କନକ ବ୍ୟୁରୋ: ଜାନୁଆରୀ ୨୨ ତାରିଖରେ ମହାରାଷ୍ଟ୍ରର ଜାଲଗାଁରେ ଘଟି ଯାଇଥିଲା ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା । କିଛି ଗୁଜବ ଯୋଗୁଁ ଚାଲିଗଲା ୧୩ ମୂଲ୍ୟବାନ । କିନ୍ତୁ ଏଭଳି ଦୁର୍ଘଟଣା ପ୍ରଥମ ଥର ପାଇଁ ଘଟୁଛି ତାହା ନୁହେଁ । ବାରମ୍ବାର ଘଟି ଆସିଛି ଏଭଳି ଟ୍ରେନ୍ ଦୁର୍ଘଟଣା । ବଡ଼ ଟ୍ରେନ୍ ଦୁର୍ଘଟଣାର ସାକ୍ଷୀ ରହିଛି ଇତିହାସ । ସରକାର ପରେ ସରକାର ବଦଳି ଆସିଛି । କିନ୍ତୁ ଆଜି ବି ଟ୍ରେନ୍ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କେହି କହି ପାରୁ ନାହାନ୍ତି । ଜାଲଗାଁ ପୂର୍ବରୁ ଦେଶରେ ଘଟିଥିବା କିଛି ବଡ଼ ଟ୍ରେନ୍ ଦୁର୍ଘଟଣା ବିଷୟରେ ଆସନ୍ତୁ ଜାଣିବାଟ୍ଟ
ଦେଶର ସବୁଠାରୁ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଥିଲା ୧୯୮୧ ମସିହାରେ । ୪୨ ବର୍ଷ ପୂର୍ବେ ଘଟିଥିବା ଏହି ଟ୍ରେନ୍ ଦୁର୍ଘଟଣାରେ ୮୦୦ ଯାତ୍ରୀଙ୍କ ଜୀବନ ଯାଇଥିଲା । ବିହାରର ବାଗମତୀ ନଦୀ ପୋଲ ଦେଇ ଯାଉଥିବା ମାନସୀ-ସହରସା ଟ୍ରେନ୍ଟି ଲାଇନ୍ଚ୍ୟୁତ ହୋଇ ନଦୀକୁ ଖସି ପଡ଼ିଥିଲା । ଫଳରେ ଶହଶହ ଯାତ୍ରୀଙ୍କ ହୋଇଥିଲା ଅକାଳ ବିୟୋଗ ।
ଏହାର ଠିକ୍ ବର୍ଷକ ପରେ ୧୯୮୨, ଜୁଲାଇ ୮ ତାରିଖରେ ଘଟିଥିଲା ଟ୍ରେନ୍ ଦୁର୍ଘଟଣା । ଏହା ବି ଥିଲା ଖୁବ୍ ଭୟାବହ । କେରଳର ପେରୁମନ୍ ନିକଟରେ ଏକ୍ସପ୍ରେସ୍ ଟ୍ରେନ୍କୁ ପାସେଞ୍ଜର ଟ୍ରେନ୍ ଧକ୍କା ଦେବାରୁ ୬୦ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ।
ଏହାପରେ ୧୯୯୫ ଅଗଷ୍ଟ ୨୦ ତାରିଖରେ ଘଟି ଯାଇଥିଲା ଆଉ ଏକ ଟ୍ରେନ୍ ଦୁର୍ଘଟଣା । ଉତ୍ତର ପ୍ରଦେଶର ଫିରୋଜାବାଦ୍ ନିକଟରେ ପୁରୁଷୋତ୍ତମ ଏକ୍ସପ୍ରେସ୍ ଏବଂ କାଳିନ୍ଦୀ ଏକ୍ସ୍ପ୍ରେସ୍ ମଧ୍ୟରେ ମୁହାଁମୁହିଁ ଟକ୍କର ହୋଇଥିଲା । ଏହି ଦୁର୍ଘଟଣାରେ ପ୍ରାୟ ୩୫୮ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା ।
ଏହାର ୩ ବର୍ଷ ପରେ ପୁଣି ୧୯୯୮ ନଭେମ୍ବର ୨୬ ତାରିଖରେ ଘଟିଥିଲା ଖାନ୍ନା ରେଳ ଦୁର୍ଘଟଣା । ପଞ୍ଜାବର ଖାନ୍ନା ନିକଟରେ ଜମ୍ମୁ ତାୱି-ସିଆଲଦା ଏକ୍ସପ୍ରେସ୍କୁ ଧକ୍କା ଦେଇଥିଲା କାଲିନ୍ଦୀ ଏକ୍ସପ୍ରେସ । ଏଥିରେ ପ୍ରାୟ ୨୧୨ଜଣଙ୍କର ପ୍ରାଣହାନୀ ଘଟିଥିଲା ।
ବର୍ଷକ ପରେ ୧୯୯୯, ଅଗଷ୍ଟ ୨ ତାରିଖରେ ଟ୍ରେନ୍ ଦୁର୍ଘଟଣା ମଧ୍ୟ ଖୁବ୍ ଭୟାବହ ଥିଲା । ବ୍ରହ୍ମପୁତ୍ର ମେଲ୍ ଆସାମର ଗୈସାଲ୍ ନିକଟରେ ଅୱଧ-ଆସାମ ଏକ୍ସ୍ପ୍ରେସ୍କୁ ଧକ୍କା ଦେଇଥିଲା । ଫଳରେ ୨୯୦ଜଣ ଯାତ୍ରୀ ପ୍ରାଣ ହରାଇଥିଲେ ।
ଏହାପରେ ୨୦୧୬ ନଭେମ୍ବର ୨୦ ତାରିଖରେ ଘଟି ଯାଇଥିଲା ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା । ଉତ୍ତର ପ୍ରଦେଶର ପୁଖରାୟାଁ ନିକଟରେ ଇନ୍ଦୋର୍-ପାଟନା ଏକ୍ସ୍ପ୍ରେସ୍ ଲାଇନଚ୍ୟୁତ୍ ହେବାରୁ ୧୫୦ ଜଣଙ୍କ ଜୀବନ ଯାଇଥିଲା ।