କନକ ବ୍ୟୁରୋ: ୨୬ରେ ଆସିଥିଲେ, ୨୬ରେ ହିଁ ବାହୁଡ଼ି ଗଲେ…ଅନ୍ତର ମାତ୍ର ୨  ମାସର । ହଠାତ୍‌ ଆମେ କାହିଁକି ଏମିତି କହିଲୁ ବୁଝାପଡୁନଥିବ । କିନ୍ତୁ ଏ ୨୬ ତାରିଖ ଯେ ପୁରା ଭାରତ ଲାଗି ଅଭିଶାପ ପାଲିଟିଗଲା ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଓ ଆଲୋଚନା । ଆମେ କହୁଛୁ ପୂର୍ବତନ ପ୍ରଧାନମନ୍ତ୍ରୀ, ଅର୍ଥନୀତିଜ୍ଞ, ଜ୍ଞାନୀ, ଗୁଣି ଡ. ମନମୋହନ ସିଂହଙ୍କର କଥା । ଯେତେବେଳେ ଭାରତର ଅର୍ଥନୀତି ବାଟବଣା ହୋଇଥିଲା ଠିକ୍‌ ସେହି ସମୟରେ ମନମୋହନଙ୍କ ପ୍ରଚେଷ୍ଟାରେ ଇକୋନୋମିକ୍ସ ରାସ୍ତାକୁ ଫେରିଥିଲା । ଖାଲି ଏତିକି ନୁହେଁ ବରଂ ପ୍ରଧାନମନ୍ତ୍ରୀତ୍ବ କାଳରେ ସେ ନେଇଥିବା ନିଷ୍ପତ୍ତିକୁ ଭାରତ କାଳକାଳ ମନେରଖିବାକୁ ବାଧ୍ୟ ନିଶ୍ଚିତ । କିନ୍ତୁ ହଠାତ୍‌ ତାଙ୍କର ନିଧନ ହେବା ପରେ ସ୍ତବ୍ଧ ପୁରା ଭାରତ, ଶୋକାକୂଳ ପରିବେଶ । ସବୁଠୁ ଦୁଃଖର କଥା ଯେଉଁ ତାରିଖରେ ସେ ଜନ୍ମ ହୋଇଥିଲେ ସେହି ତାରିଖରେ ଶ୍ରୀ ସିଂହ ଆଖି ବୁଜିଲେ । ତେବେ ଆଜି ଆସନ୍ତୁ ଜାଣିବା କାହିଁକି ଦେଶ ଝୁରୁଛି ଭାରତ ରତ୍ନ ମନମୋହନଙ୍କୁ…

Advertisment

ଡ଼. ମନମୋହନ ସିଂ । ଭାରତର ପୂର୍ବ ପ୍ରଧାନମନ୍ତ୍ରୀ । ଥରେ ନୁହେଁ ବରଂ ଲଗାତାର ଦୁଇଦୁଇ ଥର ସର୍ବୋଚ୍ଚ କ୍ଷମତାରେ ବସିବାର ସୁଯୋଗ ପାଇଥିଲେ । ପିଏମ ହେବା ପରେ ଦେଶର ଅର୍ଥନୀତିକୁ ସୁଦୃଢ କରିବା ଲାଗି ସେ ଯେଉଁ କାମ କରିଥିଲେ ତାହା ପୁରା ବିଶ୍ବରେ ବେଶ ପ୍ରଶଂସା ସାଉଣ୍ଟିଛି । ଶ୍ରୀ ସିଂହ ଏକାଧାରାରେ ରାଜନୀତିଜ୍ଞ, ଅର୍ଥନୀତିଜ୍ଞ, ଶିକ୍ଷାବିତ୍‌ ଓ ପ୍ରଶାସନିକ ଅଧିକାରୀ ଥିଲେ । ପୂର୍ବ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ, ଇନ୍ଧିରା ଗାନ୍ଧୀଙ୍କ ସହ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ  ଯଦି ସର୍ବାଧିକ କ୍ଷମତାରେ କିଏ ପିଏମ ହୋଇଥିଲେ ସେ ହେଉଛନ୍ତି ମନମୋହନ ।

ଭାରତର ଅର୍ଥନୈତିକ ସଂସ୍କାର ଓ ଉଦାରୀକରଣର ସ୍ଥପତି ଭାବେ କାଳକାଳ ଲାଗି ମନେ ରହିବେ ମନମୋହନ । ସେଦିନ ଥିଲା ୧୯୯୧ ମସିହା । ଦେଶରେ ଦେଖାଦେଇଥିଲା ବୈଦେଶିକ ମୁଦ୍ରାର ଘୋର ସଙ୍କଟ । ଆୟଠାରୁ ବ୍ୟୟ ବହୁଗୁଣା ଅଧିକ ରହିବାରୁ ବିଶାଳ ଅର୍ଥନୀତି ନିଅଣ୍ଟ ସ୍ଥିତିକୁ ସଙ୍ଗୀନ କରିଥିଲା । ସ୍ଥିତି ସ୍ବାଭାବିକ କରିବାକୁ ଆନ୍ତର୍ଜାତୀକ ମୁଦ୍ରା ପାଣ୍ଠି ବା ଆଇଏମଏଫ୍‌ର ସହାୟତା ଲୋଡ଼ା ଯାଇଥିଲା । ସୁନା ବନ୍ଧା ରଖି ପାଣ୍ଠି ଯୋଗାଡ଼ କରାଯାଇଥିଲା। ଦେବାଳିଆ ହେବାକୁ ବସିଥିଲା ଭାରତ । ଆଉ ସେତିକି ବେଳେ ଦେଶର ଅର୍ଥନୀତିକୁ ଟ୍ରାକକୁ ଫେରାଇ ଆଣିବାକୁ ସତେ ଯେମିତି ଶପଥ କରିଥିଲେ ମନମୋହନ । କେବଳ ଶପଥ କରିଥିଲେ ତାହା ନୁହେଁ ବରଂ ଅର୍ଥନୀତିକୁ ମଜବୁତ କରିଥିଲେ । ତାଙ୍କରି ସମୟରେ ୧୯୯୨ରେ ଭାରତର ସର୍ବବୃହତ୍‌ ଷ୍ଟକ୍ ଏକ୍ସଚେଞ୍ଜ ‘ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ’ ପ୍ରତିଷ୍ଠା କରାଯାଇଥିଲା । ଦେବାଳିଆ ହେବାକୁ ଯାଉଥିବା ଏକ ଦେଶକୁ ଦ୍ରୁତ ବିକାଶ ପଥରେ ପହଞ୍ଚାଇବା ମନମୋହନଙ୍କ ଅବଦାନ ଚିରସ୍ମରଣୀୟ ରହିବ।

ଡ଼. ମନମୋହନ ସିଂ । ଆରବିଆଇ ଗଭର୍ଣ୍ଣରଠୁ ଆରମ୍ଭ କରି ପ୍ରଫେସର, ମନ୍ତ୍ରଣାଳୟର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା, ଅର୍ଥ ମନ୍ତ୍ରଣାଳୟର ସଚିବଙ୍କ ସହ ପିଏମ ପଦରେ ବସିଥିଲେ ମନମୋହନ । ଏତେ ଉଚ୍ଚ ପଦରେ ଥିବା ପରେ ବି ନାଁ ତାଙ୍କର କେବେ ଅହଙ୍କାର ଥିଲା ନାଁ ନିଜ କାମର ବିଜ୍ଞାପନରେ ସେ ବିଶ୍ବାସ ରଖୁଥିଲେ । ଲକ୍ଷ୍ୟ ତାଙ୍କର କେବଳ ଗୋଟିଏ ଥିଲା କେମିତି ଦେଶର ବିକାଶ ହେବ, କେମିତି ସାଧାରଣ ଲୋକଙ୍କ ଆର୍ଥିକସ୍ତର ମଜବୁତ ହେବ । ସେଇଥି ଲାଗି ତ ମନରେଗାଠାରୁ ଆରମ୍ଭ କରି ଖାଦ୍ୟ ସୁରକ୍ଷା, ଜାତୀୟ ସ୍ବାସ୍ଥ୍ୟ ମିଶନ ଆଦି କେତେ କଣ ଯୋଜନା ।

ଖାଲି ଏତିକି ନୁହେଁ  ବରଂ ଭାରତ ସହ ଅନ୍ୟ ଦେଶର ସମ୍ପର୍କ କେମିତି ମଜବୁତ ହେବ, କେମିତି ପ୍ରତିରକ୍ଷା କ୍ଷେତ୍ର ବୃଦ୍ଧିପାଇବ ସେନେଇ ବି ଯୋଜନା କରିବା ସହିତ ପାକିସ୍ତାନ, ଚୀନ, ଆମେରିକା ସହ ଭଲ ବନ୍ଧୁ ହୋଇପାରିଥିଲେ ଶ୍ରୀ ସିଂହ । ଅବଶ୍ୟ ପ୍ରତ୍ୟକ୍ଷ ଭାବରେ ରାଜନୈତିକ ମୈଦାନକୁ ଓହ୍ଲାଇନଥିଲେ ବି ୫ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଆଉ ପ୍ରତିଥର ନିଜର ଭଦ୍ର ଓ ଶାନ୍ତ ସ୍ବଭାବ ଲାଗି ଶାସକଙ୍କଠୁ ଆରମ୍ଭ କରି ବିରୋଧୀମାନେ ମଧ୍ୟ ତାଙ୍କୁ ହୃଦୟରୁ ଭଲପାଉଥିଲେ । ଆଉ ହଠାତ୍‌ ଗତକାଲି ଯେବେ ତାଙ୍କ ନିଧନ ହେବାର କଥା ସାମ୍ନାକୁ ଆସିଲା ପୁରା ଭାରତ ସ୍ତବ୍ଧ…ସତରେ ଏମିତି ଯୋଗଜନ୍ମାଙ୍କୁ ହରାଇ ଭାରତମାତା ବି ଆଜି କାନ୍ଦୁଥିବ ନିଶ୍ଚୟ…କାଳ କାଳ ପାଇଁ ମନେରହିବେ ମନମୋହନ…ମନେ ରହିବେ ମନମୋହନ ।