କନକ ବ୍ୟୁରୋ: ଛତିଶଗଡ ନାରାୟଣପୁର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟରରେ ନକ୍ସଲ ସଙ୍ଗଠନର ମୁଖିଆ ନମ୍ବାଲା କେଶବ ରାଓ ଓରଫ୍ ବାସବରାଜୁର ମୃତ୍ୟୁ ପରେ ଏବେ ହିଡ଼ମା ଓ ଅନ୍ୟ ନକ୍ସଲ ଲିଡରଙ୍କୁ ଖୋଜୁଛି ସୁରକ୍ଷା ବଳ । ଜଙ୍ଗଲରେ ପଇଁତରା ମାରୁଛନ୍ତି ଯବାନ । ନକ୍ସଲଙ୍କୁ ନିପାତ କରିବାକୁ ପଣ କରିଛନ୍ତି ସରକାର ।
ଏବେ ରାଜ୍ୟରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ନକ୍ସଲବାଦ । ବିଶେଷତଃ ଛତିଶଗଡ଼, ଓଡ଼ିଶା, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରର ଜଙ୍ଗଲୀ ଇଲାକାରେ ଚାଲିଛି ସର୍ଚ୍ଚ ଅପରେସନ୍ । ଚଳିତ ବର୍ଷ ଏସବୁ ଅଞ୍ଚଳରେ ସୁରକ୍ଷାବଳ ଚଳାଇଛି ବଡ ଧରଣର ଅପରେସନ୍, ଯେଉଁଥିରେ ନିପାତ ହୋଇଛି ମାଓ ମୁଖିଆ ବାସବରାଜୁ , ଆତ୍ମସମର୍ପଣ କରୁଛନ୍ତି ଶହଶହ ନକ୍ସଲ ।
ବାସବରାଜୁ ପରେ ଏବେ ପାଳି ମାଡ଼ବୀ ହିଡ଼ମା ଓ ତାଙ୍କ ପରି ଅନ୍ୟ କୁଖ୍ୟାତ ମାଓ ଲିଡରଙ୍କର । ହିଡ଼ମା ଯିଏ ହିଡ଼ମନ୍ନା, ହିଡ଼ମାଲୁ ବା ସନ୍ତୋଷ ନାଁରେ ଜଣାଶୁଣା । ଘର ଛତିଶଗଡ଼ର ସୁକମା ଜିଲ୍ଲାର ପୂବର୍ତ୍ତି ଗାଁରେ । ଭାକପା ବା ପିପୁଲ୍ସ ଲିବରେସନ୍ ଗରିଲ୍ଲା ଆର୍ମିର ବାଟାଲିୟନ୍ ନମ୍ବର -୧ ର କମାଣ୍ଡର । ଅନେକ ବଡ଼ ବଡ଼ ମାଓ ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛନ୍ତି ହିଡ଼ମା । ନିଜର କଠୋର ରଣନୀତି ଓ ଯବାନଙ୍କ ଉପରେ ଆକ୍ରମଣ ପାଇଁ ସେ ଜଣାଶୁଣା ।
୨୦୧୩ରେ ଝିରମ୍ ଘାଟିରେ ହୋଇଥିବା ଆକ୍ରମଣରେ ସେ ସାମିଲ ଥିଲେ, ଯେଉଁଥିରେ ୩୩ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣରେ କଂଗ୍ରେସର ବରିଷ୍ଠ ନେତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ୨୦୧୦ରେ ଦାନ୍ତେୱାଡା ଆକ୍ରମଣ, ଯେଉଁଥିରେ ୭୬ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ ଏବଂ ୨୦୧୭ରେ ବୁରକାପାଲ ଆକ୍ରମଣ, ଯେଉଁଥିରେ ୨୪ ଯବାନ ସହିଦ ହୋଇଥିଲେ , ସେଥିରେ ହିଡ଼ମା ଥିଲେ ମାଷ୍ଟରମାଇଣ୍ଡ । ଏହାପରେ ୨୦୨୧ରେ ବିଜାପୁରରେ ବିସ୍ଫୋରଣ ଘଟାଇଥିଲେ । ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିଲେ ।
ହିଡ଼ମାଙ୍କ ଉପରେ ୪୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ଛତିଶଗଡ଼ ସରକାର । ଏହାସହ ଏନଆଇଏ ମଧ୍ୟ ତାଙ୍କ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି । ମୋଟାମୋଟି କହିବାକୁ ଗଲେ ମାଓ ଲିଡର ହିଡ଼ମାଙ୍କ ଉପରେ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା ହୋଇଛି ।
ଖାଲି ହିଡ଼ମାଙ୍କୁ ନୁହେଁ ତାଙ୍କ ପରି ଅନ୍ୟ କୁଖ୍ୟାତ ମାଓ ଲିଡର ସୁଜାତା, ମୁଚାକି ଯୋଗୀ, କିକିଦ ଦେବେ, ଅସୀମ ମଣ୍ଡଳ ଅଛନ୍ତି ମୋଷ୍ଟ୍ ୱାଣ୍ଟେଡ୍ ତାଲିକାରେ । ଏବେ ଏମାନଙ୍କୁ ଖୋଜୁଛନ୍ତି ଯବାନ । ଏମାନଙ୍କ ଉପରେ ମଧ୍ୟ ସରକାର କରିଛନ୍ତି ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ।