ମଣିପୁରରେ ପୁଣି ଉଗ୍ର ହିଂସା ; ରାତାରାତି ୨୫୦୦ ଯବାନ ପଠାଇଲେ ସରକାର

ମଣିପୁର ଥମୁନି ଜାତିଗତ ହିଂସା  । କେନ୍ଦ୍ରୀୟ ରିଜର୍ଭ ସୁରକ୍ଷାବଳଙ୍କ ଉପରେ ବଢୁଛି ବିପଦ  । ଉତ୍ତର-ପୂର୍ବ ରାଜ୍ୟକୁ ଅତିରିକ୍ତ ୨୦ ଅର୍ଦ୍ଧସାମରିକ କମ୍ପାନୀ ପଠାଇଲେ କେନ୍ଦ୍ର ସରକାର  ।

10MN

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ମଣିପୁର ହିଂସା । ଉତ୍ତର-ପୂର୍ବ ରାଜ୍ୟରେ ହିଂସା ଥମିବାର ନା ନେଉନାହିଁ । ଦୀର୍ଘଦିନ ଧରି ଚାଲିଥିବା ଜାତିଗତ ହିଂସା ପାଇଁ ଏବେ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ-ସିଆରପିଏଫ୍‌ ବିରୋଧରେ ବିପଦ ବଢିବାରେ ଲାଗିଛି । ଏହାକୁ ନେଇ କେନ୍ଦ୍ର ସରକାର ରାତାରାତି ୨୦ଟି ଅତିରିକ୍ତ ଅର୍ଦ୍ଧସାମରିକ କମ୍ପାନୀ ବା ପାଖାପାଖି ୨୫୦୦ ଯବାନଙ୍କୁ ମଣିପୁର ପଠାଇଛନ୍ତି ସରକାର । 

ସେଥିରୁ ୧୫ଟି ସିଆରପିଏଫ୍‌ ଏବଂ ୫ଟି ବିଏସଏଫ୍‌ ପ୍ଲାଟୁନ୍ ରହିଛି। ସେମାନଙ୍କୁ ସମ୍ବେଦନଶୀଳ ସ୍ଥାନରେ ମୁତୟନ କରାଯିବ । ମଣିପୁରର ଜିରିବାମ ଜିଲ୍ଲାରେ ମଙ୍ଗଳବାର ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ୧୦ ଜଣ ସନ୍ଦିଗ୍ଧ ସଶସ୍ତ୍ର ଆତଙ୍କବାଦୀ ନିହତ ହୋଇଥିବା ବେଳେ ୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ୩ ଶିଶୁଙ୍କ ସମେତ ଅନ୍ୟ ୬ ଜଣ ନିଖୋଜ ଥିବା ସୂଚନା ରହିଛି । 

ସୋମବାର ଉଗ୍ରବାଦୀମାନେ ବିସ୍ଥାପିତ ମୈତେୟୀ ମହିଳା, ତାଙ୍କ ୨ ଝିଅ ଓ ୩ ନାତିନାତୁଣୀଙ୍କୁ ଅପହରଣ କରି ନେଇଥିଲେ । ଗତବର୍ଷ ମୈତେୟୀ ଓ କୁକି ଗୋଷ୍ଠୀ ମଧ୍ୟରେ ଜାତିଗତ ସଂଘର୍ଷ ଆରମ୍ଭ ହେବା ପରଠାରୁ ବିସ୍ଥାପିତ ହୋଇଥିବା ୫୦,୦୦୦ ଲୋକଙ୍କ ମଧ୍ୟରେ ଏହି ୬ ଜଣ ଅଛନ୍ତି । ମଣିପୁରର ରାଜ୍ୟସଭା ସଦସ୍ୟ ସାନାଜାଓବା ଲିସେମ୍ବା ବୁଧବାର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ହସ୍ତକ୍ଷେପ କରି ଉକ୍ତ ୬ଜଣଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe