କନକ ବ୍ୟୁରୋ: ମଣିପୁରରେ ସତ୍ତାକୁ ନେଇ ହଲଚଲ । ଆପଣମାନେ ଜାଣିଛନ୍ତି ଯେ, ମଣିପୁରରେ ଏବେ ରାଷ୍ଟ୍ରପତି ଶାସନ ଜାରି ରହିଛି । ହେଲେ ଏହାରି ଭିତରେ କିନ୍ତୁ ବିଜେପି ସେଠାରେ ପୁଣିଥରେ ସରକାର ଗଠନ କରିବାକୁ ଅଣ୍ଟା ଭିଡ଼ିଛି । ବୁଧବାର ଦ୍ୱି-ପହରରେ ଏନଡିଏର ୪୪ ଜଣ ବିଧାୟକଙ୍କ ସମର୍ଥନ ନେଇ କିଛି ବିଧାୟକ ରାଜ୍ୟପାଳ ଅଜୟ ଭଲ୍ଲାଙ୍କୁ ଭେଟିଛନ୍ତି, ଆଉ ମଣିପୁରରେ ସରକାର ଗଠନ କରିବାକୁ ଦାବି କରିଛନ୍ତି ।
ମିଳିଥିବା ସୂଚନା ମୁତାବକ, ରାଜ୍ୟପାଳଙ୍କୁ ଭେଟିଥିବା ଦଶ ବିଧାୟକଙ୍କ ଭିତରେ ଅଛନ୍ତି ବିଜେପିର ଯୁବ ଚେହେରା ରାଧେଶ୍ୟାମ ସିଂହ । ତାଙ୍କ କହିବା ମୁତାବକ, ଲୋକଙ୍କ ଇଚ୍ଛା ମୁତାବକ ୪୪ ଜଣ ବିଧାୟକ ସରକାର ଗଠନ କରିବାକୁ ପ୍ରସ୍ତୁତ ଅଛନ୍ତି । ଏନେଇ ସେ ରାଜ୍ୟପାଳଙ୍କୁ ଜଣାଇ ଦେଇଛନ୍ତି । ତେବେ ଏହାପରେ ଏନେଇ କଣ ସମାଧାନର ରାସ୍ତା ବାହାରିପାରିବ, ସେ ନେଇ ମଧ୍ୟ ରାଜ୍ୟପାଳଙ୍କ ସହିତ ଚର୍ଚ୍ଚା ହୋଇଛି ବୋଲି ସେ ସୂଚନା ଦେଇଛନ୍ତି ।
ଜାଣିରଖିବା ଉଚିତ ଯେ, ରାଜ୍ୟପାଳଙ୍କୁ ଭେଟିଥିବା ୧୦ ବିଧାୟକଙ୍କ ଭିତରେ ବିଜେପିର ୮ ଜଣ ବିଧାୟକ ରହିଥିବାବେଳେ, ଏନପିପିର ଜଣେ ଏବଂ ଜଣେ ସ୍ୱାଧୀନ ବିଧାୟକ ରହିଛନ୍ତି । ଏମାନେ ଦାବି କରିଛନ୍ତି ଯେ, ସେମାନଙ୍କ ପାଖରେ ୪୪ ବିଧାୟକଙ୍କ ସମର୍ଥନ ରହିଛି, ତେଣୁ ମଣିପୁରରେ ସରକାର ଗଠନ କରିବାକୁ ତାଙ୍କୁ ଅନୁମତି ଦିଆଯାଉ ।
ଜାଣିରଖିବା ଉଚିତ ଯେ, ମଣିପୁରରେ ଦୀର୍ଘ ଦେଢ଼ ବର୍ଷର ଲଗାତାର ହିଂସା ପରେ ଗତ ଫେବ୍ରୁଆରୀ ୯ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବୀରେନ୍ ସିଂହ । ଏହାପରଠାରୁ ସେଠାରେ ରାଷ୍ଟ୍ରପତି ଶାସନ ଜାରି ରହିଛି । ହେଲେ ଏବେ କିନ୍ତୁ ସେଠାରେ ପୁଣିଥରେ ସରକାର ଗଠନ ନେଇ ହଲଚଲ ଦେଖିବାକୁ ମିଳିଛି ।
ମଣିପୁରର ବିଧାନସଭା ସିଟ୍ ସଂଖ୍ୟା ହେଉଛି ୬୦ । ଆଉ ସରକାର ଗଠନ ପାଇଁ କେବଳ ୩୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ବର୍ତ୍ତମାନ ସେଠାରେ ବିଜେପିର ୩୭ ଜଣ ବିଧାୟକ ରହିଥିବାବେଳେ, ଏହା ହିଁ ବହୁମତଠାରୁ ୬ ଅଧିକ । ବିଜେପିର ଏହି ୩୭ ଜଣ ବିଧାୟକଙ୍କ ମଧ୍ୟରେ ୨୭ ଜଣ ମୈତେଇ ସମ୍ପ୍ରଦାୟର ହୋଇଥିବାବେଳେ, ୬ ଜଣ କୁକି, ୩ ଜଣ ନାଗା ଏବଂ ଜଣେ ମୁସଲିମ୍ ସମ୍ପ୍ରଦାୟର । ଅନ୍ୟପଟେ ଏନଡିଏର ସଂଖ୍ୟାବଳ ଦେଖିଲେ, ମଣିପୁରରେ ବିଜେପିକୁ ଏନପିଏଫର ମଧ୍ୟ ସମର୍ଥନ ରହିଛି । ତେଣୁ ମୋଟ ଉପରେ ୪୨ ଜଣ ବିଧାୟକ ଏନଡିଏ ସାଙ୍ଗରେ ଅଛନ୍ତି । ସେହିପରି କଂଗ୍ରେସର ସେଠାରେ ୫ ଜଣ ବିଧାୟକ ରହିଛନ୍ତି ।