କନକ ବ୍ୟୁରୋ: ଭୁବନେଶ୍ୱରସ୍ଥିତ ମଣିପାଲ ହସ୍ପିଟାଲ ପରିସରରେ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ରକ୍ତଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ମଣିପାଲ ହସ୍ପିଟାଲର ଡାକ୍ତର, ନର୍ସଙ୍କ ସମେତ ୫୦ରୁ ଅଧିକ କର୍ମଚାରୀ ଯୋଗ ଦେଇ ସ୍ବେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ ।
ସ୍ବେଚ୍ଛାକୃତ ରକ୍ତଦାନ ନିମନ୍ତେ ଲୋକଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଜୁନ୍ ୧୪ ତାରିଖକୁ ବିଶ୍ୱ ରକ୍ତଦାତା ଦିବସ ଭାବରେ ପାଳନ କରାଯାଏ । ନୋବେଲ୍ ପୁରସ୍କାର ବିଜେତା କାର୍ଲ ଲ୍ୟାଣ୍ଡଷ୍ଟାଇନ୍ଙ୍କ ଏହି ଜନ୍ମ ଦିବସକୁ ବିଶ୍ବ ସ୍ତରରେ ରକ୍ତଦାତା ଦିବସର ମାନ୍ୟତା ମିଳିଛି । ରକ୍ତର ବର୍ଗୀକରଣ କରିବାରେ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି । ୨୦୦୪ ମସିହାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଜୁନ୍ ୧୪ ତାରିଖକୁ ‘ବିଶ୍ବ ରକ୍ତଦାତା ଦିବସ’ ରୂପେ ପାଳନ କରିବା ପାଇଁ ଘୋଷଣା କରିଥିଲେ । ଏହାର ମୂଳ ଉଦ୍ଦେଶ୍ୟ ହେଉଛି, ସୁରକ୍ଷିତ ରକ୍ତଦାନର ଆବଶ୍ୟକତା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା । ଚଳିତ ବର୍ଷର ରକ୍ତଦାତା ୨୧ ବର୍ଷ ପୂରଣ କରିଛି । ଚଳିତ ବର୍ଷ ଏହି ଦିବସର ଥିମ୍ ରହିଛି, "Give Blood : Give Hope : Together we save lives.
ଏହି ଅବସରରେ ମଣିପାଲ ହସ୍ପିଟାଲର ଡାକ୍ତର ଦେବୀ ପ୍ରସାଦ ଆଚାର୍ଯ୍ୟ-କନ୍ସଲ୍ଟାଣ୍ଟ, ବ୍ଲଡ୍ ବ୍ୟାଙ୍କ, ତାଙ୍କ ମତ ରଖିଥିଲେ, ଏହି ବିଶ୍ୱ ରକ୍ତଦାନ ଦିବସରେ ଆଗେଇ ଆସନ୍ତୁ ଏବଂ ରକ୍ତଦାନ କରନ୍ତୁ । ଆପଣଙ୍କ କିଛି ସମୟ ବହୁ ଲୋକମାନଙ୍କର ପ୍ରାଣ ବଞ୍ଚାଇ ପାରିବ । ଆସନ୍ତୁ ଏକ ନୂଆ ସମାଜ ଗଠନ କରିବା ପାଇଁ ଅଗ୍ରସର ହେବା । ଆସନ୍ତୁ ସ୍ୱେଚ୍ଛାକୃତ ରକ୍ତ ଦାନକୁ ଏକ ଜନ ଆନ୍ଦୋଳନର ରୂପ ଦେବା ।
ଏହି ଅବସରରେ ମଣିପାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଶକ୍ତିମୟ ମହାପାତ୍ର କହିଥିଲେ "ରକ୍ତଦାନ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା ହୋଇପାରୁଛି । ରକ୍ତ ଅଭାବ ସମସ୍ୟାର ସମାଧାନ ପାଇଁ ସୁସ୍ଥ ବ୍ୟକ୍ତିମାନେ ନିୟମିତ ରକ୍ତଦାନ କରିବା ଜରୁରୀ । ରକ୍ତଦାନ କଲେ ହୃଦ୍ରୋଗ, ବ୍ରେନ୍ ଷ୍ଟ୍ରୋକ୍, କିଡନୀ ସମସ୍ୟା ଦୂର ହୁଏ । ରକ୍ତଚାପ ଏବଂ ରକ୍ତରେ ଶର୍କରା ଜାତୀୟ ଅଂଶ ମଧ୍ୟ ସନ୍ତୁଳିତ ହୋଇଥାଏ । ମନୁଷ୍ୟ ଶରୀରରେ ରକ୍ତର କୌଣସି ବିକଳ୍ପ ନ ଥିବାରୁ ରକ୍ତଦାନ ମାଧ୍ୟମରେ ଏହା ସଂଗ୍ରହ କରିବା ଜରୁରୀ ହୋଇପଡିଛି"।
ମଣିପାଲ ହସ୍ପିଟାଲ ବିଷୟରେ :-
ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଥିବା ମଣିପାଲ ହସ୍ପିଟାଲ ଶୃଙ୍ଖଳା ଭାରତର ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ମଧ୍ୟରୁ ଅନ୍ୟତମ । ଏହା ପ୍ରତିବର୍ଷ ୭ ନିୟୁତ ରୋଗୀଙ୍କର ଚିକିତ୍ସା କରି ଆସୁଛି । ଏହା ସୁଲଭ ମୂଲ୍ୟରେ ଉନ୍ନତ ମାନର ସ୍ବାସ୍ଥ୍ୟସେବା ଜନିତ ବିକାଶ ଉପରେ ଗୁରୁତ୍ଵ ଦେଇଥାଏ । ଭାରତର ୧୯ଟି ସହରରେ ଏହାର ୩୭ଟି ଶାଖା ରହିଥିବା ବେଳେ ୧୦୫୦୦ ଶଯ୍ୟା ସହିତ ୫,୬୦୦ ଅଭିଜ୍ଞ ଡାକ୍ତର ଓ ୧୮,୬୦୦ କର୍ମଚାରୀ ଏଠାରେ କାର୍ଯ୍ୟ କରୁଛନ୍ତି ।
ମଣିପାଲ ହସ୍ପିଟାଲ ଶୃଙ୍ଖଳା ବିଶ୍ବର ବିଭିନ୍ନ ସ୍ଥାନରୁ ଆସୁଥିବା ବହୁ ରୋଗୀଙ୍କ ପାଇଁ ବ୍ୟାପକ ଏବଂ ପ୍ରତିଷେଧକ ଚିକିତ୍ସା ଯୋଗାଇଥାଏ ଏହା ଏନଏବିଏଚ, ଏଏଏଚଆରପିପି ସ୍ବୀକୃତିପ୍ରାପ୍ତ ଏବଂ ଏହା ଅଧୀନରେ ଥିବା ଅଧିକାଂଶ ହସ୍ପିଟାଲ ଏନଏବିଏଲ, ଇଆର, ବ୍ଲଡ୍ ବ୍ୟାଙ୍କ ଦ୍ବାରା ଅନୁମୋଦିତ ଏବଂ ନସିଂ ଏକ୍ସଲେନ୍ସ ନିମନ୍ତେ ସ୍ବୀକୃତିପ୍ରାପ୍ତ । ଭିନ୍ନ ଭିନ୍ନ ଉପଭୋକ୍ତା ସର୍ବେକ୍ଷଣ ମାଧ୍ୟମରେ ମଣିପାଲ ହସ୍ପିଟାଲ ଶୃଙ୍ଖଳା ଭାରତର ସବୁଠାରୁ ସମ୍ମାନିତ ତଥା ରୋଗୀଙ୍କୁ ସୁପାରିଶ କରାଯାଉଥିବା ଚିକିତ୍ସାଳୟ ଭାବରେ ମାନ୍ୟତା ପାଇଛି ।