କନକ ବ୍ୟୁରୋ: ଆମ ରାଜ୍ୟରେ ହେଉ ବା ଦେଶରେ ଥରକୁ ଥର ଘଟୁଛି ନୀରିହ ଝିଅ ଓ ମହିଳାଙ୍କ ମୃତ୍ୟୁ  ।  ଦୀର୍ଘ ଦିନ ବିତିଯିବା ପରେ ବି ସେ ମୃତ୍ୟୁର କାରଣ ଜଣାପଡ଼ୁନି । ରହସ୍ୟରେ ରହିଯାଉଛି ମୃତ୍ୟୁ । ଆଜି ଏହି କ୍ରମରେ ରାଜ୍ୟର କିଛି ଏଭଳି ନୀରିହ ଝିଅଙ୍କ ମୃତ୍ୟୁ ଉପରେ ନଜର ପକାଇବା ଯାହା ଏବେ ବି ରହସ୍ୟାବୃତ ହୋଇରହିଯାଇଛି । ସତେ ଯେମିତି ସେମାନଙ୍କ ମୃତ୍ୟୁର ମାମଲା ଫାଇଲ କେଉଁଆଡେ ହଜିଯାଇଛି ।

Advertisment

ଶନିବାର ଦିଲ୍ଲୀ ଏମ୍ସରେ ଚିକିତ୍ସା ଚାଲିଥିବାବେଳେ ଆଖି ବୁଜିଲେ ପୁରୀ ବଳଙ୍ଗା ପୀଡ଼ିତା । ଜୁଲାଇ ୧୯ ତାରିଖ ସକାଳୁ ନାବାଳିକା ଜଣକ ନିଜ ସାଙ୍ଗ ଘରକୁ ଯାଉଥିବାବେଳେ ୩ ଜଣ ଯୁବକ ତାଙ୍କୁ ଟେକିନେଇ ନଈ ପଠାରେ କିରୋସିନ ଢାଳି ନିଆଁ ଲଗାଇ ଫେରାର ହୋଇଗଲେ । ଜଳୁଥିବା ଅବସ୍ଥାରେ ଅତି ଅସହାୟ ଭାବେ ନାବାଳିକା ଜଣକ ଯାଇ ପହଞ୍ଚିଥିଲେ କିଛି ଦୂରରେ ଥିବା ଜଣେ ବ୍ୟକ୍ତିଙ୍କ ଘରେ । ସେ ପରିବାର ଲୋକେ ନାବାଳିକାଙ୍କୁ ପ୍ରଥମେ ପୋଷାକ ପିନ୍ଧାଇ ପାଣି ପିଇବାକୁ ଦେଇ ନା ଗାଁ ଠିକଣା ପଚାରିବା ସହ ତାଙ ଘରକୁ ଖବର ଦେଇଥିବାବେଳେ ତୁରନ୍ତ ତାଙ୍କୁ ପାଖ ଡାକ୍ତରଖାନାକୁ ପଠାଯାଇଥିଲା । ସେଠାରୁ ତାଙ୍କୁ ଭୁବନେଶ୍ବର ଏମ୍ସ ପରେ ଓ ପରେ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲା । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ବୋଲି ମଧ୍ୟ କୁହାଗଲା । ତାଙ୍କ ସ୍କିନ୍ ସର୍ଜରୀ ବି ହୋଇଥିଲା । ତଥାପି କ’ଣ ହେଲା ଯେ ସେଠାରୁ ତାଙ୍କ ମୃତ୍ୟୁ ଖବର ଆସିଲା , ଯାହାକୁ କେହି ବି ଗ୍ରହଣ କରିପାରୁନାହାନ୍ତି । ଏପଟେ ପୀଡ଼ିତାଙ୍କ ଗାଁରେ ଘନ ଘନ ଯାଞ୍ଚ କରୁଥିଲା ପୁଲିସ ।  ଏତେ ସବୁ ପରେ ବି ନା ଧରାପଡ଼ିଲେ ଅଭିଯୁକ୍ତ  ନା ବଞ୍ଚିଲା ପୀଡ଼ିତାଙ୍କ ଜୀବନ ।


ଆଉ ଏକ ଘଟଣା ଯାଜପୁର ବିଞ୍ଝାରପୁର  ମଧୁସୂଦନପୁର ଗ୍ରାମର । ୨୦୦୨ ଅଗଷ୍ଟ ୯ ତାରିଖ ଘଟଣା , ୨ ବର୍ଷର କୁନି ଝିଅ   ଗାଁ ଦାଣ୍ଡରେ ଖେଳୁଥିଲା । କିଛି ସମୟ ପରେ ମା ମୋନାଲିସା ଆସି ଦେଖିବା ବେଳକୁ ଝିଅ ଆଉ ନାହିଁ ।  ୟା ଭିତରେ ୫ ବର୍ଷ ବିତିଗଲାଣି । ହେଲେ କୁନି ଝିଅର କିଛି ପତ୍ତା ନାହିଁ । ଝିଅକୁ ଖୋଜିଆଣିବାକୁ ମା’  । ପୁଲିସ ପ୍ରଶାସନଠାରୁ ସରକାର ସମସ୍ତଙ୍କ  ପାଖରେ ନେହୁରା ହୋଇ ଥକିଗଲେଣି ପିହୁଙ୍କ ମା ହେଲେ କେହି କିଛି ଶୁଣିବାକୁ ନାରାଜ । ଏବେ ନିକଟରେ ବିଜେପି ସରକାରଙ୍କୁ ବି ଗୁହାରି କଲେ , ଧାରଣା ଦେବାକୁ ବି ଚେତାବନୀ ଦେଲେ ହେଲେ କାହାରି କାନରେ କିଛି ପଡ଼ୁନି । ଏତେ ବର୍ଷ ହେଲା ଦାଣ୍ଡରୁ କୁଆଡ଼େ ଗଲା କୁନି ଝିଅ ପିହୁ, କିଏ କେଉଁଆଡ଼େ ନେଇଗଲା  । ଏବେ ବି ପିହୁର ନିଖୋଜ ଘଟଣା ରହସ୍ୟ ଘେରରେ । 

ସେହି ଯାଜପୁରର ଆଉ ଏକ ଘଟଣା । ୨୦୧୯ର ବହୁଚର୍ଚ୍ଚିତ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ଘଟଣା । ୨୦୧୯ ସେପ୍ଟେମ୍ବର ୧୬ ତାରିଖରେ ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ବାଳଙ୍କୁ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସ୍‌ରେ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିଲା । ଘଟଣାଦିନ ସ୍ମିତାରାଣୀ ସରକାରୀ କାର୍ଯ୍ୟରେ ହରିଦାସପୁର ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ତନଖି କରିବାକୁ ଯାଇଥିଲେ । ମଧ୍ୟାହ୍ନରେ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସ୍‌କୁ ସ୍ମିତାରାଣୀଙ୍କୁ ମଧ୍ୟାହ୍ନଭୋଜନ ପାଇଁ ନିମନ୍ତ୍ରଣ କରାଯାଇଥିଲା । ଆଉ ସେହିଠାରେ ହିଁ ପୂର୍ବ ଯୋଜନା ମୁତାବକ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ରାଜନୈତିକ ଚାପରେ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ପୁଲିସ ଆରମ୍ଭରୁ ଉଦ୍ୟମ କରିଥିଲା । ଏପରିକି ଅନୁସନ୍ଧାନ ପୂର୍ବରୁ ତତ୍କାଳୀନ ଏସ୍‌ପି ଚରଣ ସିଂ ମୀନା ଏହାକୁ ଆତ୍ମହତ୍ୟା ଦର୍ଶାଇ ବିବାଦରେ ଫସିଥିଲେ । ତରବରିଆ ଭାବେ ବ୍ୟବଚ୍ଛେଦ କରି ଶବକୁ ରାତାରାତି ପୋଡ଼ି ଦିଆଯାଇଥିଲା । ପ୍ରମାଣ ନଷ୍ଟ ପାଇଁ‌ ଗେଷ୍ଟ ହାଉସ୍‌କୁ ବିଭିନ୍ନ ଆଳ ଦେଖାଇ ଭାଙ୍ଗି ଦେଇଥିଲା ପ୍ରଶାସନ । ଏହି ଘଟଣାରେ କେବଳ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କୁ ଗିରଫ କରାଯାଇଥିଲା ।ହେଲେ ପ୍ରକୃତ ଅଭିଯୁକ୍ତର ଟେର ମିଳିଲାନି କି ଏହା ହତ୍ୟା ବୋଲି କିଛି ପ୍ରମାଣ ମିଳିଲାନି । 

ସ୍ମିତାରାଣୀଙ୍କ ହତ୍ୟାକାଣ୍ଡ ଫାଇଲ ଏଯାଏଁ ଖୋଲିପାରିଲାନାହିଁ । ଏହା ହତ୍ୟା ନା ଆତ୍ମହତ୍ୟା, ହତ୍ୟା ପୂର୍ବରୁ ସ୍ମିତାରାଣୀଙ୍କ ସହିତ କ’ଣ ଘଟିଥିଲା, ଏହି ଘଟଣାରେ ଆଉ କିଏ ସବୁ ସମ୍ପୃକ୍ତ ଥିଲେ  ଏମିତି ଅନେକ ଅସମାହିତ ପ୍ରଶ୍ନ ଅନ୍ଧାରରେ ରହିଗଲା। ଘଟଣାକୁ ୬ବର୍ଷ ବିତିଥିବାବେଳେ ସ୍ମିତାରାଣୀଙ୍କ ସ୍ବାମୀ ସୁଶିଲ ବିଶ୍ବାଳ ଓ ତାଙ୍କର ଏକମାତ୍ର ଝିଅ ଏବେ ବି ନ୍ୟାୟ ଅପେକ୍ଷାରେ ରହିଛନ୍ତି । ଏବେବି ସ୍ମିତାରାଣୀଙ୍କ ମୃତ୍ୟୁ ରହସ୍ୟ ଘେରରେ ।

୨୦୧୩ର ଘଟଣା ଯେବେ ପୁରୀ ଜିଲ୍ଲାରୁ ଯାଇ  ରାୟଗଡ଼ା ଟିକିରିରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ଇତିଶ୍ରୀ ପ୍ରଧାନଙ୍କୁ କିଛି ଦୁର୍ବତ୍ତ କିରୋସିନ ପକାଇ ପୋଡ଼ି ମାରିଦେଲେ । ହସ୍ପିଟାଲ ବେଡରେ ଗୁରୁତର ଅବସ୍ଥାରେ ପୀଡ଼ିତା ଅଭିଯୁକ୍ତଙ୍କ ନାଁ ନେଇ ନ୍ୟାୟ ମାଗିଲେ । ତଦନ୍ତ  ଆରମ୍ଭ ହେଲା । ପ୍ରଥମେ ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା କିନ୍ତୁ କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ବିଫଳ ହେବାରୁ ଏହି ଦାୟିତ୍ବ ସିବିଆଇକୁ ଦିଆଗଲା । ହେଲେ ସିବିଆଇ ଅଭିଯୁକ୍ତଙ୍କୁ ଖୋଜି ବାହାର କରିବା ଦୂରେ ଥାଉ ଚିହ୍ନଟ ବି କରିପାରିଲା ନାହିଁ । ଶେଷରେ ଇତିଶ୍ରୀଙ୍କ ମୃତ୍ୟୁ ପରେ ଘଟଣା କ୍ରମରେ ଏହି ମାମଲାର ତଦନ୍ତରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ସୁପ୍ରମିକୋର୍ଟ । ଝିଅ ଚିନ୍ତା କରି କରି , ଆଉ ନ୍ୟାୟର ବାଟ ଚାହିଁ ଚାହିଁ ଇତିଶ୍ରୀଙ୍କ ବାପା ବି ଆରପାରିକୁ ଚାଲିଗଲେ । ହେଲେ ଫଳ ଶୂନ୍ ।

କୁନ୍ଦୁଲି ପୀଡ଼ିତାଙ୍କ ଘଟଣା ବି ସେହିଭଳି । ଗଣ ଦୁଷ୍କର୍ମର ଶିକାର ହେବା ପରେ ନ୍ୟାୟ ପାଇଲେନି । ପୁଲିସ ପୀଡ଼ିତାଙ୍କୁ ଦୀର୍ଘଦିନ ହେପାଜତରେ ରଖି ଚିକିତ୍ସା କରାଇଥିଲେ ବି ଏହା ଗଣଦୁଷ୍କର୍ମ ନୁହେଁ କହି ପୀଡ଼ିତାଙ୍କ ଅଭିଯୋଗକୁ ମିଛ ବୋଲି ସାବ୍ୟସ୍ତ କରିଥିଲେ । ଶେଷରେ ନ୍ୟାୟ ନପାଇ ନି ଓଢ଼ଣୀରେ ଫାଶି ଲଗାଇ ଜୀବନ ହାରିଲେ ପୀଡ଼ିତା ।

୨ ବର୍ଷ ତଳେ ବଲାଙ୍ଗୀର କଣ୍ଟାବାଂଜିର ମମିତା ମେହେର ହତ୍ୟା ଘଟଣା । କଲେଜ ପରିସରରେ ଚାଲିଥିବା ବେଆଇନ ତଥା ଅନୈତିକ କାର୍ଯ୍ୟ ବିଷୟରେ ସେଠାରେ କାର୍ଯ୍ୟରତା ଶିକ୍ଷୟିତ୍ରୀ ମମିତା ମେହେର ଜାଣିଥିବାରୁ ତାଙ୍କୁ ଗୋବିନ୍ଦ ସାହୁ ନାମକ ବ୍ୟକ୍ତି ହତ୍ୟା କରିଥିଲା । କେବଳ ହତ୍ୟା ନୁହେଁ ତାଙ୍କୁ ମାରି ପୋଡ଼ି  କଲେଜ ପରିସର ଭିତରେ ପୋତିଦେଇଥିଲା । ଏ ଘଟଣାର ଖୋଳତାଡ଼ ହେଲା , ତଦନ୍ତ ବି ହେଲା କିନ୍ତୁ ଏଥିରେ ନେତା , ମନ୍ତ୍ରୀଙ୍କ ହାତ ଥିବା ଅଭିଯୋଗ ହୋଇଥିଲା । କ୍ରମେ ଏହି ଘଟଣା ବି କେଉଁଠି ଲୁଚିଗଲା । 

ରାଜ୍ୟରେ ଏମିତି ସମୟକୁ ସମୟ ଝିଅଙ୍କ ଜୀବନ ଯାଉଛି ହେଲେ ଅଭିଯୁକ୍ତ ଧରାପଡ଼ୁନାହାଁନ୍ତି । ପ୍ରଶ୍ନ  କ’ଣ ଅଭିଯୁକ୍ତ କେଉଁଆଡ଼େ ଉଭେଇ ଯାଉଛନ୍ତି ନା ଜାଣିଶୁଣି ଅଭିଯୁକ୍ତଙ୍କୁ ଆଢୁଆଳରେ ରଖାଯାଉଛି ।ଏବେବି ଏସବୁ ଘଟଣା, ଯୁବତୀଙ୍କ ମୃତ୍ୟୁ ରହସ୍ୟମୟ ହୋଇ ରହିଛି ।