କନକବ୍ୟୁରୋ : ‘ଜଳ’ ଅମୂଲ୍ୟ ସଂପଦ । ଏହାର ସୁବିନିଯୋଗ କରିବାର ଆବଶ୍ୟକତା ଅଛି। ଚାଷୀଙ୍କ କ୍ଷେତ୍ରରେ ଜଳ ଅଧିକ ଗୁରୁତ୍ବପୂର୍ଣ୍ଣ। ‘ସମ୍ବାଦ’ ଗ୍ରୁପ୍ ପକ୍ଷରୁ ସୋମବାର ଠାରୁ ଆରମ୍ଭ ହୋଇଥିବା ତିନିଦିନିଆ ସମ୍ମିଳନୀ ‘ପୁନଶ୍ଚ ପୃଥିବୀ’ରେ ଉନ୍ନୟନ କମିସନର ଅନୁ ଗର୍ଗ ଚାଷୀଙ୍କ ପାଇଁ ଜଳର ଆବଶ୍ୟକତା ସଂପର୍କରେ କହିଛନ୍ତି।

Advertisment

ଶ୍ରୀମତୀ ଗର୍ଗ କହିଛନ୍ତି, ଆମକୁ ପ୍ରତ୍ୟେକ ଜଳବୁନ୍ଦାକୁ ଗୁରୁତ୍ବ ଦେବାକୁ ହେବ। ଜଳକୁ ସୁରକ୍ଷିତ ରଖିବାକୁ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀଙ୍କ ଭାଷାରେ ପ୍ରତ୍ୟେକ ଜଳ ବୁନ୍ଦାକୁ ସୁରକ୍ଷିତ ରଖିବା। ପାଣିକୁ କିଭଳି ବ୍ୟବହାର କରାଯିବ, ସରକାର ଏଥି ପାଇଁ କାମ କରୁଛନ୍ତି। ପୂର୍ବରୁ ଖୋଲା କେନାଲରେ ପାଣି ଯାଉଥିଲା। ଆମେ ବର୍ତ୍ତମାନ ଅଣ୍ଡରଗ୍ରାଉଣ୍ଡ ପାଇପଲାଇନ ମାଧ୍ୟମରେ ପାଣି ନେଉଛୁ। ଏହା ଦ୍ବାରା ପାଣି କୃଷିକ୍ଷେତ୍ରକୁ ଶୀଘ୍ର ପହଞ୍ଚି ପାରୁଛି ଏବଂ ଜମି ଖରାପ ହେଉ ନାହିଁ। 
ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପ ଗତବର୍ଷ ଶେଷ ହୋଇଛି। ଏହି ପ୍ରକଳ୍ପରେ ଅଣ୍ଡରଗ୍ରାଉଣ୍ଡ ପାଇପଲାଇନ୍‌ ବ୍ୟବସ୍ଥା କରାଯାଇଛି। ଏହି ପ୍ରକଳ୍ପରୁ ଆମେ ଯଦି ଓପନ କେନାଲ ଜରିଆରେ ପାଣି ନେଇଥାନ୍ତେ ୨୩,୦୦୦ ହେକ୍ଟର ଜମିକୁ ପାଣି ଯୋଗାଇପାରିଥାନ୍ତେ। କିନ୍ତୁ ଅଣ୍ଡରଗ୍ରାଉଣ୍ଡ ମାଧ୍ୟମରେ ସେଠାରୁ ଜଳସେଚନ କରାଯାଉଛି। ଫଳରେ ୪୦,୦୦୦ ହେକ୍ଟର ପାଣି ଯୋଗାଇ ଦିଆଯାଇପାରୁଛି। କେବଳ ଏତିକି ନୁହେଁ, ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରେ ‘ଗଙ୍ଗାଧର ମେହର ଜଳସେଚନ ପ୍ରକଳ୍ପ’କୁ ମଧ୍ୟ ଅଣ୍ଡରଗ୍ରାଉଣ୍ଡ କରାଯାଇଛି। ଏହା ଦ୍ବାରା ଅଧିକ ଚାଷୀଙ୍କୁ ଜଳ ମିଳିପାରୁଛି। ପାଣିକୁ କେମିତି ଭଲ ଭାବରେ ବ୍ୟବହାର କରାଯାଇ ପାରିବ ଏଥି ପାଇଁ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରାଯାଉଛି। ଏହାରି ମାଧ୍ୟମରେ ଲକ୍ଷ୍ୟ ପୂରଣ କରାଯାଇପାରୁଛି ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। 
‘ପୁନଶ୍ଚି ପୃଥିବୀ’ ଏକ ବହୁତ ସୁନ୍ଦର ଅଭିଯାନ। ଏଥି ପାଇଁ ଶୁଭେଚ୍ଛା ଜଣାଉଛି। ଓଡ଼ିଶାରେ ୧୯୯୯ରେ ‌ମହାବାତ୍ୟା ହୋଇଥିଲା। ରାଜ୍ୟର ବହୁତ କ୍ଷୟକ୍ଷତି ହୋଇଥିଲା। ଏହା ପରେ ୨୦୧୪, ୨୦୧୮, ୨୦୧୯, ୨୦୨୦, ୨୦୨୧, ୨୦୨୩ରେ ମଧ୍ୟ ବାତ୍ୟା ଆସିଛି। ଗୋଟିଏ ବର୍ଷରେ ୨ଥର ମଧ୍ୟ ବାତ୍ୟା ଆସିଛି। ଜଳବାୟୁ କେମିତି ପରିବର୍ତ୍ତନ ହେଉଛି ଆମେ ଦେଖୁଛେ। ଜଳବାୟୁର ସୁରକ୍ଷା ପାଇଁ ବହୁ ପଦକ୍ଷେପ ନିଆଯାଇଛି।  
-ଅନୁ ଗର୍ଗ, ଉନ୍ନୟନ କମିସନର
 
ଉନ୍ନୟନ କମିସନର କହିଛନ୍ତି, ପୁରୁଣା ପ୍ରକଳ୍ପ ଓ ପୁରୁଣା କେନାଲକୁ ମରାମତି କରାଯାଉଛି ।  ‘କୋନଲ ଲାଇନିଂ ଯୋଜନା’ ମାଧ୍ୟମରେ ଏହାକୁ ବ୍ୟବହାର କରି ଚାଷଜମିକୁ ପାଣି ଯୋଗାଇ ଦିଆଯାଉଛି ।  ଏହି ଯେଜାନା ମାଧ୍ୟମରେ ୩୦୦୦ କିମି ଲାଇନିଂ କେନାଲ କରାଯାଇଛି। ଯେଉଁ ଅଞ୍ଚଳକୁ କେନାଲ ଯାଇପାରି ନାହିଁ ସେଠାରେ ନବକୃଷ୍ଣ ଚୌଧୁରୀ ଯୋଜନା ମାଧ୍ୟମରେ ପାଣି ଯୋଗାଇ ଦେବାକୁ ସରକାର ପଦକ୍ଷେପ ନେଇଛନ୍ତି । କୋରାପୁଟରେ ତେଲେଙ୍ଗିରୀ ଯୋଜନା ମାଧ୍ୟମରେ ଚାଷଜମିକୁ ଜଳସେଚନ କରାଯାଉଛି ।  ପାଣିପଞ୍ଚାୟତ ମାଧ୍ୟମରେ ମଧ୍ୟ କୃଷିକ୍ଷେତ୍ରକୁ ଜଳ ଯୋଗାଇ ଦିଆଯାଉଛି ।

ଶ୍ରୀମତୀ ଗର୍ଗ କହିଛନ୍ତି, ରାଜ୍ୟ ସରକାର ୫୩୮ଟି ମାଇନର ଇରିଗେସନ ମାଧ୍ୟମରେ ଚାଷଜମିକୁ ଜଳ ଯୋଗାଉଛନ୍ତି। ଉଦ୍ୟାନକୃଷି ଓ କୃଷି ବିଭାଗ ମଧ୍ୟ ଜଳ ସଂରକ୍ଷଣ ପାଇଁ କାମ କରୁଛନ୍ତି। ପାଣି କେବଳ କୃଷି ପାଇଁ ନୁହେଁ; ବରଂ ଏହାର ଅନେକ କାମ ରହିଛି। ପ୍ରତ୍ୟେକ ବୁନ୍ଦାର ଜଳକୁ କୃଷି, ହାଇଡ୍ରୋପାୱାର, ପ୍ଲୋଟିଂ ସୋଲାର, କ୍ୟାଚିଂ ଫିସିରି, ଶିଳ୍ପ ପ୍ରଭୁତି କ୍ଷେତ୍ରରେ ବ୍ୟବହାର କରାଯାଇପାରିବ। ଯେତେବେଳେ ସ୍ବତନ୍ତ୍ର ଓଡ଼ିଶା ଗଠନକୁ ୧୦୦ ବର୍ଷ ଓ ଭାରତ ସ୍ବାଧୀନତାର ୧୦୦ ବର୍ଷ ପାଳନ କରୁଥିବ ସେହି ସମୟରେ ରାଜ୍ୟରେ ଜଳର ସମସ୍ୟା ନଥିବ। ଏଥିପାଇଁ ସରକାର ଭିଜନ ଓଡ଼ିଶା ପ୍ରସ୍ତୁତ କରିଛନ୍ତି।