"ଓଡ଼ିଶାରେ ଦୀପାବଳି , ପୟାଶ୍ରାଦ୍ଧ ଅକ୍ଟୋବର ତା୨୧ରିଖ"

ଓଡ଼ିଶାରେ ଦୀପାବଳି, ପୟାଶ୍ରାଦ୍ଧ ଅକ୍ଟୋବର ତା୨୧ରିଖ ମଙ୍ଗଳବାର ପାଳନ କରାଯିବ ।  ଭାରତର ପଶ୍ଚିମ ତଥା ଉତ୍ତରପଶ୍ଚିମାଞ୍ଚଳ କେତେକ ସ୍ଥାନରେ ଏବଂ ଉଦ୍ଦେଶ୍ୟ ଭେଦରେ ଦୀପାବଳି ଅକ୍ଟୋବର ତା୨୦ରିଖ ସୋମବାର ପାଳନୀୟ ।

diwali

କନକବ୍ୟୁରୋ : ଭାରତୀୟ ଧର୍ମସଂସ୍କୃତି ପର୍ବପର୍ବାଣୀମାନଙ୍କର ଅନେକ ବିଶେଷତ୍ଵ ମଧ୍ୟରେ ଏକ ବିଶେଷତ୍ଵ ଏହାଯେ ପ୍ରାନ୍ତ ବିଶେଷରେ ଏବଂ ସଂପ୍ରଦାୟ ଭେଦରେ ଗୋଟିଏ ପର୍ବର ପାଳନ ଉଦ୍ଦେଶ୍ୟ କର୍ମକାଳ, ବିଧି ବିଧାନ ଏବଂ ପ୍ରଥା-ପରମ୍ପରା ଭିନ୍ନ ଭିନ୍ନ ହୋଇଥିଲେ ମଧ୍ୟ , ଏହା ଭାରତୀୟଙ୍କୁ ଶ୍ରଦ୍ଧା ଆସ୍ଥା ଏବଂ ବିଶ୍ଵାସର ବନ୍ଧନରେ ବାନ୍ଧି ରଖିଥାଏ । ଏହି ଭଳି ଅନେକ ପର୍ବ ମଧ୍ୟରୁ ଦୀପାବଳି ଅନ୍ୟତମ । ଭାରତବର୍ଷରେ ଦୀପାବଳି ପର୍ବ ସହିତ ବହୁ କିବଂଦନ୍ତୀ ଏବଂ ଶାସ୍ତ୍ର ତଥା ପୌରାଣିକ ମତ ଜଡିତ ରହିଅଛି  ।

ଭାରତବର୍ଷରେ ପ୍ରାନ୍ତ ବିଶେଷରେ ପୂର୍ଣ୍ଣିମାନ୍ତ ଏବଂ ଅମାବାସ୍ୟାନ୍ତ ଅନୁସାରେ ଧାର୍ମିକ ମାସ ପ୍ରଚଳିତ ହୋଇଅଛି । ଓଡ଼ିଶା ସମେତ ଅନେକ ରାଜ୍ୟରେ ପୂର୍ଣ୍ଣିମାରେ ମାସ ଶେଷ ହୋଇ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ନୂତନ ମାସର ଆରମ୍ଭ ହୋଇଥାଏ ।

ଗୁଜରାଟ ରାଜସ୍ଥାନ ଆଦିପ୍ରାନ୍ତରେ ଏବଂ ଦକ୍ଷିଣ ଭାରତର କିଛିପ୍ରାନ୍ତରେ ଅମାବାସ୍ୟାରେ ମାସ ଶେଷ ହୋଇ ଶୁକ୍ଳପକ୍ଷ ପ୍ରତିପଦା , ତିଥିରେ ମାସର ଆରମ୍ଭ ହୋଇଥାଏ । ପଶ୍ଚିମ ଭାରତ ଯଥା ରାଜସ୍ଥାନ ଗୁଜୁରାଟ ଆଦି ପ୍ରାନ୍ତରେ ପ୍ରଚଳିତ ପଞ୍ଜିକା ଅନୁସାରେ ଦୀପାବଳି ଅମାବାସ୍ୟା ହେଉଛି ବର୍ଷର ଅନ୍ତିମ ଦିବସ  । ଦୀପାବଳି ପରଠାରୁ (କାର୍ତ୍ତିକ ଶୁକ୍ଳପକ୍ଷ ପ୍ରତିପଦା ତିଥିଠାରୁ) ଗୁଜରାଟରେ ନୂତନବର୍ଷର ଆରମ୍ଭ ହୋଇଥାଏ । ପୁନଶ୍ଚ କିବଂଦନ୍ତୀ ଅନୁସାରେ ମା’  ଲକ୍ଷ୍ମୀ ଏହିଦିନ ସମୁଦ୍ର ମନ୍ଥନରୁ ଆବିର୍ଭୁତ ହୋଇଥିଲେ ।

ଏହି ଉଦ୍ଦେଶ୍ୟ ମାନଙ୍କ ହେତୁ ଏହି ପ୍ରାନ୍ତ ମାନଙ୍କରେ ଏହିଦିନ ମା’ ଲକ୍ଷ୍ମୀ, ଅର୍ଗପୂଜ୍ୟ ଶ୍ରୀ ଗଣେଶ, ଧନଦେବତା କୁବେର ଏବଂ ବିଦ୍ୟା ଦାତ୍ରୀ ମା’ ସରସ୍ଵତୀଙ୍କର ପୂଜାର୍ଚ୍ଚନା ସହିତ ବ୍ୟବସାୟ ବାଣିଜ୍ୟ ପ୍ରତିଷ୍ଠାନ ପୂଜା , ଖାତା ପୂଜା ସହିତ ପ୍ରଦୀପ ପ୍ରଜ୍ଜ୍ଵଳନ ଏବଂ ନୂତନ ବର୍ଷର ସ୍ଵାଗତ ନିମନ୍ତେ ନବବସ୍ତ୍ର ପରିଧାନ ପାରସ୍ପରିକ ଉପହାର ଆଦାନ ପ୍ରଦାନ ସ‌ହିତ ଉତ୍ସବ ପାଳନ କରାଯାଏ । ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ରାବଣ ବଦ୍ଧପରେ ମାତା ସୀତାଙ୍କୁ ଉଦ୍ଧାରକରି ୧୪ ବର୍ଷ ବନବାସ ପରେ ଦୀପାବଳି ଦିନ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ । ସେହି ସମୟରେ ଅଯୋଧ୍ୟାବାସୀ ସମଗ୍ର ଅଯୋଧ୍ୟାରେ ଦୀପ ପ୍ରଜ୍ଜ୍ଵଳନକରି ମହୋତ୍ସବ ପାଳନ କରିଥିଲେ ।  ଦ୍ୱାପର ଯୁଗରେ ଭଗବାନ ଶ୍ରୀ କୃଷ୍ଣ ନରକାସୁରକୁ ବଦ୍ଧକରି ଏହିଦିନ ଷୋଳ ସହସ୍ର ନାରୀଙ୍କୁ ଉଦ୍ଧାର କରିଥିଲେ । ଜୈନ ଧର୍ମାଲମ୍ବୀମାନେ ଦୀପାବଳିକୁ ଚତୁର୍ବିଂଶ ତୀର୍ଥାଙ୍କର ମହାବୀରଙ୍କର ନିର୍ବାଣ ଦିବସ ରୂପେ ପାଳନ କରନ୍ତି ।

ଶିଖ ଧର୍ମାଲମ୍ବୀମାନେ ଦୀପାବଳିକୁ ଗୁରୁ ହରଗୋବିନ୍ଦଙ୍କ ଗ୍ବାଲିୟର କାରାଗାରରୁ ମୁକ୍ତ ହୋଇଥିବା ଖୁସିରେ ପାଳନ କରିଥାଆନ୍ତି । ସେହିପରି ବୌଦ୍ଧ ଧର୍ମାଲମ୍ବୀମାନେ ତଥା ଦକ୍ଷିଣ ଭାରତର କିଛି ପ୍ରାନ୍ତରେ ଦୀପାବଳିରେ ଦୀପ ପ୍ରଜ୍ଜ୍ଵଳନ ଏବଂ ଉତ୍ସବ , ପାଳନ କରାଗଲେ ମଧ୍ୟ ଉଦ୍ଦେଶ୍ୟ ଏବଂ କର୍ମକାଳ ଭିନ୍ନ ଭିନ୍ନ ହୋଇଥାଏ । ତେଣୁ ପ୍ରଥା ପରମ୍ପରା ସଂପ୍ରଦାୟ ପ୍ରାନ୍ତ ଏବଂ ଉଦ୍ଦେଶ୍ୟ ଭେଦରେ ଦୀପାବଳି ପାଳନ ବିଧି ଏବଂ କର୍ମକାଳ ଭିନ୍ନ ଭିନ୍ନ ହୋଇଥାଏ ।

ବର୍ତ୍ତମାନ ପୂର୍ବଭାରତ ତଥା ଓଡ଼ିଶା ଉତ୍କଳ ପ୍ରଦେଶ କଥା ବିଚାର କଲେ ଜଣାଯାଏ ଯେ, ଓଡ଼ିଶା ତଥା ପୂର୍ବଭାରତର କିଛି , ପ୍ରାନ୍ତରେ ଦୀପାବଳିକୁ ମୁଖ୍ୟତଃ ପୂର୍ବପୁରୁଷଙ୍କୁ ଶ୍ରାଦ୍ଧ ତର୍ପଣ ବଡବଡୁଆ ଡାକ, ପୟାଶ୍ରାଦ୍ଧ ତଥା ଚଉରା ପୂଜା ଏବଂ ଇଷ୍ଟ ଦେବାଦେବୀଙ୍କ ପୂଜାର୍ଚ୍ଚନା ସହିତ ପିତୃପୁରୁଷ ଏବଂ ଦେବାଦେବୀଙ୍କ ଉଦ୍ଦେଶ୍ୟରେ ଦୀପଦାନ କରାଯାଏ । 

ପିତୃପୁରୁଷ ପିତୃପକ୍ଷ ବା ଆଶ୍ୱିନ କୃଷ୍ଣପକ୍ଷରେ ପିତୃଲୋକ ପରିତ୍ୟାଗକରି ଧରାବତାରଣ କରନ୍ତି ଏବଂ କାର୍ତ୍ତିକ , ଅମାବାସ୍ୟାରେ ପୁନଶ୍ଚ ପିତୃଲୋକ ପ୍ରତ୍ୟାବର୍ତ୍ତନ କରନ୍ତି । ଚଳିତ ୨୦୨୫ ମସିହା ଅକ୍ଟୋବର ତା୨୦ରିଖ ସୋମବାର ଦିବା ଘ୩।୪୫ ଠାରୁ କାର୍ତ୍ତିକ ଅମାବାସ୍ୟା ତିଥି ପ୍ରାରମ୍ଭ ହୋଇ ତା୨୧ ରିଖ ମଙ୍ଗଳବାର ସଂଧ୍ୟା ଘ୫।୫୫ ମିନିଟ୍ ପର୍ଯ୍ୟନ୍ତ ବ୍ୟାପ୍ତ ହେଉଅଛି  ।  ତା୨୧ରିଖରେ ସୂର୍ଯ୍ୟାସ୍ତ ସଂଧ୍ୟା ଘ୫।୧୮ମିନିଟ୍‌ରେ ହେଉଅଛି ।

ଅର୍ଥାତ୍ ତା୨୦ରିଖ ସୋମବାର ଅମାବାସ୍ୟା ତିଥି ଅପରାହ୍ନ, ପ୍ରଦୋଷ (ସଂଧ୍ୟା ସମୟ) ଏବଂ ରାତ୍ରି ବ୍ୟାପିନୀ ରହିଥ‌ିବା ସମୟରେ ତା୨୧ରିଖ ମଙ୍ଗଳବାର ଅମାବାସ୍ୟା ତିଥି ସୂର୍ଯ୍ୟୋଦୟ କାଳକୁ, ମଧ୍ୟାହ୍ନ , ଅପରାହ୍ନ, ସାୟାହ୍ନ ଏବଂ ପ୍ରଦୋଷ କାଳକୁ ବ୍ୟାପ୍ତ ହେଉଅଛି ।  ଶାସ୍ତ୍ର ମତରେ ଉଭୟଦିନ ପ୍ରଦୋଷ କାଳକୁ ଅମାବାସ୍ୟା ରହୁଥିଲେ କେବଳ ଦ୍ଵିତୀୟ ଦିବସରେ ଦୀପ ପ୍ରଜ୍ଜ୍ଵଳନ, ପୟାଶ୍ରାଦ୍ଧ, ସଂଧ୍ୟାରେ ବଡ଼ବଡୁଆ ଡାକ ଏବଂ ଇଷ୍ଟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ଆଦି ହେବା ବିଧେୟ ।

ଭାରତର ଅନେକ ଶାସ୍ତ୍ରୀୟ ପ୍ରାମାଣିକ ଗ୍ରନ୍ଥ ଯଥା ନିର୍ଣ୍ଣୟ ସିନ୍ଧୁ, ଧର୍ମ ସିନ୍ଧୁ ଆଦି ଗ୍ରନ୍ଥ ଏବଂ ଓଡ଼ିଶାର ଅନେକ ପ୍ରଚଳିତ ଗ୍ରନ୍ଥ ଯଥା ଗଦାଧର ପଦ୍ଧତି (କାଳସାର), ପଣ୍ଡିତ ସର୍ବସ୍ଵ ଆଦି ଗ୍ରନ୍ଥରେ ସ୍ପଷ୍ଟ ଭାବରେ ଏହା ବର୍ଣ୍ଣିତ ହୋଇଅଛି। ଜନସାଧାରଣଙ୍କ ଜ୍ଞାତବ୍ୟ ନିମନ୍ତେ , ବର୍ତ୍ତମାନ ବଜାରରେ ଉପଲବ୍ଧ ଗଦାଧର ପଦ୍ଧତି ପୃଷ୍ଠା ୪୫୨-୪୬୫ରେ ଏବଂ ପଣ୍ଡିତ ସର୍ବସ୍ୱର ପୃଷ୍ଠା ୨୧୯ରେ ଯଥାକ୍ରମେ “ପ୍ରଦିପାମାବାସ୍ୟା ଶ୍ରାଦ୍ଧ” ଏବଂ “ଅଥ ଦୀପଦାନଂ” ପ୍ରସଙ୍ଗରେ ସ୍ପଷ୍ଟ ଭାବରେ ଭାବାର୍ଥ ସହିତ ବର୍ଣ୍ଣିତ ଅଛି ଯାହାକି ଜନସାଧାରଣଙ୍କର ସହଜରେ ବୋଧଗମ୍ୟ ହେବ ।

ଓଡ଼ିଶା ତଥା ଭାରତୀୟ ଧର୍ମଶାସ୍ତ୍ରୀୟ ବ୍ୟବସ୍ଥାକୁ ବିଚାର କଲେ ଜଣାଯାଏ ଯେ:- ଶାସ୍ତ୍ରୋକ୍ତ ମତେ-

୧). କାର୍ତ୍ତିକ ଅମାବାସ୍ୟା ଉଭୟଦିନ ପ୍ରଦୋଷକୁ ବ୍ୟାପ୍ତି ହେଉଥିଲେ କିମ୍ବା ଉଭୟ ଦିନ ପ୍ରଦୋଷକୁ ବ୍ୟାପ୍ତି ହେଉନଥିଲେ କେବଳ ପରଦିନ (ଅର୍ଥାତ୍ ଅକ୍ଟୋବର ତା୨୧ରିଖ ମଙ୍ଗଳବାର) ଦୀପାବଳି, ପୟାଶ୍ରାଦ୍ଧ, ବଡ଼ବଡୁଆ ଡାକ, ଇଷ୍ଟ ଦେବାଦେବୀ ପୂଜାର୍ଚ୍ଚନା ଆଦି କରଣୀୟ । ପୁନଶ୍ଚ ବର୍ଣ୍ଣିତ ଅଛିଯେ ଅମାବାସ୍ୟା ଉଭୟ ଦିନ ପ୍ରଦୋଷ କାଳକୁ ବ୍ୟାପ୍ତି ହେଲେ, ତେବେ ପୂର୍ବଦିନ ତ୍ୟାଗକରି ପରଦିନ ଗ୍ରହଣ କରାଯାଏ । ଏହି ପରଦିନ ରାତ୍ରିକୁ ସୁଖରାତ୍ରି କୁହାଯାଏ । ତା୨୧ରିଖ ସୋମବାର ସୂର୍ଯ୍ୟାସ୍ତ ସଂଧ୍ୟା ଘ୫।୧୮ ଏବଂ ଅମାବାସ୍ୟା ସମାପ୍ତି କାଳ ସଂଧ୍ୟା ଘ୫।୫୫ ସମୟେ ହେଉଥିବାରୁ, ତା୨୧ରିଖ ପ୍ରଦୋଷକାଳରେ ଅମାବାସ୍ୟା ତିଥି ୩୭ମିନିଟ୍ ରହୁଅଛି ।

୨). ପୁନଶ୍ଚ ପ୍ରବାଦ ଅଛି ଯେ ଚତୁର୍ଦ୍ଦଶୀ ଯୁକ୍ତ ଅମାବାସ୍ୟା (ତା୨୦ରିଖ ସୋମବାର) ରେ ଉଲ୍‌କା ଗ୍ରହଣ କଲେ ପିତୃପୁରୁଷମାନେ ନିରାଶ ହୁଅନ୍ତି। (ତେଣୁ ତା୨୦ରିଖରେ ଓଡ଼ିଶାରେ ପୟାଶ୍ରାଦ୍ଧ, ଦୀପାବଳି ପାଳନ କରିବା ଅନୁଚିତ । )

୩). ଶ୍ୟାମାକାଳୀଙ୍କ ପୂଜା ନିଶିଥ ବ୍ୟାପିନୀ ଅମାବାସ୍ୟାରେ କରଣୀୟ । ଅର୍ଥାତ୍ କାର୍ତ୍ତିକ ଅମାବାସ୍ୟା ଯେଉଁଦିନ ଅର୍ଦ୍ଧରାତ୍ର ପରକୁ ଥିବ ସେହି ରିତ୍ରିରେ ଶ୍ୟାମାକାଳୀଙ୍କ ପୂଜା କରଣୀୟ। ଏଣୁ ମା ଶ୍ୟାମାକାଳୀଙ୍କ ପୂଜା ତା୨୦ରିଖ ସୋମବାର କରଣୀୟ। ଏଥ‌ିରେ ତିଳେମାତ୍ର ସନ୍ଦେହ ନାହିଁ।

୪). ଆହୁରି ମଧ୍ୟ ଅମାବାସ୍ୟା ଶ୍ରାଦ୍ଧବ୍ୟବସ୍ଥାରେ ଦର୍ଶାଯାଇଅଛିଯେ ଯେବେ ଚତୁର୍ଦ୍ଦଶୀ ଠାରୁ ଅମାବାସ୍ୟା ତିଥିର ପରିମାଣ ଅଧିକ ହୁଏ ତେବେ ପରଦିନ ଶ୍ରାଦ୍ଧ ହୁଏ । (ଚତୁର୍ଦ୍ଦଶୀ ତିଥି ଅକ୍ଟୋବର ତା୧୯ରିଖ ଦିବା ଘ୧।୫୨ମି. ଠାରୁ ଆରମ୍ଭ ହୋଇ ତା୨୦ରିଖ ଦିବା ଘ୩।୪୫ମି. ପର୍ଯ୍ୟନ୍ତ ରହୁଅଛି । ଅର୍ଥାତ୍ ଚତୁର୍ଦ୍ଦଶୀର ପରିମାଣ ୨୫ଘଣ୍ଟା ୫୩ ମିନିଟ୍ । ଅମାବାସ୍ୟା ତିଥ୍‌ ତା୨୦ରିଖ ଦିବା ଘ୩।୪୫ମି. ଠାରୁ ଆରମ୍ଭ ହୋଇ ଅକ୍ଟୋବର ତା୨୧ରିଖ ସଂଧ୍ୟା ଘ୫।୫୫ମି. ପର୍ଯ୍ୟନ୍ତ ରହୁଅଛି । ଅର୍ଥାତ୍ ଅମାବାସ୍ୟାର ପରିମାଣ ୨୬ଘଣ୍ଟା ୧୦ମିନିଟ୍ ହେଉଅଛି । ) ଏଣୁ ଚତୁର୍ଦ୍ଦଶୀ ଠାରୁ ଅମାବାସ୍ୟାର ପରିମାଣ ଅଧିକ ହେଉଥ‌ିବାରୁ ପୟାଶ୍ରାଦ୍ଧ, ଦୀପଦାନ ଇତ୍ୟାଦି ପାଇଁ ଅକ୍ଟୋବାର ତା୨୧ରିଖ ମଙ୍ଗଳବାର ଗ୍ରହଣୀୟ

୫). ପୁନଶ୍ଚ ସ୍ମୃତି ବାକ୍ୟ ଅନୁସାରେ ବୃଦ୍ଧିଯୁକ୍ତ ଅମାବାସ୍ୟା (ଚତୁର୍ଦ୍ଦଶୀ ଠାରୁ ଅମାବାସ୍ୟାର ପରିମାଣ ଅଧିକ) ତିନି ପ୍ରହରଠାରୁ ଅଳ୍ପ ନଥାଇ ଚାରି ପ୍ରହର ପର୍ଯ୍ୟନ୍ତ ବ୍ୟାପିଥ‌ିବା ଦେଖାଯାଏ ତେବେ ସେହିଦିନ ଶ୍ରାଦ୍ଧ ହୁଏ।

ଉପରୋକ୍ତ ମତକୁ ବିଚାର କଲେ ଜଣାଯାଏ ଯେ:- ଅକ୍ଟୋବର ତା୨୧ରିଖ ଅମାବାସ୍ୟା ତିଥି ସୂର୍ଯ୍ୟୋଦୟ (ପ୍ରାତଃ ଘ୫। ୪୫ମି.) ଠାରୁ ସଂଧ୍ୟା ଘ୫।୫୫ମିନିଟ୍ ପର୍ଯ୍ୟନ୍ତ (୧୨ଘଣ୍ଟା ୧୦ମିନିଟ୍) ରହୁଅଛି । ତେଣୁ ଅକ୍ଟୋବର ତା୨୧ ରିଖରେ ଅମାବାସ୍ୟା ୩ ପ୍ରହର (ପ୍ରାୟତଃ ୯ଘଣ୍ଟା) ରୁ ଉର୍ଦ୍ଧ୍ଵ ରହୁଅଛି ଏବଂ ପ୍ରଦୋଷ କାଳକୁ ରହୁଥ‌ିବାରୁ ଦୀପାବଳି, ପୟାଶ୍ରାଦ୍ଧ, ଇଷ୍ଟଦେବାଦେବୀ ପୂଜା, ଶ୍ରୀ ଲକ୍ଷ୍ମୀ ଗଣେଶ ପୂଜା ସହିତ ବଡ଼ବଡ଼ୁଆ  ଡାକ ଇତ୍ୟାଦି ସର୍ବଶାସ୍ତ୍ର ସମ୍ମତ ଅକ୍ଟୋବର ତା୨୧ରିଖ ମଙ୍ଗଳବାର ପାଳନ କରାଯିବ ।

ସର୍ବଭାରତୀୟ ସ୍ତରରେ ଦୀପାବଳି ତଥା ଶ୍ରୀ ଲକ୍ଷ୍ମୀ ଗଣେଶ ପୂଜା ବ୍ୟବସ୍ଥା :-
ସର୍ବଭାରତୀୟ ଧର୍ମଶାସ୍ତ୍ର ଏବଂ ଧର୍ମସିନ୍ଧୁ, ନିର୍ଣ୍ଣୟସିନ୍ଧୁ ଆଦି ପ୍ରାମାଣିକ ସର୍ବମାନ୍ୟତା ଗ୍ରନ୍ଥ ଏବଂ ପଦ୍ମ ପୁରାଣ ଭବିଷୋତ୍ତର ପୁରାଣ ଆଦି ମତରେ :-

୧). ଶ୍ରୀଲକ୍ଷ୍ମୀ ଗଣେଶ ପୂଜାର କର୍ମକାଳ ପ୍ରଦୋଷ (ସଂଧ୍ୟା ସମୟ) ଅଟେ ।

୨). କାର୍ତ୍ତିକ ଅମାବାସ୍ୟା ଉଭୟଦିନ ପ୍ରଦୋଷ କାଳକୁ ବ୍ୟାପ୍ତି ହେଉଥିଲେ କିମ୍ବା ଉଭୟଦିନ ପ୍ରଦୋଷକୁ ବ୍ୟାପ୍ତି ହେଉନଥିଲେ, ପରଦିନ ଦୀପାବଳି ପାଳନୀୟ।  ପ୍ରମାଣ :-

“ତୁଳାସଂସ୍ଥେ ସହସ୍ରାଶୌ ପ୍ରଦୋଷ ଭୂତଦଶୟାଃ ,
ଉଲ୍‌କା ହସ୍ତା ନରଃ କୁର୍ଯ୍ୟଃ ପିତୃଣାମ୍ ମାର୍ଗଦର୍ଶନମ୍। ଦିନଦ୍ଵୟେ ସତ୍ତ୍ଵେ ପରଃ" – ନିର୍ଣ୍ଣୟସିନ୍ଧୁ
“ପରଦିନେ ଏବ ଦିନଦ୍ୱୟେପି ବା ପ୍ରଦୋଷବ୍ୟାପ୍ତୌ ପରାଃ" - ଧର୍ମସିନ୍ଧୁ
“ଦିନଦ୍ୱୟେ ସତ୍ତ୍ୱା ସତ୍ତ୍ଵେ ପରାଃ" – ତିଥିନିର୍ଣ୍ଣୟ

୩). ଯେବେ କାର୍ତିକ ଅମାବାସ୍ୟା ତିଥି ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର ପର୍ଯ୍ୟନ୍ତ ବ୍ୟାପ୍ତଥାଏ, ତେବେ ସେହିଦିନ ପ୍ରାତଃ ସମୟରେ ଦେବପୂଜା, ଅପରାହ୍ନରେ ଶ୍ରାଦ୍ଧ, ପ୍ରଦୋଷ ସମୟରେ ଦୀପଦାନ, ଉଲ୍‌କା ପ୍ରଦର୍ଶନ, ଶ୍ରୀଲକ୍ଷ୍ମୀ ପୂଜା କରଣୀୟ ।

୪). କାର୍ତ୍ତିକ ଅମାବାସ୍ୟା ତିଥି ଦୁଇଦିନକୁ ବ୍ୟାପ୍ତ ହୋଇ କେବଳ ପ୍ରଥମ ଦିନ ପ୍ରଦୋଷ କାଳକୁ ବ୍ୟାପ୍ତ ହେଉଥିଲେ, ପ୍ରଥମ ଦିନ ଏବଂ ଯେବେ କେବଳ ଦ୍ଵିତୀୟ ଦିନ ପ୍ରଦୋଷ କାଳକୁ ବ୍ୟାପ୍ତ ହେଉଥିଲେ, କେବଳ ଦ୍ଵିତୀୟ ଦିନରେ ଦୀପାବଳି ପାଳନୀୟ।

ଏଣୁ ଉପରୋକ୍ତ ଶାସ୍ତ୍ରୋକ୍ତ ପ୍ରମାଣକୁ ବିଚାର କରାଗଲେ- ଭାରତବର୍ଷରେ ପଶ୍ଚିମ ଏବଂ ଉତ୍ତରପଶ୍ଚିମ ରାଜ୍ୟ ( ରାଜସ୍ଥାନ, ଗୁଜରାଟ, ପଞ୍ଜାବ, ମହାରାଷ୍ଟ୍ର ଆଦି ରାଜ୍ୟ ) ରେ ଯେଉଁ ସ୍ଥାନମାନଙ୍କରେ ସୂର୍ଯ୍ୟାସ୍ତ ଆକ୍ଟୋବର ତା୨୧ରିଖ ଅମାବାସ୍ୟା ତିଥି ସମାପ୍ତି (ପ୍ରାୟତଃ ସଂଧ୍ୟା ଘ୫।୫୫ମି.)  ପରେ ଘଟୁଥ‌ିବ, ସେହି ସ୍ଥାନମାନଙ୍କରେ ଅମାବାସ୍ୟା ତିଥି କେବଳ ତା୨୦ରିଖ ସୋମବାର ପ୍ରଦୋଷ ବ୍ୟାପିନୀ ହେଉଥ‌ିବାରୁ ସେହି ପ୍ରାନ୍ତରେ ଦୀପାବଳି, ଶ୍ରୀ ଲକ୍ଷ୍ମୀ ଗଣେଶ ପୂଜା , ଶ୍ରାଦ୍ଧ ଆଦି ଅକ୍ଟୋବର ତା୨୦ରିଖ ସୋମବାର ପାଳନୀୟ ହେବ । ଏହି ଅଞ୍ଚଳର ଅଧିବାସୀମାନେ ଦେଶଚାର ମତେ ଅନ୍ୟ ପ୍ରାନ୍ତରେ ବସବାସ କରୁଥିଲେ ମଧ୍ୟ ଦୀପାବଳି ତା୨୦ରିଖ ସୋମବାର ପାଳନ କରିବାରେ କୌଣସି ଦ୍ବିଧା ନାହିଁ ।

ପ୍ରକାରାନ୍ତରେ ଅଯୋଧ୍ୟା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଆଦି ପ୍ରାନ୍ତରେ ଯେଉଁଠାରେ, ପ୍ରଭୁ ଶ୍ରୀରାମ ରାବଣ ବଦ୍ଧ ପରେ ମାତା ସୀତାଙ୍କୁ ଉଦ୍ଧାରକରି ୧୪ବର୍ଷ ବନବାସ ପରେ ଦୀପାବଳି ଦିନ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିବା ଉଦ୍ଦେଶ୍ୟରେ ଦୀପ ପ୍ରଜ୍ଜ୍ୱଳନ ସହିତ ଉତ୍ସବ ପାଳନ କରାଯାଏ, ସେହି ସ୍ଥାନରେ ଅକ୍ଟୋବର ତା୨୦ରିଖ (ଅମାବାସ୍ୟା ପ୍ରଦୋଷ ଏବଂ ରାତ୍ରିବ୍ୟାପ୍ତି) ଏବଂ ତା୨୧ରିଖ (ଅମାବାସ୍ୟା ସୂର୍ଯ୍ୟୋଦୟ ଠାରୁ ପ୍ରଦୋଷ ବ୍ୟାପ୍ତି) ରେ ଉଭୟ ଦିନ ଦୀପ ପ୍ରଜ୍ଜ୍ୱଳନ ଏବଂ ଉତ୍ସବ ପାଳନ କରାଯିବ ।

ଏଣୁ ଉପରୋକ୍ତ ପ୍ରାନ୍ତ ଏବଂ ଉଦ୍ଦେଶ୍ୟ ଭିନ୍ନ ପ୍ରାୟତଃ ଭାରତର ଅନ୍ୟ ପ୍ରାନ୍ତ ମାନଙ୍କରେ ଏବଂ ଓଡ଼ିଶାରେ ଶ୍ରୀଲକ୍ଷ୍ମୀଗଣେଶ ପୂଜା, ଦୀପାବଳି, ଶ୍ରାଦ୍ଧ, ବ୍ୟବସାୟ ବାଣିଜ୍ୟ ପ୍ରତିଷ୍ଠାନ ପୂଜା ତଥା ନୂତନ ଖାତା ପୂଜାର୍ଚ୍ଚନା, ନୂତନ ବର୍ଷର ସ୍ଵାଗତ ନିମନ୍ତେ ନବବସ୍ତ୍ର ଆଭୁଷଣାଦି ପରିଧାନ ପାରସ୍ପରିକ ଉପହାର ପ୍ରଦାନ ଆଦି ଉତ୍ସବ ପାଳନ ଅକ୍ଟୋବର ତା୨୧ରିଖ ମଙ୍ଗଳବାର ପାଳନ କରାଯିବା ।

ଉପରୋକ୍ତ ବିଷୟକୁ ବିଚାରକୁ ନେଲେ ଏହା ସ୍ପଷ୍ଟ ଜଣାଯାଏ ଯେ ଦୀପାବଳି ଭାରତ ବର୍ଷର ମହାନ ପର୍ବ ଏବଂ ଏହା ପ୍ରାନ୍ତ, ସଂପ୍ରଦାୟ ଏବଂ ଧର୍ମ ଗୋଷ୍ଠୀ ଭେଦରେ ପାଳନର ଉଦ୍ଦେଶ୍ୟ ଏବଂ କର୍ମକାଳ ଭିନ୍ନ ଭିନ୍ନ ହୋଇଯାଏ । ଚଳିଚ ବର୍ଷ ଅମାବାସ୍ୟା ତିଥି ଦୁଇଦିନକୁ ବ୍ୟାପ୍ତ ରହୁଥ‌ିବାରୁ ଭିନ୍ନ ଭିନ୍ନ ପ୍ରାନ୍ତ ସଂପ୍ରଦାୟ ଭେଦରେ ପାଳନ ଏବଂ କର୍ମକାଳ ଭିନ୍ନ ଭିନ୍ନ ହୋଇଛି । ଏଣୁ ଦୀପାବଳି ପାଳନ ଉଦ୍ଦେଶ୍ୟ ଭେଦରେ ଦ୍ବିମତ ବା ମତାନ୍ତର ନାହିଁ। ଏଣୁ ଦୀପାବଳି ଯେଉଁମାନେ ଯେଉଁ ଉଦ୍ଦେଶ୍ୟରେ ପାଳନ କରିବେ ସେମାନେ ସେହି ଦିବସରେ ଏବଂ ସେହି କର୍ମକାଳରେ ପାଳନ କରିବେ । ଏଥରେ ମତାନ୍ତର ବା ଦ୍ବିମତ ନାହିଁ ।

ସର୍ବଶେଷରେ ପ୍ରାନ୍ତ ସଂପ୍ରଦାୟ ଗୋଷ୍ଠୀ ଭେଦରେ ଦୀପାବଳି ପାଳନ ଦିବସ ବା କର୍ମକାଳରେ ପାର୍ଥକ୍ୟ ପରିଲକ୍ଷିତ ହେଲେ ମଧ୍ୟ ଏହା ସର୍ବସମ୍ମତ ଯେ ଦୀପାବଳି ଏକ ମହାନ ପର୍ବ ଏବଂ ମହୋତ୍ସବ । ଏହା ଭାରତର ଅନେକତାରେ ଏକତାର ପ୍ରତୀକ ଏବଂ ସର୍ବୋପରି ଅନ୍ଧାର ଅଜ୍ଞାନ ଅସତ୍ୟ ଉପରେ ଆଲୋକ ଜ୍ଞାନ ଏବଂ ସତ୍ୟର ବିଜୟର ପ୍ରତୀକ। "ଅସତୋ ମାଂ ସଦ୍ଗମୟ । ତମସୋ ମାଂ ଜ୍ୟୋତିର୍ଗମୟ ।”.

ଶ୍ରୀ ଦେବବର୍ଶୀ ଖଡ଼ୀରତ୍ନ 
ଅସଲି ଖଡ଼ୀରତ୍ନ ପଞ୍ଜିକା

- ଓଡ଼ିଶାରେ ଦୀପାବଳି, ପୟାଶ୍ରଦ୍ଧ ଅକ୍ଟୋବର ତା୨୧ରିଖ ମଙ୍ଗଳବାର ପାଳନ କରାଯିବ ।  ଭାରତର ପଶ୍ଚିମ ତଥା ଉତ୍ତରପଶ୍ଚିମାଞ୍ଚଳ କେତେକ ସ୍ଥାନରେ ଏବଂ ଉଦ୍ଦେଶ୍ୟ ଭେଦରେ ଦୀପାବଳି ଅକ୍ଟୋବର ତା୨୦ରିଖ ସୋମବାର ପାଳନୀୟ ।

-ଭାରତର ଅନ୍ୟ ସମସ୍ତ ଅଞ୍ଚଳରେ ଦୀପାବଳି ଅକ୍ଟୋବର ତା୨୧ରିଖ ମଙ୍ଗଳବାର ପାଳନୀୟ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe