କନକ ବ୍ୟୁରୋ: ସମୁଦ୍ରରୁ ମିଳୁଥିବା ସିପ ଓ ଶାମୁକାରୁ ଅନେକ ଲୋକ ରୋଜଗାର ପାଉଛନ୍ତି । ଏହା ଅନେକ ଲୋକଙ୍କ ଜୀବନ ଓ ଜୀବିକାର ମାଧ୍ୟମ ପାଲଟିଛି । ସିପ ସମୁଦ୍ର ବେଳାଭୂମିରୁ ଶ୍ରୀମନ୍ଦିର ଯାଏ, ପୁଣି ପାନରୁ ସୃଜନସାମଗ୍ରୀ ଯାଏଁ, ଅନେକ କ୍ଷେତ୍ରରେ ବ୍ୟବହୃତ ହେଉଛି । ଓଡ଼ିଶାର କୁଟୀର ଶିଳ୍ପଠାରୁ ଦୈନନ୍ଦିନ ଜୀବନକୁ ଏହି କ୍ଷୁଦ୍ର ରତ୍ନ ‘ସିପ’ର ଅବଦାନ କିଛି କମ୍ ନୁହେଁ ।
ରତ୍ନଗର୍ଭା ସାଗରର ଅନନ୍ୟ ଦାନ ସିପ । ସମୁଦ୍ରକୂଳକୁ ବୁଲି ଆସୁଥିବା ପର୍ଯ୍ୟଟକ ସାମୁଦ୍ରିକ ଦ୍ରବ୍ୟରୁ ପ୍ରସ୍ତୁତ କଳାକୃତିଟିଏ ସନ୍ତକ ରୂପେ କିଣିନେବାକୁ ପସନ୍ଦ କରନ୍ତି । ପର୍ଯ୍ୟଟକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପୁରୀରେ ସିପ ଓ ଶାମୁକାରୁ ପ୍ରସ୍ତୁତ ଆକର୍ଷଣୀୟ ସାଜସଜା ସାମଗ୍ରୀ - ମାଳି, କାନଫୁଲ, ପେନ୍ଷ୍ଟାଣ୍ଡ, ଖେଳନା, ଦେବାଦେବୀଙ୍କ ମୂର୍ତ୍ତି, ଚାବିନେନ୍ଥା ଓ ଭଳିକିଭଳି କଣ୍ଢେଇ ମିଳିଥାଏ । ମୁଖ୍ୟତଃ ଦୁଆର ବନ୍ଧା, ଡୋରସ୍କ୍ରିନ୍, ଝୁମର ଲ୍ୟାମ୍ପ୍, ଦୀପଦାନି, ସୁସଜ୍ଜିତ ଆଇନା, କ୍ଲିପ୍, ବ୍ରେସ୍ଲେଟ୍ ଆଦି ତିଆରି କରାଯାଏ । ପୁରୀ ବେଳାଭୂମିରେ ୧୦ ହଜାରରୁ ଅଧିକ ବ୍ୟକ୍ତି କେବଳ ଗେଣ୍ଡା, ଶଙ୍ଖ, ଶାମୁକା ଓ ସିପରୁ ପ୍ରସ୍ତୁତ ସାମଗ୍ରୀ ବିକି ପରିବାର ପ୍ରତିପୋଷଣ କରନ୍ତି ।
ଶାମୁକାରେ ତିଆରି ସୁକ୍ଷ୍ମ କାରିଗରୀ ବେଳାଭୁମି ବୁଲି ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଅନ୍ୟପଟେ କମ୍ ଖର୍ଚ୍ଚରେ ଏହି ବ୍ୟବସାୟ ଆରମ୍ଭ ହୋଇପାରୁଥିବାରୁ ଅଧିକାଂଶ ବ୍ୟକ୍ତି ଏହାକୁ ରୋଜଗାରର ମାଧ୍ୟମ କରିଛନ୍ତି । ସମୁଦ୍ରରୁ ପ୍ରାୟ ୫ ପ୍ରକାର ସିପ ମିଳିଥାଏ । ରଙ୍ଗବେରଙ୍ଗର ସିପ କିଲୋପିଛା ୩୦୦ରୁ ୪୦୦ ଟଙ୍କା ଦରରେ ବିକ୍ରି ହୁଏ । ମାତ୍ର ଧଳାସିପ କିଲୋପିଛା ୨୦୦ ଟଙ୍କାରେ ମିଳିଥାଏ । ଏଥିରେ ସାଜ୍ଜସଜା ଓ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଏ । କିଛି ଲୋକ ଏହାକୁ ସମୁଦ୍ରରୁ ସଂଗ୍ରହ କରି କେମିକାଲ ଦେଇ ସଫା କରନ୍ତି । ତା’ ପରେ କାରିଗରଙ୍କୁ ବିକ୍ରି କରନ୍ତି । ଅନେକ ଲୋକ ରଙ୍ଗିନ ସିପକୁ ଆକ୍ବାରିୟମ୍ରେ ରଖିବା ପାଇଁ କିଣିନିଅନ୍ତି ।
ବ୍ୟବସାୟୀ କୁହନ୍ତି, ପୁରୀରେ ସମୁଦ୍ର ଢେଉରେ ସିପ ଭାସିଆସେ, ହେଲେ ଏହାର ପରିମାଣ ଖୁବ୍ କମ୍ । ରାମେଶ୍ବର ଓ କନ୍ୟାକୁମାରୀ ଆଦି ସ୍ଥାନରେ ସମୁଦ୍ର ଶାନ୍ତ ରହୁଥିବାରୁ ଏଠାରେ ସିପ ବହୁ ପରିମାଣରେ ମିଳିଥାଏଏ। ଅଧିକାଂଶ ସିପ ବାହାରୁ ଆସି ଏଠାରେ ସାମଗ୍ରୀ ତିଆରି କରାଯାଏ । ଘରର ସାଜ୍ଜସଜା ସାମଗ୍ରୀ ପ୍ରସ୍ତୁତିରେ ସିପର ବ୍ୟବହାର ସୀମିତ ନୁହେଁ । ପାନରେ ଲାଗୁଥିବା ଚୂନ ମଧ୍ୟ ସିପର ଅବଦାନ । ଶ୍ରୀମନ୍ଦିର ଶୀର୍ଷରେ ଧଳା ରଙ୍ଗରେ ଚମକୁଥିବା ମକର ବେଢ଼ାଠାରୁ ଆରମ୍ଭ କରି ଘରର ଧଉଳା କାନ୍ଥରେ ଚମକ ଭରିଥାଏ ସିପ । ଛୋଟିଆ ଜିନିଷଟିଏ ସତ, କିନ୍ତୁ ତା’ର ଉପଯୋଗିତା ଦେବାଳୟରୁ ନେଇ ପାନ ଦୋକାନ ପର୍ଯ୍ୟନ୍ତ ରହିଛି ।