କନକ ବ୍ୟୁରୋ: ସମଗ୍ର ଦେଶରେ ମୌସୁମୀ ବର୍ଷା ଭୟଙ୍କର ରୂପ ନେଇଛି । ଯାହାଫଳରେ ଅନେକ ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ବନ୍ୟା ଓ ଭୂସ୍ଖଳନ ପରିସ୍ଥିତିରେ ଦେଶର ବିଭିନ୍ନ ପ୍ରାନ୍ତରୁ ୧୧ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ସେହି ପରି ଓଡ଼ିଶାରେ ମଧ୍ୟ ଲଗାଣ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆଗାମୀ ୨୪ ଘଣ୍ଟା ପାଇଁ ଝାଡ଼ଖଣ୍ଡରେ ରେଡ୍ ଆଲର୍ଟ ଜାରି କରିଥିବା ବେଳେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ୧୧ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ।
ଉତ୍ତର ଭାରତରୁ ନେଇ ପୂର୍ବ ଭାରତ ପର୍ଯ୍ୟନ୍ତ ବର୍ଷାର ପ୍ରକୋପ ଜାରି ରହିଛି । ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଯୋଗୁଁ ଚାମୋଲି ଜିଲ୍ଲାରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଠାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଛି । ସେହିପରି ରାଜସ୍ଥାନର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ହଜାର ହଜାର ଲୋକ ଜଳବନ୍ଦୀ ଜୀବନ କାଟୁଛନ୍ତି । ମୁମ୍ବାଇରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଛି ।
ଓଡ଼ିଶାରେ ମଧ୍ୟ ଲଘୁଚାପ ପ୍ରଭାବରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ କୋରାପୁଟ ସମେତ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
ପାଣିପାଗ ବିଭାଗ ଝାଡ଼ଖଣ୍ଡରେ ଆଗାମୀ ୨୪ ଘଣ୍ଟା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ରେଡ୍ ଆଲର୍ଟ ଜାରି କରିଛି । ଏହି ସମୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଏବଂ କେତେକ ସ୍ଥାନରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହେବାର ଆଶଙ୍କା ରହିଛି । ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସତର୍କ ରହିବାକୁ ଏବଂ ଅନାବଶ୍ୟକ ଭାବେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ନଦୀ କୂଳିଆ ଏବଂ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରାଯାଉଛି ।
ଝାଡ଼ଖଣ୍ଡ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଯାହାର ପ୍ରଭାବରେ ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ପୁରୁଲିଆ, ବାଙ୍କୁଡ଼ା, ପଶ୍ଚିମ ମେଦିନୀପୁର, ଝାଡ଼ଗ୍ରାମ, ପୂର୍ବ ଓ ପଶ୍ଚିମ ବର୍ଦ୍ଧମାନ ଆଦି ଅନ୍ତର୍ଭୁକ୍ତ । ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା ସହ ଫସଲ ନଷ୍ଟ ହେବାର ଆଶଙ୍କା କରାଯାଉଛି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ସରକାରଙ୍କ ପକ୍ଷରୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ବିପର୍ଯ୍ୟୟ ପରିଚାଳନା ଦଳକୁ ସଜାଗ ରଖାଯାଇଛି । ଲୋକଙ୍କୁ ସରକାରୀ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରାଯାଇଛି ।