କନକ ବ୍ୟୁରୋ: ମଣିପୁର ହିଂସାକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି । ହିଂସା ପ୍ରଭାବିତ ଜିରିବାମ ସମେତ ୬ଟି ପୋଲିସ୍ ଷ୍ଟେସନ ଅଧିନରେ ଆସୁଥିବା ଅଞ୍ଚଳରେ ଆର୍ମଡ ଫୋର୍ସ ସ୍ପେଶାଲ ପାୱାର ଆକ୍ଟ ବା AFSPA ଆଇନ ଲାଗୁ କରିଛନ୍ତି । ଏହି ସବୁ ଅଞ୍ଚଳ ଗୁଡ଼ିକ ହେଉଛି ପଶ୍ଚିମ ଇମ୍ଫାଲ, ପୂର୍ବ ଇମ୍ଫାଲ, ଜିରିବାମ, କାଙ୍ଗପୋକପାଇ ଓ ବିଷ୍ଣୁପୁର । ଏହି ଅଧିନିୟମ ଅନୁଯାୟୀ, ଏକ ଅଞ୍ଚଳକୁ ବିଶୃଙ୍ଖଳିତ ଘୋଷଣା କରାଯାଇଛି ଏବଂ ସୁରକ୍ଷା ବାହିନୀକୁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯାଉଛି । ଗୁରୁବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି । ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ଜାତି ହିଂସା ହେତୁ କ୍ରମାଗତ ଅସ୍ଥିର ପରିସ୍ଥିତି ଦେଖାଦେଇଛି । ନିକଟରେ ମଣିପୁରର ଜିରିବାମରେ ସୁରକ୍ଷାକର୍ମୀ ଓ ଉଗ୍ରବାଦୀ ମୁହାଁମୁହିଁ ହୋଇଥିଲେ । ଏଥିରେ ୧୧ ଜଣ କୁକି ସଂପ୍ରଦାୟର ସନ୍ଦିଗ୍ଧ ଉଗ୍ରବାଦୀ ନିହତ ହୋଇଥିଲେ । ଉଗ୍ରବାଦୀମାନେ ସ୍ଥାନୀୟ ପୁଲିସ୍ ଷ୍ଟେସନ ଉପରେ ଆକ୍ରମଣ କରିବାରୁ ଏହାର ଜବାବ ସୁରକ୍ଷାକର୍ମୀମାନେ ଦେଇଥିଲେ । ଦିନକ ପରେ ସମାନ ଅଞ୍ଚଳରୁ ୩ ମହିଳା ଓ ୩ ଶିଶୁଙ୍କ ସହ ୬ ଜଣଙ୍କୁ ଅପହରଣ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨ ଜଣ ବରିଷ୍ଠ ନାଗରିକଙ୍କୁ ଜବୀନ୍ତ ନିଆଁ ଲଗାଇ ପୋଡ଼ି ଦିଆଯାଇଥିଲା । ଏହାକୁ ନେଇ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏଥିପାଇଁ ପ୍ରଶାସନ ପକ୍ଷରୁ ଜିରିବାମରେ କର୍ଫ୍ୟୁ ଲାଗୁ କରାଯାଇଥିଲା ।
ମଣିପୁର ହିଂସାକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ହିଂସା ପ୍ରଭାବିତ ଜିରିବାମ ସମେତ ୬ଟି ଥାନା ଅଞ୍ଚଳରେ AFSPA ଆକ୍ଟ ଲାଗୁ ।
ପଶ୍ଚିମ ଇମ୍ଫାଲ, ପୂର୍ବ ଇମ୍ଫାଲ, ଜିରିବାମ, କାଙ୍ଗପୋକପାଇ ଓ ବିଷ୍ଣୁପୁର କଡ଼ା କଟକଣା । ୬ଟି ପୋଲିସ୍ ଷ୍ଟେସନ ଅଧିନରେ ଆସୁଥିବା ଅଞ୍ଚଳରେ ଆର୍ମଡ ଫୋର୍ସ ସ୍ପେଶାଲ ପାୱାର ଆକ୍ଟ ବା AFSPA ଆଇନ ଲାଗୁ କରିଛନ୍ତି ସରକାର ।