କନକ ବ୍ୟୁରୋ:  ମନମୋହନ  ଜଣେମାତ୍ର ପାର୍ଥୀ ନାମାଙ୍କନ ଦାଖଲ କରିଥିବାରୁ, ମନମୋହନ ସାମଲଙ୍କୁ ଔପଚାରିକ ଭାବେ ବିଜେପି ରାଜ୍ୟ ସଭାପତି ଘୋଷଣା କରାଯାଇଛି । ଚତୁର୍ଥଥର ଦଳର ଦାୟିତ୍ୱ ନେବା ପରେ, ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ମନମୋହନ । ସରକାରଙ୍କ ପଛରେ ଖୁଣ୍ଟ ଭଳି ଛିଡ଼ା ହେବ ଦଳ । ସାଇନବୋର୍ଡ ପାର୍ଟିରୁ ସରକାର ଗଢ଼ିଛି ବିଜେପି । ତେଣୁ ବିଜେପି ସରକାର ଲମ୍ବା ଇନିଂସ ଖେଳିବ ।  ୨୦୩୬ ଓ ୨୦୪୭ ମସିହା ବି ଦେଖିବ ବିଜେପି ସରକାର । 

ସରକାର ଆସିବା ପରେ, ଲୋକଙ୍କ ଆଶା ପୂରଣ କରିବାର ଦାୟିତ୍ୱ ବଢ଼ିଛି । ସରକାରକୁ ଆସିବା ପରେ ଆମେ ଶୋଇବା ନାହିଁ ବୋଲି ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ୱାନ କରିଛନ୍ତି ବିଜେପି ରାଜ୍ୟ ସଭାପତି । ଏହି ଦୁଇପଦ କଥାରୁ ସ୍ପଷ୍ଟ ହେଉଛି ଯେ, ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ସୂତ୍ରଧର ପାଲଟିବେ ମନମୋହନ ସାମଲ ।  ସରକାରଙ୍କ ସଫଳତାକୁ ଗାଁ ଗାଁରେ ପହଞ୍ଚାଇବାର ଦାୟିତ୍ୱ ନେବ ଦଳ ।  ସଂଗଠନ ପାଇଁ ସରକାର ଯେମିତି ଅପବାଦ ନମୁଣ୍ଡାନ୍ତି ତାର ଯତ୍ନ ନେବ ।  ଏ କଥାକୁ ମଧ୍ୟ ହୃଦୟଙ୍ଗମ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 

ମନମୋହନ... ଯାହାଙ୍କ ନେତୃତ୍ୱରେ ଦଳ ସରକାର ଗଢ଼ିବାକୁ ସମର୍ଥ ହେଲା, ତାଙ୍କ ଦୀର୍ଘ ଅଭିଜ୍ଞତାକୁ ଉପଯୋଗ କରିବାର ନକ୍ସା ବୋଧହୁଏ ବହୁ ପୂର୍ବରୁ ପ୍ରସ୍ତୁତ ହୋଇସାରିଥିଲା । ଜଗନ୍ନାଥ ପ୍ରଧାନ... ଦଳୀୟ ନେତା ଜଗନ୍ନାଥ ପ୍ରଧାନଙ୍କ ପାଇଁ ସରକାର ଅକଳରେ ପଡ଼ିଥିଲେ । ହେଲେ ଲୋକଙ୍କ ସ୍ୱାର୍ଥର ଦ୍ୱାହି ଦେଇ, ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟରେ ଆତ୍ମସମର୍ପଣ କଲେ । କୁହାଯାଉଛି ପୁରା ପ୍ରକରଣରେ ସରକାରଙ୍କ ପାଇଁ ସଂକଟମୋଚକ ସାଜିଲେ ବିଜେପି ରାଜ୍ୟ ସଭାପତି ।  ସନ୍ତୋଷ ଖଟୁଆ... ସମାନ ଢଙ୍ଗରେ ନିଳଗିରି ବିଧାୟକ ସନ୍ତୋଷ ଖଟୁଆ ଏବେ ସରକାରଙ୍କ ପାଇଁ ଅଡୁଆ ବଢ଼ାଇଛନ୍ତି। ନାରୀନେତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା, ମହିଳାଥାନାରୁ ମାନବାଧିକାର କମିସନ୍ ଯାଏଁ ପହଞ୍ଚିଲାଣି । ତେଣୁ ଏହି ସଂକଟରୁ ସରକାର ଓ ସଂଗଠନକୁ କେମିତି ଉଦ୍ଧାର କରିବେ ମନମୋହନ ତା ଉପରେ ନଜର । 

ରଥଯାତ୍ରା ଦଳଚକଟା... ଓଡ଼ିଆ ଅସ୍ମିତାର କଥା କହି କ୍ଷମତାକୁ ଆସିଛି ବିଜେପି ସରକାର । ଲୋକଙ୍କ ସରକାର ନ୍ୟାରେଟିଭ ବଜାୟ ରଖିବାକୁ ହେଲେ ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାର ବଡ଼ ଆହ୍ୱାନ ରହିଛି । ରଥଯାତ୍ରା ପରିଚାଳନାରେ ପ୍ରଶାସନର ବିଫଳତା ମୋହନ ସରକାରଙ୍କ ମୁଣ୍ଡରେ ଅପବାଦ ବୋଳିଛି । ଉଭୟ ସରକାର ଓ ସଂଗଠନରେ ଦୀର୍ଘ ଅଭିଜ୍ଞତା ଥିବାରୁ ଆଗକୁ ଏଭଳି ସଂକଟ ଏଡ଼ାଇବାରେ ପ୍ରମୁଖ ଭୂମିକା ନେବେ ମନମୋହନ ସାମଲ ।