କନକ ବ୍ୟୁରୋ: କଂଗ୍ରେସ ମୁଖ୍ୟାଳୟରେ ପୂର୍ବ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ପାର୍ଥିବ ଶରୀର । ଶେଷ ଦର୍ଶନ କଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡଗେଙ୍କ ସହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଆଉ ସୋନିଆ ଗାନ୍ଧୀ । ତେବେ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ତାଙ୍କ ବାସଭବନରୁ କଂଗ୍ରେସ ମୁଖ୍ୟାଳୟକୁ ନିଆଯାଇଛି। ସେଠାରେ ପାଖାପାଖି ୧ ଘଣ୍ଟା ରଖାଯିବ। ଦଳର ବରିଷ୍ଠ ନେତା ମନମୋହନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବେ। ଏହାପରେ ଆରମ୍ଭ ହେବ ଶେଷ ଯାତ୍ରା। ଦିନ ୧୧ଟା ୪୫ ମିନିଟରେ ନିଗମବୋଧ ଘାଟରେ ହେବ ସ୍ବର୍ଗତ ମନମୋହନ ସିଂହ ଶେଷକୃତ୍ୟ। ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ। ମନମୋହନ ସିଂହଙ୍କ ଶେଷକୃତ୍ୟ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଅନୁଷ୍ଠିତ ହେବ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ଜାତୀୟ ଶୋକ ପାଳନ କରାଯାଉଥିବାରୁ ଆଜି ରାଷ୍ଟ୍ରପତି ଭବନରେ 'ଚେଞ୍ଜ ଅଫ୍ ଗାର୍ଡ' ଉତ୍ସବ ଅନୁଷ୍ଠିତ ହେବ ନାହିଁ। ଏହା ଏକ ସାମରିକ ପରମ୍ପରା, ଯେଉଁଥିରେ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀଙ୍କ ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀଠାରୁ ଦାୟିତ୍ୱ ଗ୍ରହଣ କରନ୍ତି। ପ୍ରତି ସପ୍ତାହରେ ଏହା ଅନୁଷ୍ଠିତ ହୋଇଥାଏ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ସାତ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ସାରା ଦେଶରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ।