମୌଳିକ ସୁବିଧା ଯୋଗାଇ ଦିଆଯିବ ବୋଲି ବଲାଙ୍ଗୀର ଜିଲ୍ଲାପାଳଙ୍କ ଠୁ ପ୍ରତିଶ୍ରୁତି ମିଳିଛି। ନିର୍ବାଚନ ସମୟରେ ବଡ଼ ବଡ଼ କଥା କହୁଥିବା ନେତା ମାନେ ଭୋଟ ପରେ ଚଣ୍ଡିପଡ଼ା ବାସୀଙ୍କୁ ଭୁଲି ଯାଆନ୍ତି । ତୁରନ୍ତ ଚଣ୍ଡିପଡ଼ା ବାସୀଙ୍କ ସମସ୍ୟାର ସମାଧାନ କରାଗଲେ ସେମାନେ ଉପକୃତ ହୋଇପାରନ୍ତେ ।