କନକ ବ୍ୟୁରୋ: ନକଲି ସାର୍ଟିଫିକେଟ ଦେଇ ପାଇଥିଲେ ସରକାରୀ ଚାକିରି । ପୂର୍ବରୁ ନକଲି ସସ୍, ନକଲି ମସଲା, ନକଲି ସର୍ଫ, ନକଲି ସିମେଣ୍ଟ ବାବଦରେ ଆପଣ ଶୁଣିଛନ୍ତି।   କିନ୍ତୁ ଏବେ ନକଲି ଶିକ୍ଷକଙ୍କ ବିଷୟରେ ଜାଣନ୍ତୁ । ଏଥିପାଇଁ ପ୍ରଶାସନ ଦେଇଛି ତାଲିକା । ରାଜ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ମାଳମାଳ ନକଲି ଶିକ୍ଷକଙ୍କ ତାଲିକା ଧରାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଖୋଦ ମନ୍ତ୍ରୀ ବିଧାନସଭାରେ ଶିକ୍ଷା ବ୍ୟବସ୍ଥା କେମିତି ଚାଲିଥିଲା ତାହାର ମୁଖା ଖୋଲିଛନ୍ତି ।

Advertisment

ଜାଲି ପ୍ରମାଣପତ୍ର ଦେଇ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ୪୭୪ ଜଣ ଶିକ୍ଷକଙ୍କ ନାଁରେ ଅଭିଯୋଗ ରହିଛି ।  ତଦନ୍ତ କରାଯାଇ ୨୮୦ ଜଣ ଶିକ୍ଷକଙ୍କ ଚାକିରିରୁ ବହିଷ୍କୃତ କରାଯାଇଛି ।  ୪ ଜଣ ଶିକ୍ଷକ ଚାକିରିରୁ ଇସ୍ତଫା ଦେଇଛନ୍ତି ।  ସମସ୍ତ ୪୭୪ ଜଣ ଶିକ୍ଷକଙ୍କ ନାଁରେ ଥାନାରେ ମାମଲା ହୋଇଛି । ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ୫ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ନିଆଯାଇଥିବା ବେଳେ,୩ ଜଣଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟା ଜାରି ରହିଛି ।

ପୂର୍ବ ସରକାରରେ ଶିକ୍ଷକ ନିଯୁକ୍ତିକୁ ନେଇ ଏବେ ପ୍ରଶ୍ନ ଉଠିଛି, ଜାଲି ଶିକ୍ଷକଙ୍କ ବିରୋଧରେ ଏଫଆଇଆର ଦାଖଲ କରି ଦାୟିତ୍ବ ସାରି ଦେଇଥିଲେ କି ପୂର୍ବ ସରକାର? ମାମଲା ରୁଜୁ ହୋଇଥିବା ଶିକ୍ଷକଙ୍କ ଭିତରୁ କେତେ ଜଣ ଗିରଫ ହୋଇଛନ୍ତି ? ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଥିବାବେଳେ ଜାଲି ଶିକ୍ଷକ ନିଯୁକ୍ତି ପାଇଲେ କେମିତି ? ଜାଲି ଶିକ୍ଷକଙ୍କ ପାଖରେ ପଢିଥିବା ପିଲାଙ୍କ ଭବିଷ୍ୟତ କଣ ହେବ ? ନକଲି ଶିକ୍ଷକ ପାଇଥିବା ଦରମା ସରକାରଙ୍କ ତହବିଲକୁ ଫେରିବ କେମିତି ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଏବେ ଦେବ କିଏ ?

ଶିକ୍ଷା ବିଭାଗରେ ମୋଟ ଏତିକି ଜାଲି ଶିକ୍ଷକ ରହିଛନ୍ତି ନା ଏ ତାଲିକା ଆହୁରି ଲମ୍ବିଛି। ଗତ କିଛି ବର୍ଷ ମଧ୍ୟରେ ହଜାର ହଜାର ହଜାର ଶିକ୍ଷକ ନିଯୁକ୍ତି ଦିଆଯାଇଥିବା ବେଳେ ନକଲି ଓ ଅସଲି ଶିକ୍ଷକଙ୍କୁ କେମିତି ଚିହ୍ନିବେ ସରକାର, ତାହା ଏବେ ସବୁଠୁ ବଡ ଚ୍ୟାଲେଞ୍ଜ ।