କନକ ବ୍ୟୁରୋ : ମିସ୍ ୟୁନିଭର୍ସ ଇଣ୍ଡିଆ ହେଲେ ରାଜସ୍ଥାନର ମନିକା ବିଶ୍ୱକର୍ମା । ସେ ସୋମବାର ଅଗଷ୍ଟ ୧୮ରେ ଏହି ସମ୍ମାନଜନକ ମୁକୁଟ ଜିତିଥିଲେ । ଏହି ଟାଇଟଲ ପାଇଁ ସାରା ଦେଶରୁ ୪୮ଜଣ ପ୍ରତିଯୋଗୀ ଫାଇନାଲରେ ପ୍ରବେଶ କରିଥିଲେ । ସେମାନଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ପରେ ରାଜସ୍ଥାନର ମନିକା ବିଶ୍ୱକର୍ମା ବିଜୟୀ ହୋଇ ଭାରତ ପାଇଁ ଗର୍ବ ଆଣିଛନ୍ତି । 

Advertisment
girl
girl Photograph: (google)

ଏହା ସହ ଉତ୍ତରପ୍ରଦେଶର ତାନ୍ୟା ଶର୍ମା ପ୍ରଥମ ରନର୍ସ ଅପ୍, ହରିୟାଣାର ମେହକ ଢ଼ିଙ୍ଗରା ଦ୍ୱିତୀୟ ରନର୍ସ ଅପ୍ ଏବଂ ଅମିଶୀ କୌଶିକ ତୃତୀୟ ରନର୍ସ ଅପ୍ ହୋଇଥିବା ଜଣାପଡ଼ିଛି । ରାଜସ୍ଥାନର ଜୟପୁରରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ମନିକା ବିଶ୍ୱକର୍ମାଙ୍କୁ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ମୁକୁଟ ପିନ୍ଧାଇଥିଲେ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ର ବିଜୟିନୀ ରିଆ ସିଂହା । ସେ ତାଙ୍କୁ ମିଳିଥିବା ମୁକୁଟ ମନିକାଙ୍କୁ ପିନ୍ଧାଇଥିଲେ । ଜୁରି ସଦସ୍ୟମାନଙ୍କ ମଧ୍ୟରେ ମିସ୍ ୟୁନିଭର୍ସ ଇଣ୍ଡିଆର ମାଲିକ ନିଖିଲ ଆନନ୍ଦ, ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରାଉତେଲା, ପ୍ରସିଦ୍ଧ ବଲିଉଡ୍ ଷ୍ଟାଇଲିଷ୍ଟ ଅସଲେ ରୋବେଲୋ, ବଲିଉଡ୍‌ର ପ୍ରସିଦ୍ଧ ଲେଖକ-ନିର୍ଦ୍ଦେଶକ ଫରହାଦ ସାମଜୀଙ୍କ ଭଳି ଲୋକପ୍ରିୟ ନାମ ସାମିଲ ଥିଲେ ।

Miss Universe
Miss Universe Photograph: (Google)

ମନିକା ରାଜସ୍ଥାନର ଶ୍ରୀଗଙ୍ଗାନଗରର ବାସିନ୍ଦା ଏବଂ ବର୍ତ୍ତମାନ ସେ ଦିଲ୍ଲୀରେ ରହୁଛନ୍ତି । ୨୩ ବର୍ଷୀୟା ମନିକା ୨୦୨୪ ମସିହାରେ ମିସ୍ ୟୁନିଭର୍ସ ରାଜସ୍ଥାନ ଟାଇଟଲ ଜିତି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଡେବ୍ୟୁ କରିଥିଲେ । ତାଙ୍କର ସୌନ୍ଦର୍ଯ୍ୟ ପ୍ରତିଯୋଗିତା ସଫଳତା ବ୍ୟତୀତ ମନିକା ନ୍ୟୁରୋନୋଭାର ପ୍ରତିଷ୍ଠାତା ମଧ୍ୟ । ଏହା ବ୍ୟତୀତ ମନିକା ବୈଦେଶିକ ମନ୍ତ୍ରାଳୟ ଅଧୀନରେ ଥିବା ବିମ୍ସଟେକ୍ ସେବୋକନରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ତାଙ୍କୁ ଲଳିତ କଳା ଏକାଡେମୀ ଏବଂ ଜେଜେ ସ୍କୁଲ ଅଫ୍ ଆର୍ଟସ୍ ଭଳି ପ୍ରତିଷ୍ଠିତ ପ୍ରତିଷ୍ଠାନ ଦ୍ୱାରା ମଧ୍ୟ ସମ୍ମାନିତ କରାଯାଇଛି । ଏହା ସହ ସେ ଜଣେ ତାଲିମପ୍ରାପ୍ତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ । ମନିକା ଏବେ ମିସ୍ ୟୁନିଭର୍ସ ୨୦୨୫ ପ୍ରତିଯୋଗିତାରେ ଆନ୍ତର୍ଜାତୀୟ ସ୍ତରରେ ଭାରତକୁ ପ୍ରତିନିଧିତ୍ୱ କରିବେ, ଯାହା ନଭେମ୍ବର ୨୧, ୨୦୨୫ରେ ଥାଇଲ୍ୟାଣ୍ଡର ପାକ୍ କ୍ରେଟ୍‌ସ୍ଥିତ ଇମ୍ପ୍ୟାକ୍ଟ ଚ୍ୟାଲେଞ୍ଜର ହଲରେ ଅନୁଷ୍ଠିତ ହେବ ।