କନକ ବ୍ୟୁରୋ : କଥାରେ ଅଛି ପଥର ଛାତିକୁ ଚିରିପାରେ ମାଆର ପଣତ । ନିଜ ପିଲାଙ୍କ ପାଇଁ ଯମ ସହ ବି ଲଢ଼େଇ କରିବାକୁ ପଛଘୁଞ୍ଚା ଦିଏ ନାହିଁ ମାଆ । ଦୁନିଆରେ ଏମିତି କୌଣସି କାମ ନାହିଁ ଯାହା ସେ ତା ପିଲା ପାଇଁ କରିପାରିବ ନାହିଁ । ସେଥିପାଇଁ କେବେ ସେ ରୋଗୀକୁ ନୂଆ ଜୀବନ ଦିଏ ତ ଆଉ କେବେ ଅଜଣା ଶବକୁ ପୋଷ୍ଟମର୍ଟମ କରି ପରିଚୟ ଦିଏ । ଏସବୁ ଖାଲି ତା ପିଲାଙ୍କ ପେଟରେ ଦୁଇ ମୁଠା ଦାନା ଦେବା ପାଇଁ କରିଥାଏ ଜଣେ ମାଆ । 

Advertisment

୨୫ ବର୍ଷ ପୂର୍ବେ ହଠାତ୍‌ ମଞ୍ଜୁଦେବୀଙ୍କ ସ୍ୱାମୀଙ୍କର ମୃତ୍ୟୁ ହୁଏ । ଆଉ ତା ପରେ ପାଞ୍ଚ ପାଞ୍ଚଟି ପିଲାଙ୍କ ଲାଳନ ପାଳନର ଦାୟିତ୍ୱ ତାଙ୍କ ଉପରେ  ଥିଲା । ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେ ତାଙ୍କ ଶ୍ୱଶୁର ଏବଂ ସ୍ୱାମୀଙ୍କ ପରି ସମାନ ବାଟ ବାଛିଥିଲେ । ବିହାରର ସମସ୍ତିପୁରର ୫୦ ବର୍ଷୀୟା ମଞ୍ଜୁ ଦେବୀଙ୍କ କାହାଣୀ...ଦୃଢ଼ତା, ତ୍ୟାଗ ଏବଂ ଅସାଧାରଣ ସାହସର ଏକ ଉଦାହରଣ । ଗତ ୨୫ ବର୍ଷ ଭିତରେ ସେ ଜଣେ ସହାୟକ ଭାବରେ ୩୦/ ୩୫ ହଜାରରୁ ଅଧିକ ଡେଡ୍‌ ବଡିର ପୋଷ୍ଟମର୍ଟମ୍ କରିଛନ୍ତି । ମଞ୍ଜୁ ଦେବୀ କଠିନ ପରିଶ୍ରମ ଏବଂ ସାହସ ମାଧ୍ୟମରେ ଏହି ବୃତ୍ତିକୁ ଗ୍ରହଣ କରିଥିଲେ ।ପୋଷ୍ଟମର୍ଟମ ପରି କଷ୍ଟକର କାମ ତାଙ୍କ ଜୀବିକାର ଉତ୍ସ ପାଲଟିଥିଲା । ଯାହା ପାଇଁ ସେ ଶରୀର କାଟିବା ଏବଂ ଶିଲେଇ କରିବା ଶିଖିଗଲେ ।

ମଞ୍ଜୁ ଦେବୀ କୁହନ୍ତି ଯେ ତାଙ୍କର ପ୍ରଥମ ପୋଷ୍ଟମର୍ଟମ୍ ଜଣେ ୨୨ ବର୍ଷୀୟ ଯୁବକଙ୍କର ଥିଲା । ଯିଏ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ସେ ଭୟରେ ଥରୁଥିଲେ ଏବଂ କାନ୍ଦୁଥିଲେ, କିନ୍ତୁ ତାଙ୍କ ପିଲାମାନଙ୍କର ଭବିଷ୍ୟତ ତାଙ୍କ ଆଖି ଆଗରେ ଥିଲା । ଡାକ୍ତରଙ୍କ ନିର୍ଦ୍ଦେଶ ପାଳନ କରି ସାହସ ଜୁଟାଇ ମୃତ ଶରୀରକୁ ପୋଷ୍ଟମର୍ଟମ କରିଥିଲେ । ସେ କୁହନ୍ତି ଯେ ସେ ଦିନ ଘରକୁ ଫେରିବା ପରେ ସେ ଖାଇପାରିଲେ ନାହିଁ କି ଶୋଇପାରିଲେ ନାହିଁ, କିନ୍ତୁ ସେ ତାଙ୍କର ଦାୟିତ୍ୱ ପୂରଣ କରିଥିଲେ । ସେ ସମୟରେ ମୃତ ଶରୀର ଦେଖି ଡରୁଥିବା ମହିଳା ଆଜି ଜଣେ  ବୃତ୍ତିଗତ ଭାବେ ପୋଷ୍ଟମର୍ଟମ ସହାୟକ ପାଲଟିଯାଇଛନ୍ତି । 

ମଞ୍ଜୁ ଦେବୀଙ୍କ ଜୀବନର ସଂଘର୍ଷ ଏବେ ତାଙ୍କ ପିଲାମାନଙ୍କ ସଫଳତାରେ ଝଲସୁଛି । ତାଙ୍କ କଷ୍ଟକର ଦିନଗୁଡ଼ିକରେ ସେ ଯେଉଁ ଚ୍ୟାଲେଞ୍ଜିଂ କାମ କରିଥିଲେ ତାହା ଏବେ ଫଳ ଦେଇଛି । ତାଙ୍କର ଦୁଇ ପୁଅ ସଂଗୀତରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ନିଜର ସଂଗୀତ ତାଲିମ କେନ୍ଦ୍ର ଚଳାଉଛନ୍ତି  । ତାଙ୍କର ଦୁଇ ଝିଅ, ସେମାନଙ୍କର ସ୍ନାତକୋତ୍ତର ପାଠପଢ଼ା ସମାପ୍ତ କରି, ସିଭିଲ୍ ସର୍ଭିସେସ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ପିଲାମାନେ ମାଆଙ୍କ ଉପରେ ଗର୍ବିତ, ଯିଏ ସେମାନଙ୍କୁ ବଡ଼ କରିବା ଏବଂ ଭଲ ଶିକ୍ଷା ପ୍ରଦାନ କରିବା ପାଇଁ ଏତେ କଷ୍ଟ ସହିଥିଲେ । ତେବେ ମଞ୍ଜୁ ଦେବୀ ପ୍ରମାଣ କରିଛନ୍ତି ଯେ ନିଷ୍ଠା ଏବଂ ଦୃଢ଼ ନିଷ୍ପତ୍ତି ସହିତ କିଛି ବି କଷ୍ଟକର ନୁହେଁ । ଗୋଟିଏ ମାଆ ତାର ପିଲାମାନଙ୍କ ପାଇଁ କିଛି ବି କରିପାରେ ।