କନକ ବ୍ୟୁରୋ: ୟୁଟ୍ୟୁବରରୁ ନେତା ବନିଥିବା ମନୀଷ କଶ୍ୟପଙ୍କୁ ନେଇ ଆସିଛି ବଡ଼ ଖବର । ନିକଟରେ ବିଜେପି ଛାଡ଼ିଥିବା ଏହି ୟୁଟ୍ୟୁବର୍ ଏବେ ପ୍ରଶାନ୍ତ କିଶୋରଙ୍କ ଦଳ ଜନସୁରାଜ ପାର୍ଟିରେ ସାମିଲ ହେବେ । ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମନୀଷ କଶ୍ୟପ ଜୁନ୍ ୨୩ ତାରିଖରେ ଔପଚାରିକ ଭାବେ ପ୍ରଶାନ୍ତ କିଶୋରଙ୍କ ଦଳରେ ସାମିଲ ହେବେ । ଆଉ ଦଳ ତାଙ୍କୁ ଆଗାମୀ ବିହାର ବିଧାନସଭା ନିର୍ବାଚନରେ ଟିକେଟ୍ ଦେଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

Advertisment

କିଛି ଦିନ ତଳେ ବିଜେପିକୁ ବାଏ ବାଏ କହିଥିଲେ ମନୀଷ କଶ୍ୟପ । ଫେସବୁକରେ ଲାଇଭ୍ ଆସି ସେ ବିଜେପି ଛାଡ଼ିଥିବା ନେଇ ଘୋଷଣା କରିଥିଲେ । ଦଳରେ ରହି ବିହାରର ଲୋକଙ୍କ ପାଇଁ ସେ କିଛି କରିପାରୁନଥିବା କାରଣରୁ ବିଜେପିରୁ ଇସ୍ତଫା ଦେଉଥିବା କଥା ଖୁଲାସା କରିଥିଲେ । ଆଉ ଏବେ ସେ ପ୍ରଶାନ୍ତ କିଶୋରଙ୍କ ଦଳରେ ସାମିଲ ହେବା ଚର୍ଚ୍ଚା ସୃଷ୍ଟି କରିଛି । କୁହାଯାଉଛି ଜନସୁରାଜ ପାର୍ଟି ତାଙ୍କୁ ଚନପଟିୟା ସିଟରୁ ପ୍ରାର୍ଥୀ କରିପାରେ ।

ଚନପଟିୟା ସିଟ୍ ଦୀର୍ଘ ଦିନ ହେଲା ବିଜେପିର ଗଡ଼ ହେଇ ରହିଆସିଛି । ୨୦୨୦ରେ ବିଧାନସଭା ନିର୍ବାଚନରେ ବିଜେପିର ଉମାକାନ୍ତ ସିଂହ ଏଠାରୁ ୮୩ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ଆଉ ଯଦି ଜନସୁରାଜ ପାର୍ଟି ଆଗାମୀ ବିଧାନସଭା ନିର୍ବାଚନରେ ଏଠାରୁ ମନୀଷଙ୍କୁ ପ୍ରାର୍ଥୀ କରେ ତେବେ ବିଜେପି ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ହେବ । କାହିଁକି ନା, ମନୀଷ କଶ୍ୟପଙ୍କର ଏକ ସ୍ୱତନ୍ତ୍ର ଫ୍ୟାନ୍ କ୍ଲବ୍ ରହିଛି, ତେଣୁ ଏହା ବିଜେପିର ଭୋଟ୍ ବ୍ୟାଙ୍କକୁ କମ କରିବ ।