କନକ ବ୍ୟୁରୋ : ବୈଠକକୁ ଆସିଲେନି ଅଧା କର୍ପୋରେଟର । କର୍ପୋରେଟର ବସିବା ପାଇଁ ଥିବା ପ୍ରାୟ ସିଟ୍ ଗୁଡ଼ିକ ଖାଲି ପଡ଼ିଲା । ଦୁର୍ଗାପୂଜା ପୂର୍ବରୁ ବସିଥିଲା ବିଏମସିର ଗୁରୁତ୍ୱପୂର୍ଣ୍ଣ ବୈଠକ । ହେଲେ ବୈଠକରେ ୬୭ କର୍ପୋରେଟଙ୍କ ମଧ୍ୟରୁ ଉପସ୍ଥିତ ଥିଲେ ୩୦ରୁ ୩୫ ଜଣ । କେହି ମୁହଁରେ ସ୍ୱୀକାର କରୁନଥିଲେ ବି ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା ବିଜେଡ଼ି କଳି । ଏକାମ୍ର ଓ ମଧ୍ୟ ନିର୍ବାଚନ ମଣ୍ତଳିର ଅନେକ କର୍ପୋରେଟର ବୈଠକରେ ଉପସ୍ଥିତ ନଥିଲେ । ଏପରିକି ଏକାମ୍ର ବିଧାୟକ ବାବୁ ସିଂ ଉପସ୍ଥିତ ଥିଲା ବେଳେ ବିଜେଡିର କୌଣସି ବିଧାୟକଙ୍କୁ ଦେଖିବାକୁ ମିଳିନଥିଲା ।
ସେପଟେ କର୍ପୋରେଟର ବୈଠକକୁ ନଆସିବା କଥାକୁ ଏଡ଼ାଇବା ଆଳରେ ପରୋକ୍ଷରେ ତେରଛା ବାଣ ମାରିଛନ୍ତି ଅମରେଶ । କହିଛନ୍ତି, ବୈଠକକୁ ଆସିବାକୁ କେହି ବାରଣ କରିନାହାନ୍ତି । ସମସ୍ତଙ୍କ ସହ ସଂପର୍କ ଭଲ ଅଛି । ହେଲେ ନେତାଙ୍କ କଥା ଗୋଟିଏ, ଚିତ୍ର କିନ୍ତୁ ଆଉ ଗୋଟିଏ । ନିକଟରେ ଶଙ୍ଖ ଭବନରେ ଭୁବନେଶ୍ୱରରେ ବିଜେଡ଼ି କଳି କାହାକୁ ଅଛପା ନାହିଁ । ଆଉ ଏହି କଳିର ସମାଧାନ ହେଉନଥିବାରୁ କର୍ପୋରେଟର ବୈଠକ ବର୍ଜନ କରିଥିବା ଚର୍ଚ୍ଚା ହେଉଛି । ସେପଟେ ମେୟର କହିଛନ୍ତି, ବିଏମସିରେ ସବୁ ଠିକ ଚାଲିଛି ।
ଦୁର୍ଗାପୂଜା ପାଇଁ ବିଏମସିର ଏହି ବୈଠକରେ ରାସ୍ତାଘାଟ, ବିଜୁଳି, ଡ୍ରେନ କାମ ସାରିବାକୁ କର୍ପୋରେଟରମାନଙ୍କୁ କୁହାଯାଇଛି । ହେଲେ ଯେଉଁ ବୈଠକରେ କର୍ପୋରେଟର ନାହାନ୍ତି, ସେଠି କାମ କେମିତି ହେବ ବୋଲି ପ୍ରଶ୍ନ ଉଠୁଛି ।