କନକ ବ୍ୟୁରୋ: 

Advertisment

ଭାରତର ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କୁ ଯଥାର୍ଥରେ ଜଣେ ପ୍ରସିଦ୍ଧ ଚିନ୍ତକ ଓ ବିଦ୍ୱାନ ବ୍ୟକ୍ତି ଭାବେ ଅଭିହିତ କରାଯାଇଥାଏ । ତାଙ୍କର କଠିନ ଅଧ୍ୟବ୍ୟବସାୟ ଏବଂ ପ୍ରତ୍ୟେକ କାର୍ଯ୍ୟପ୍ରତି ଶୈକ୍ଷିକ ଦୃଷ୍ଟିକୋଣରୁ ଚିନ୍ତନ ନିମନ୍ତେ ସେ ସୁପରିଚିତ । ଏଥିସହ ସମସ୍ତଙ୍କ ନିକଟରେ ଉପଲବ୍ଧ ହେବା ଓ ତାଙ୍କର ନିରଳସ ବ୍ୟକ୍ତିତ୍ୱ ଦ୍ୱାରା ସେ ସମସ୍ତଙ୍କ ପ୍ରଶଂସାଭାଜନ ହୋଇପାରିଛନ୍ତି । 

ମନମୋହନ ସିଂହ ଅବିଭକ୍ତ ଭାରତର ପଞ୍ଜାବ କ୍ଷେତ୍ରର ଏକ ଗ୍ରାମରେ ୧୯୩୨ମସିହା ସେପ୍ଟେମ୍ବର ୨୬ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ୧୯୪୮ ମସିହାରେ ମନମୋହନ ସିଂହ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ମାଟ୍ରିକ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ । ତାଙ୍କର ଅଧ୍ୟୟନର ଦୀର୍ଘ ଯାତ୍ରା ତାଙ୍କୁ ପଞ୍ଜାବଠାରୁ ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ପହଞ୍ଚାଇଥିଲା । ସେଠାରୁ ସେ ୧୯୫୭ ମସିହାରେ ଅର୍ଥଶାସ୍ତ୍ରରେ ପ୍ରଥମ ଶ୍ରେଣୀରେ ସମ୍ମାନର ସହ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ୧୯୬୨ ମସିହାରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ନିଫିଲ୍ଡ କଲେଜରୁ ଡି.ଫିଲ୍ ଡିଗ୍ରୀ ଲାଭ କରିଥିଲେ । ତାଙ୍କ ଦ୍ୱାରା ରଚିତ ପୁସ୍ତକ “India’s Export Trends and Prospects for Self-Sustained Growth” (Clarendon Press. Oxford, 1964) ଭାରତର ଅନ୍ତର୍ମୁଖୀ ବାଣିଜ୍ୟ ନୀତି ସମ୍ପର୍କରେ ଏକ ମୌଳିକ ପ୍ରାରମ୍ଭିକ ବିଶ୍ଲେଷଣାତ୍ମକ ଗ୍ରନ୍ଥ ।

ମନମୋହନଙ୍କ ଶୈକ୍ଷିକ ପ୍ରତିଭା ସେ ଅଧ୍ୟାପନା କରୁଥିବା ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଏବଂ ପ୍ରଖ୍ୟାତ ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସରେ ହିଁ ପୁଷ୍ଟ ଓ ପୂର୍ଣ୍ଣ ବିକଶିତ ହୋଇଥିଲା । ଏହି ଅଧ୍ୟାପନା କାଳରେ ସେ ସ୍ୱଳ୍ପ ସମୟ ପାଇଁ UNCTAD ସଚିବାଳୟରେ ମଧ୍ୟ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ । ପରେ ସେ ଜେନିଭାଠାରେ ୧୯୮୭ରୁ ୧୯୯୦ ମସିହା ପର୍ୟ୍ୟନ୍ତ ସାଉଥ୍ କମିଶନର ମହାସଚିବ ଭାବେ ନିଯୁକ୍ତ ହୋଇ ଦାୟିତ୍ୱ ସଂପାଦନ କରିଥିଲେ ।

୧୯୭୧ ମସିହାରେ ଡକ୍ଟର ସିଂହ ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟର ଆର୍ଥିକ ପରାମର୍ଶଦାତା ଭାବେ ଯୋଗ ଦେଇଥିଲେ । ଏହା ପରେ ଖୁବଶୀଘ୍ର ୧୯୭୨ ମସିହାରେ ତାଙ୍କୁ ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିଲା । ଡକ୍ଟର ସିଂହ କାର୍ୟ୍ୟ କରିଥିବା ଗୁରୁତ୍ୱପୂର୍ଣ୍ଣ ପଦପଦବୀ ମଧ୍ୟରେ ଅର୍ଥମନ୍ତ୍ରଣାଳୟରେ ସଚିବ, ଯୋଜନା କମିଶନର ଉପାଧ୍ୟକ୍ଷ, ଭାରତୀୟ ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର, ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଟା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ପଦ ଅନ୍ୟତମ ।

ସ୍ୱାଧୀନ ଭାରତର ଆର୍ଥିକ ଇତିହାସରେ ଏକ ଯୁଗାନ୍ତକାରୀ ମୋଡ ଭାବେ ଗ୍ରହଣ କରାଯାଇଥିବା ୧୯୯୧ରୁ ୧୯୯୬ ମସିହା ପର୍ଯ୍ୟନ୍ତ ପାଞ୍ଚ ବର୍ଷର ଅବଧିରେ ସେ ଭାରତର ଅର୍ଥମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ । ଏହି ସମୟରେ ସେ ଆର୍ଥିକ ସଂସ୍କାର ଦିଗରେ ଯେଉଁ ବ୍ୟାପକ ନୀତିର ଅୟମାରମ୍ଭ କରିଥିଲେ ତାହା ଏବେ ବିଶ୍ୱବ୍ୟାପୀ ସ୍ୱୀକୃତ । ଭାରତର ସେହି ଅବଧି ଡକ୍ଟର ସିଂହଙ୍କ ବ୍ୟକ୍ତିତ୍ୱ ସହ ଓତଃପ୍ରୋତ ଭାବେ ଜଡିତ ଥିବା ସମୟ ବୋଲି ସାଧାରଣ ଜନତା ଗ୍ରହଣ କରିଛନ୍ତି ।

ନିଜର ଦୀର୍ଘ କର୍ମମୟ ଜୀବନ ମଧ୍ୟରେ ଡକ୍ଟର ସିଂହ ଅଜସ୍ର ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇପାରିଛନ୍ତି । ସେଗୁଡିକ ମଧ୍ୟରୁ ପ୍ରମୁଖ ହେଲା, ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣ (୧୯୮୭), ଭାରତୀୟ ବିଜ୍ଞାନ କଂଗ୍ରେସର ଜବାହାରଲାଲ ନେହରୁ ଜନ୍ମଶତବାର୍ଷିକୀ ପୁରସ୍କାର (୧୯୯୫), ବର୍ଷର ଶ୍ରେଷ୍ଠ ଅର୍ଥମନ୍ତ୍ରୀ ଭାବେ ଏସିଆ ମନି ପୁରସ୍କାର(୧୯୯୩ ଏବଂ ୧୯୯୪), ବର୍ଷର ଶ୍ରେଷ୍ଠ ଅର୍ଥମନ୍ତ୍ରୀ ଭାବେ ୟୁରୋମନି ପୁରସ୍କାର (୧୯୯୩), କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଆଡାମ ସ୍ମିଥ୍ ପୁରସ୍କାର (୧୯୫୬), କେମ୍ବ୍ରିଜ ସେଂଟ୍ ଜୋନ୍ସ କଲେଜରେ ଉଲ୍ଲେଖନୀୟ କାର୍ୟ୍ୟ ନିମନ୍ତେ ପ୍ରଦତ୍ତ ରାଇଟ୍ସ ପ୍ରାଇଜ୍ (୧୯୫୫) ଅନ୍ୟତମ । ଡକ୍ଟର ସିଂହ ମଧ୍ୟ ଦେଶ ବିଦେଶର ଅନ୍ୟ ବହୁ ପ୍ରସିଦ୍ଧ ସଂସ୍ଥା ଓ ସଂଗଠନଠାରୁ ଅନେକ ସମ୍ମାନ ଲାଭ କରିଛନ୍ତି ଓ ସେଥି ମଧ୍ୟରେ ଜାପାନର ନିହୋନ୍ କେଇଜାଇ ସିମ୍ବୁନ୍ ସମ୍ମାନ ଅନ୍ୟତମ । ସେହିଭଳି କେମ୍ବ୍ରିଜ ଓ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସମେତ ଭାରତ ତଥା ବିଶ୍ୱର ବହୁ ବିଶ୍ୱବିଦ୍ୟାଳୟ ଡକ୍ଟର ସିଂହଙ୍କୁ ସମ୍ମାନ ସୂଚକ ଡିଗ୍ରୀମାନ ପ୍ରଦାନ କରିଛନ୍ତି ।

ଡକ୍ଟର ସିଂହ ବିଭିନ୍ନ ପଦପଦବୀରେ ରହି ଭାରତକୁ ଅନେକ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀ ଓ ବିଶ୍ୱ ଅନୁଷ୍ଠାନରେ ପ୍ରତିନିଧିତ୍ୱ କରିଛନ୍ତି । ସେ ସାଇପ୍ରସ ଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ସରକାରୀ ମୁଖ୍ୟ ବୈଠକ (୧୯୯୩)ରେ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ ଏବଂ ୧୯୯୩ ମସିହାରେ ଭିଏନାଠାରେ ଆୟୋଜିତ ବିଶ୍ୱ ମାନବିକ ଅଧିକାର ସମ୍ମିଳନୀରେ ଭାରତୀୟ ଦଳର ନେତୃତ୍ୱ ଗ୍ରହଣ କରିଥିଲେ ।

ରାଜନୈତିକ ଜୀବନରେ ଡକ୍ଟର ସିଂହ ଭାରତୀୟ ସଂସଦର ରାଜ୍ୟସଭାକୁ ୧୯୯୧ ମସିହାଠାରୁ ନିର୍ବାଚିତ ହେବା ସହ ୧୯୯୮ଠାରୁ ୨୦୦୪ ମସିହା ପର୍ୟ୍ୟନ୍ତ ବିରୋଧୀ ଦଳ ନେତା ଦାୟିତ୍ୱ ନିର୍ବାହ କରିଥିଲେ । ୨୦୦୪ ମସିହାରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ପରେ ଡକ୍ଟର ମନମୋହନ ସିଂହ ମେ ୨୨ ତାରିଖ ଦିନ ଭାରତର ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ ଏବଂ ପୁନର୍ବାର ୨୦୦୯ ମସିହା ମେ’ ୨୨ ତାରିଖ ଦିନ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି ପଦବୀ ମଣ୍ଡନ କରିଥିଲେ ।