କନକ ବ୍ୟୁରୋ: ଏବେ ବିମାନ ଯାତ୍ରା କରିବାକୁ ଡରିଲେଣି ଲୋକେ । କାରଣ ଦିନକୁ ଦିନ ବିମାନ ଅଘଟଣର ଖବର ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରୁଛି । ଏକ ରିପୋର୍ଟ ମୁତାବକ,  ନିକଟରେ ଦେଶର ସବୁଠାରୁ ବ୍ୟସ୍ତବହୁଳ ୨୦ଟି ବିମାନବନ୍ଦରରେ ଗତ ଦୁଇ ବର୍ଷ ମଧ୍ୟରେ ବିମାନ ଉପରେ ବାର୍ଷିକ ୨,୦୦୦ ପକ୍ଷୀ ଓ ପଶୁମାଡ଼ ରେକର୍ଡ କରାଯାଇଛି । 

Advertisment

ଡିଜିସିଏ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୨୦୨୨ରେ ଏହିସବୁ ବିମାନବନ୍ଦରରେ ୧୬୩୩ଟି ପକ୍ଷୀ ମାଡ଼ ହୋଇଥିଲା । ୨୦୨୩ରେ ଏହା ୨୨୬୯କୁ ବୃଦ୍ଧି ପାଇଥିବା ବେଳେ ୨୦୨୪ରେ ଏହା ସାମାନ୍ୟ ହ୍ରାସ ପାଇ ୨୦୬୬ ଥିଲା । ଗତ ତିନି ବର୍ଷ ମଧ୍ୟରେ ଦିଲ୍ଲୀରେ ବାର୍ଷିକ ହାରାହାରି ୪୦୦ରୁ ଅଧିକ ଘଟଣା ଘଟିଥିବା ବେଳେ ୨୦୨୨ରେ ୪୪୨, ୨୦୨୩ରେ ୬୧୬ ଓ ୨୦୨୪ରେ ୪୧୯ ପକ୍ଷୀ ମାଡ଼ ହୋଇଥିଲା । ୨୦୨୫ରେ ଏପର୍ଯ୍ୟନ୍ତ ୯୫ଟି ହିଟ୍ ରେକର୍ଡ କରାଯାଇଛି। ଅହମଦାବାଦ ହେଉଛି ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ବିମାନବନ୍ଦର । ତେବେ ୨୦୨୨ରେ ମାତ୍ର ୮୦ଟି ହିଟ୍ ରେକର୍ଡ ହୋଇଥିବା ବେଳେ ୨୦୨୩ରେ ୨୧୪ ଓ ୨୦୨୪ରେ ୨୦୧ ପଶୁପକ୍ଷୀ ମାଡ଼ ହୋଇଥିଲା। 

ବିମାନ ବନ୍ଦରରେ ପକ୍ଷୀ-ପଶୁ ଉପଦ୍ରବକୁ ମୁକାବିଲା କରିବା ପାଇଁ ଜାତୀୟ ବନ୍ୟପ୍ରାଣୀ ବିପଦ ପରିଚାଳନା କମିଟିର ପ୍ରଥମ ବୈଠକ ନିକଟରେ ଦିଲ୍ଲୀସ୍ଥିତ ଡିଜିସିଏ ମୁଖ୍ୟାଳୟରେ ଏହାର ମହାନିର୍ଦ୍ଦେଶକ ଫୈଜ ଅହମଦ କିଦୱାଇଙ୍କ ଅଧ୍ୟକ୍ଷତାରେ ଡକାଯାଇଥିଲା  । ଏଥିରେ ଦେଶର ସମସ୍ତ ବିମାନ ବନ୍ଦର ଓ ଏୟାରଲାଇନ୍ସର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ଡିଜିସିଏର ଉପସ୍ଥାପନାରେ ଗୋଟିଏ ଆଶ୍ଚର୍ଯ୍ୟଜନକ ଦିଗ ସାମ୍ନାକୁ ଆସିଥିଲା । ସମସ୍ତ ବିମାନ ବନ୍ଦରରେ ପକ୍ଷୀ ପ୍ରଜାତି ଚିହ୍ନଟରେ ଅଭାବ । କେବଳ ୨୪% କ୍ଷେତ୍ରରେ ପକ୍ଷୀ ପ୍ରଜାତି ଚିହ୍ନଟ ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି । ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍ ଅଧିକାରୀମାନେ କହିଛନ୍ତି , ଏହି ବିମାନବନ୍ଦରରେ ବାଦୁଡ଼ି ଏକ ବଡ଼ ବିପଦ ଭାବେ ଉଭା ହୋଇଛି । ପକ୍ଷୀମାଡ଼ର ମୁକାବିଲା ପାଇଁ ବ୍ଲାକ୍ ଲାଇଟ୍ ଟ୍ରାପ୍, ପୋଲ୍ ପିଜିଅନ, ନାଇଟ୍ ଭିଜନ ବାଇନୋକୁଲାର, ବ୍ୟାଟ୍ ଡିଟେକ୍ସନ ଡିଭାଇସ୍, ଏଭିଆନ୍ ଡିଫେଣ୍ଡର୍ସ ଏବଂ ଜୀବବିଜ୍ଞାନୀଙ୍କୁ ନିୟୋଜିତ କରିବା ଭଳି କୌଶଳ ଅବଲମ୍ବନ କରାଯାଉଛି ।