କନକ ବ୍ୟୁରୋ: ରାଜ୍ୟ ବିଜେପି ସଙ୍ଗଠନର ନବକଳେବର ଆରମ୍ଭ ହୋଇଛି । କିନ୍ତୁ ରାଜ୍ୟ ସଭାପତି କିଏ ହେବ ତାକୁ ନେଇ ସସପେନ୍ସ ଜାରି ରହିଛି । ମନମୋହନ ରିପିଟ ହେବେ ନା ରାଜ୍ୟର ନୂଆ ମୁଖିଆ ଦେଖିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଓଡ଼ିଶାରେ ବିଜେପି ପ୍ରଥମ ଥର ଏକାକୀ ସରକାର ଗଢିବାରେ ସଫଳ ହୋଇଛି। କିନ୍ତୁ ଆଗକୁ ଦଳର ନେତୃତ୍ୱ କିଏ ନେବ? କିଏ ଦଳ ପାଇଁ ରଣନୀତି ଓ ନୀତି ନିର୍ଦ୍ଧାରଣ କରିବ? ଏ ପ୍ରଶ୍ନ ଏଥିପାଇଁ, କାରଣ ମନମୋହନଙ୍କ କାର୍ୟ୍ୟକାଳ ଶେଷ ହେଉଥିବା ବେଳେ ସାଙ୍ଗଠନିକ ନିର୍ବାଚନ ପାଇଁ ସଜବାଜ ହେଲାଣି ବିଜେପି । ଦଳ ସରକାରରେ ଥିବାରୁ ସଭାପତି ରେସରେ ଅନେକ ନେତାଙ୍କ ନାଁ ଚର୍ଚ୍ଚାକୁ ଆସୁଛି। ଅନ୍ୟପଟେ ମନମୋହନଙ୍କୁ ବିଜେପିରେ କେଉଁ ଭୂମିକାରେ ଦେଖିବାକୁ ମିଳିବ ତାହା ବି ବଡ ପ୍ରଶ୍ନ? ଦିଲ୍ଲୀ ନେତୃତ୍ୱ ପୁଣିଥରେ ମନମୋହନଙ୍କୁ ଭରସିବେ ନା ନୂଆ ନେତାଙ୍କୁ ସୁଯୋଗ ଦେଇ ସଙ୍ଗଠନକୁ ଆଗକୁ ବଢାଇବେ ତାହା ଉପରେ କର୍ମୀଙ୍କ ନଜର ରହିଛି ।
କେବଳ ରାଜ୍ୟସ୍ତରର ନେତୃତ୍ୱ ନୁହେଁ ତୃଣମୂଳସ୍ତରରେ ଦଳକୁ ଅଧିକ ସଙ୍ଗଠିତ କରିବାକୁ ଅଣ୍ଟା ଭିଡୁଛି ବିଜେପି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଜିଲ୍ଲାୱାରୀ ସଙ୍ଗଠନ ଯେପରି ଅଧିକ କ୍ରୀୟାଶୀଳ ହେବ ସେନେଇ ଅଙ୍କ କଷୁଛି ଦଳ। ଦକ୍ଷ ସଙ୍ଗଠକ ଓ ଯୁବ ଚେହେରାଙ୍କୁ ସାମ୍ନାକୁ ଆଣି ପଞ୍ଚାୟତସ୍ତରରେ ବିଜେଡିକୁ ଚେକ୍ ଦେବାକୁ ରୀତିମତ ଉଦ୍ୟମ ଆରମ୍ଭ କରିଛି। ଏଥିପାଇଁ,
- ଆସନ୍ତା ୫ରୁ ବୁଥ ସଭାପତି ଚୟନ ହେବେ
- ମଣ୍ଡଳ ଓ ଜିଲ୍ଲା ସଭାପତିଙ୍କ ପରେ ରାଜ୍ୟ ସଭାପତି ବାଛିବ ଦଳ
ବିଜେପିର ସଦସ୍ୟତା ଅଭିଯାନ ପରେ ନୂଆ କର୍ମୀଙ୍କ ସଂଖ୍ୟା ହିଁ ଦଳର ସାଙ୍ଗଠନିକ ସ୍ଥିତିକୁ ସାମ୍ନାକୁ ଆଣିବ। କିନ୍ତୁ ଦଳର ଲୋକପ୍ରିୟତା ପଞ୍ଚାୟତ ଓ ପୌର ନିର୍ବାଚନର ଫଳାଫଳରୁ ସ୍ପଷ୍ଟ ହେବ। ତେଣୁ ତୃଣମୂଳସ୍ତରରୁ ରାଜ୍ୟସ୍ତରୀୟ ପର୍ଯ୍ୟନ୍ତ ଦକ୍ଷ ସଙ୍ଗଠକଙ୍କୁ ନେତୃତ୍ୱ ଭାର ଦେଇପାରେ ବିଜେପି ।