କନକ ବ୍ୟୁରୋ : କନ୍ଧମାଳରେ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ଜଣଙ୍କ ମୃତ୍ୟୁ ହେବା ପ୍ରସଙ୍ଗରେ ଆରଡିସି ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆମ୍ବ ଟାକୁଆ ଜାଉ ଖାଇ ପୂର୍ବରୁ ୨ ମହିଳାଙ୍କ ମୃତ୍ୟୁ ଘଟିଛି । ୨ ଜଣଙ୍କ ମୃତ୍ୟୁ ସହ ଅନ୍ୟ ୬ ଜଣ ଅସୁସ୍ଥ ହୋଇଛନ୍ତି । ୬ ଅସୁସ୍ଥଙ୍କ ମଧ୍ୟରୁ ୨ ଜଣ କଟକ ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏସସିବି ଯାଇ ଅସୁସ୍ଥଙ୍କୁ ଭେଟିଥିଲେ । ତାଙ୍କୁ ଉନ୍ନତ ମାନର ଚିକିତ୍ସା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
କନ୍ଧମାଳରେ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ଜଣଙ୍କ ମୃତ୍ୟୁ ହେବା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସର ଷ୍ଟିୟରିଂ କମିଟି । ଚାଉଳ ଦିଆଯାଉଛି କହି ବିଭ୍ରାନ୍ତ କରିଥିବା ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ ସହ କନ୍ଧମାଳ ଜିଲ୍ଲାପାଳଙ୍କୁ ବରଖାସ୍ତ କରିବାକୁ ଦଳ ଦାବି କରିଛି । ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ କଂଗ୍ରେସ ଷ୍ଟିଅରିଂ କମିଟି ଦାବି କରିଛି ।