କନକ ବ୍ୟୁରୋ: ଦିଲ୍ଲୀ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଫେବୃଆରୀରେ ଆରମ୍ଭ ହେବ ଭୋଟିଂ । ଆଉ ଏଥିପାଇଁ ରାଜନୈତିକ ଦଳ ଜୋରସୋରରେ ଲାଗିପଡିଛନ୍ତି । ଆଉ ଏହି କ୍ରମରେ ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ଅରିବିନ୍ଦ କେଜ୍ରିଓ୍ବାଲ ବଡ ଘୋଷଣା କରିଛନ୍ତି । ସେ ଜଙ୍ଗପୁରାରେ ପ୍ରଚାର ସମୟରେ କହିଛନ୍ତି ଆମ ଆଦମୀ ପାର୍ଟିର ନୂଆ ସରକାରରେ ମନୀଷ ସିସୋଦିଆ ଡେପୁଟି ସିଏମ ହେବେ ।
କେଜ୍ରିଓ୍ବାଲ କହିଛନ୍ତି ମନୀଷ ସିସୋଦିଆ ମୋ ସେନାପତି, ମୋ ଛୋଟ ଭାଇ ଆଉ ମୋ ପ୍ରିୟ ଲୋକ । ଦିଲ୍ଲୀରେ ଆମ ଆଦମୀ ପାର୍ଟିର ସରକାର ହେବାକୁ ଯାଉଛି । ଦଳର ୨/୪ଟା ସିଟ କମ ଆସିବ ହେଲେ ଆମ ଆଦମୀ ପାର୍ଟି ହିଁ ସରକାର ଗଢିବ । ଆଉ ଏହି ସରକାରରେ ମନୀଷ ସିସୋଦିଆ ଉପମୁଖ୍ୟମନ୍ତ୍ରୀ ହେବେ । ଯଦି ଆପଣଙ୍କ ବିଧାୟକ ଉପମୁଖ୍ୟମନ୍ତ୍ରୀ ହେବେ ତେବେ ସବୁ ଅଧିକାରୀ ଆପଣଙ୍କ କାମ ଫୋନରେ ହିଁ କରିଦେବେ ।
ସେ ଆହୁରି କହିଥିଲେ କି, ଯେଉଁ ଲୋକ ବିଜୁଳି ବିଲ ଶୂନ ଚାହୁଁଛନ୍ତି ସେମାନେ ଆମ ଆଦମୀ ପାର୍ଟିକୁ ଭୋଟ ଦିଅନ୍ତୁ ଆଉ ଯେଉଁ ଲୋକ ମୋଟା ଅଙ୍କର ବିଜୁଳି ବିଲ ଚାହୁଁଛନ୍ତି ସେମାନେ ବିଜେପିକୁ ଭୋଟ ଦିଅନ୍ତୁ । ବିଜେପି କହୁଛି ତାଙ୍କ ସରକାର ଆସିଲେ ସେମାନେ ବିଜୁଳି ବିଲରେ ସବସିଡି ଶେଷ କରିଦେବେ । ବିଜେପି ମାଗଣା ବିଲର ବିରୋଧରେ ଅଛନ୍ତି ।
କେଜ୍ରିଓ୍ବାଲ କହିଛନ୍ତି କି, ମୁଁ ସିସୋଦିଆଙ୍କୁ ଆପଣମାନଙ୍କୁ ଦେଇଦେଉଛି ଆଉ ତାଙ୍କୁ କହିଛି ଜଙ୍ଗପୁରାର ବିକାଶ ୧୦ ଗୁଣା ଅଧିକ କରିବେ । ଯେଉଁ କାମ ରହିଛି ତାକୁ ଦ୍ରୁତ ଗତିରେ ସାରିବେ । ବିକାଶର ନୂଆ ଯୋଜନା ଚାଲୁ କରିବେ । ଆମେ ୨୪ ଘଣ୍ଟା ବିଜୁଳି ଦେବାକୁ ପ୍ରତିଶ୍ରୁତିବଦ୍ଧ । ଯଦି ୨୪ ଘଣ୍ଟା ବିଜୁଳି ଦରକାର ତେବେ ଝାଡୁ ବଟନରେ କ୍ଲିକ କରନ୍ତୁ ଆଉ ଯଦି ୬ ଘଣ୍ଟା ଦରକାର ତେବେ ବିଜେପିକୁ ଭୋଟ ଦିଅନ୍ତୁ ।